ନୂଆଦିଲ୍ଲୀ : ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟାବହ କାର ବୋମା ବିସ୍ଫୋରଣରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ପୁରା ଦିଲ୍ଲୀ ସ୍ତବ୍ଦ ହୋଇଯାଇଛି । ତେବେ ଏହି କାର ବୋମା ବିସ୍ଫୋରଣର ଲିଙ୍କ୍ ଜମ୍ମୁ ଓ କଶ୍ମୀରର ପୁଲୱାମା ସହିତ ଜଡ଼ିତ ଥିବା କୁହାଯାଉଛି । ବିସ୍ଫୋରଣ ଘଟଣାରେ ତିନି ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି । ଅଟକ ଥିବା ତାରିକ ଅହମ୍ମଦ ମାଲିକ, ଆମିର ରସିଦ ଏବଂ ଉମର ରସିଦଙ୍କୁ ପୋଲିସ ଅଟକ ରଖି ଜେରା କରୁଛି ।
ସୂଚନା ଅନୁସାରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିସ୍ଫୋରଣ ପାଇଁ ଯେଉଁ କାରଟି ବ୍ୟବହୃତ ହୋଇଥିଲା ତାହା ଫରିଦାବାଦର ଥିବା ଜଣାପଡ଼ିଛି । ବ୍ୟବହୃତ ଆଇ-୨୦ କାରଟି ମାତ୍ର ଚାରି ଦିନ ପୂର୍ବରୁ ଫରିଦାବାଦର ଜଣେ ଡିଲରଙ୍କ ଠାରୁ କିଣାଯାଇଥିଲା । ବିସ୍ଫୋରଣ ପରେ ଫରିଦାବାଦର ଡିଲରଙ୍କୁ ଦିଲ୍ଲୀ ପୋଲିସ ହେପାଜତକୁ ନେଇଛି । ଉକ୍ତ ଡିଲରଙ୍କ ନାମ ସୋନୁ ଥିବା ଜଣାପଡ଼ିଛି । ରୟାଲ କାର୍ ଜୋନର କାର୍ ଡିଲର ସୋନୁଙ୍କ କାର୍ଯ୍ୟାଳୟ ଫରିଦାବାଦର ସେକ୍ଟର ୩୭ରେ ଅଛି । ସେ olx ରେ କାର୍ ବିକ୍ରୟ ପାଇଁ ଏକ ବିଜ୍ଞାପନ ପୋଷ୍ଟ କରିଥିଲେ।
ଏହାପରେ ତାଙ୍କ କାର ବିକ୍ରି ହୋଇଯାଇଥିଲା । ଫରିଦାବାଦର ପୋଲିସ ଅଧିକାରୀ ଯଶପାଲ ସିଂହ କହିଛନ୍ତି, ‘ସୋନୁଙ୍କୁ ଗିରଫ କରାଯାଇ ଦିଲ୍ଲୀ ସ୍ପେଶାଲ ସେଲକୁ ହସ୍ତାନ୍ତର କରାଯାଇଛି । ଲାଲକିଲ୍ଲା ସାମ୍ନାରେ ଭୟାବହ ବିସ୍ଫୋରଣ ହୋଇଥିବା ଆଇ-୨୦ କାରଟି ଆରଟିଓରେ ପଞ୍ଜିକୃତ ହୋଇଛି। ରିପୋର୍ଟରୁ ଜଣାପଡ଼ିଛି ଏହି କାରଟି ଗୋଟିଏ ବର୍ଷ ମଧ୍ୟରେ ଥରେ କି ଦୁଇଥର ନୁହେଁ ୭ ଥର ବିକ୍ରି ହୋଇଛି। ଏଥିରୁ ପୋଲିସ ନିଶ୍ଚିତ ହୋଇଛି ଯେ ବିସ୍ଫୋରଣ ଏକ ଯୋଜନାବଦ୍ଧ ଆତଙ୍କବାଦୀ ଷଡ଼ଯନ୍ତ୍ରର କାମ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
