Explore

Search

February 25, 2026 8:56 pm

ଦିଗବିଜୟୀ ସମ୍ରାଟ ଗଜପତି କପିଳେନ୍ଦ୍ର ଦେବ

କପିଳେନ୍ଦ୍ର ଦେବ ଜଣେ ଉତ୍କଳୀୟ ସମ୍ରାଟ ଥିଲେ । ତାଙ୍କ ସମୟରେ ଉତ୍କଳର ସୀମା ଉତ୍ତରରେ ଗଙ୍ଗା ନଦୀଠାରୁ ଦକ୍ଷିଣରେ କାବେରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଗଜପତି ଗୌଡେଶ୍ବର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ଉପାଧି ପାଇଥିଲେ । ସେ ସୂର୍ଯ୍ୟବଂଶର ପ୍ରତିଷ୍ଠାତା ତଥା ପ୍ରଥମ ନରପତି ଥିଲେ । ସେ ନିଜକୁ ଜଗନ୍ନାଥଙ୍କ ପରମ ସେବକ ମଣୁଥିଲେ ଓ ଗଜପତି ଉପାଧିରେ ଭୂଷିତ କରିଥିଲେ ।

କପିଳେନ୍ଦ୍ର ଦେବ ୧୪୩୫ ରୁ ୧୪୬୫ ମସିହା ପର୍ଯ୍ୟନ୍ତ ଉତ୍କଳରେ ଶାସନ କରିଥିଲେ। ଗଙ୍ଗ ବଂଶର ଶେଷ ପରେ ସେ ସୂର୍ଯ୍ୟବଂଶର ଶାସନ ଆରମ୍ଭ କରି ରାଜ୍ୟକୁ ନୂତନ ଦିଗ ଦେଇଥିଲେ। ତାଙ୍କ ଶାସନକାଳରେ ରାଜ୍ୟ ରାଜନୈତିକ ଓ ସାଂସ୍କୃତିକ ଭାବେ ଶକ୍ତିଶାଳୀ ହୋଇଉଠିଥିଲା ।

୧୪୫୯ ରୁ ୧୪୬୦ ମଧ୍ୟରେ ସେ ଦାମୋଦରପୁର ଓ ଗୋପୀନାଥପୁରରେ ବ୍ରାହ୍ମଣ ଶାସନ ପ୍ରତିଷ୍ଠା କରିଥିଲେ, ଯାହା ଶିକ୍ଷା ଓ ଧାର୍ମିକ କାର୍ଯ୍ୟକଳାପକୁ ଉତ୍ସାହିତ କରିଥିଲା । ସେ ଓ ତାଙ୍କ ପରବର୍ତ୍ତୀ ବଂଶଧରମାନେ ସଂସ୍କୃତ ଭାଷାର ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦେଇଥିଲେ।

କୁହାଯାଏ ଯେ କପିଳେନ୍ଦ୍ର ଦେବ ପରଶୁରାମ ବିଜୟ ନାମକ ନାଟକ ରଚନା କରିଥିଲେ। ତାଙ୍କ ପୃଷ୍ଠପୋଷକତାରେ ଓଡ଼ିଆ ଭାଷା ଓ ସାହିତ୍ୟର ବିଶେଷ ଉନ୍ନତି ହୋଇଥିଲା। ଏହି ସମୟରେ ଆଦିକବି ସାରଳା ଦାସ ଓଡ଼ିଆ ମହାଭାରତ ରଚନା କରି ଭାଷାକୁ ନୂଆ ମାର୍ଗ ଦେଇଥିଲେ।

କପିଳେନ୍ଦ୍ର ଦେବ କଳା, ସଂସ୍କୃତି ଓ ନିର୍ମାଣ କାର୍ଯ୍ୟରେ ମଧ୍ୟ ଅଗ୍ରଗାମୀ ଥିଲେ। ତାଙ୍କ ଶାସନକାଳକୁ ଉତ୍କଳର ସୁବର୍ଣ୍ଣ ଅଧ୍ୟାୟ ବୋଲି ମନାଯାଏ।

ଓଡ଼ିଶାର ପ୍ରସିଦ୍ଧ ଦିଗବିଜୟୀ ସମ୍ରାଟ କପିଳେନ୍ଦ୍ର ଦେବ ୧୪୩୪ ମସିହା ଜୁନ ୨୯ ତାରିଖରେ ସିଂହାସନ ଆରୋହଣ କରିଥିଲେ। ରାଜ୍ୟାଭିଷେକ ପରେ ସେ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ରଦେବତା ଭାବେ ଘୋଷଣା କରି ଉତ୍କଳର ଧାର୍ମିକ ଐକ୍ୟକୁ ମଜବୁତ କରିଥିଲେ। ଆଜିର ଦିନଟି ତାଙ୍କ ରାଜ୍ୟାଭିଷେକ ଦିବସ ଭାବେ ସ୍ମରଣ କରାଯାଉଛି।

ଇତିହାସ ଅନୁଯାୟୀ, ତାଙ୍କ ପୂର୍ବପୁରୁଷ ଦକ୍ଷିଣ ଓଡ଼ିଶାରୁ ଆସିଥିଲେ। ପ୍ରଥମେ ସେ ଗଙ୍ଗ ରାଜାଙ୍କ ସେନାରେ ‘ରାଉତ’ ଭାବେ ଯୋଗ ଦେଇଥିଲେ ଏବଂ ପରେ ‘ନାୟକ’ ପଦକୁ ଉନ୍ନତ ହୋଇଥିଲେ । ତାଙ୍କ ସାହସ ଓ କୌଶଳ ଦ୍ୱାରା ସେ ରାଜସିଂହାସନ ପର୍ଯ୍ୟନ୍ତ ପହଞ୍ଚିଥିଲେ ।

ମାଦଳାପାଞ୍ଜିର କଥାନୁସାରେ, ଶ୍ରୀଜଗନ୍ନାଥଙ୍କ ସ୍ୱପ୍ନାଦେଶ ପାଇ ଚତୁର୍ଥ ଭାନୁଦେବ ଦରିଦ୍ର ବାଳକ ‘କପିଳ ରାଉତ’ଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ । ଗଙ୍ଗ ରାଜା ଅପୁତ୍ରକ ଥିବାରୁ ଉତ୍ତରାଧିକାରରେ କପିଳେନ୍ଦ୍ରଙ୍କୁ ରାଜସିଂହାସନ ମିଳିଥିଲା। ପରେ ସେ ସୂର୍ଯ୍ୟବଂଶର ଶାସନ ଆରମ୍ଭ କରି ଉତ୍କଳକୁ ଶକ୍ତିଶାଳୀ ସାମ୍ରାଜ୍ୟରେ ପରିଣତ କରିଥିଲେ।

କପିଳେନ୍ଦ୍ରଙ୍କ ସିଂହାସନ ଆରୋହଣକୁ ଜଗନ୍ନାଥସମ୍ମତ ଅର୍ଥାତ ଯୁକ୍ତିଯୁକ୍ତ ବୋଲି ଗ୍ରହଣ କରିନେବା ସକାଶେ ମାଦଳାପାଞ୍ଜିରେ କିମ୍ବଦନ୍ତୀ ସୃଷ୍ଟି ହୋଇଥିବା ମନେହୁଏ । ଭାନୁଦେବ ଦୁର୍ବଳ ଥିଲେ ଏବଂ ବିଭିନ୍ନ ଯୁଦ୍ଧରେ ପରାଜୟ ବରଣ କଲା ପରେ ତାଙ୍କ ଲୋକପ୍ରିୟତା ହ୍ରାସ ପାଇଥିଲା ।

ରାଜା ଭାନୁଦେବ ବିଦ୍ରୋହ ଦମନ ପାଇଁ ରାଜଧାନୀ ବାହାରକୁ ଯାଇଥିବା ଅବସରରେ ସେନାନାୟକ କପିଳେନ୍ଦ୍ର, ପାତ୍ର ମନ୍ତ୍ରୀଙ୍କ ସହଯୋଗରେ ସିଂହାସନ ଆରୋହଣ କଲେ ଏବଂ ରାଜା ହେବା ପରେ ଭାନୁଦେବଙ୍କୁ ରାଜଧାନୀକୁ ଫେରିବାକୁ ଦେଇ ନଥିଲେ । ଫଳରେ ଗଙ୍ଗ ବଂଶର ଶେଷ ରାଜା ସିଂହାସନରୁ ବଞ୍ଚିତ ହୋଇ ଗୁଡାରି କଟକ ନାମକ ସ୍ଥାନରେ ଶେଷ ସମୟ ଅତିବାହିତ କରିଥିଲେ ।

ଗଙ୍ଗ ବଂଶ ବିରୁଦ୍ଧରେ କପିଳେନ୍ଦ୍ରଙ୍କ ଶାନ୍ତିପୂର୍ଣ୍ଣ ବିଦ୍ରୋହର ପୁଷ୍ଟିପାଇଁ ଅନ୍ୟ ଏକ ତଥ୍ୟ ହେଲା ଯେ, ଗଙ୍ଗରାଜାଙ୍କ ପୋଷ୍ୟପୁତ୍ର ହୋଇଥିଲେ ତାଙ୍କୁ ଏକ ନୂତନ ରାଜବଂଶ ପ୍ରତିଷ୍ଠା କରିବାକୁ ପଡ଼ିନଥାନ୍ତା । କପିଳେନ୍ଦ୍ରଙ୍କୁ ସିଂହାସନ ଆରୋହଣରେ ଗଙ୍ଗଶାସନର କେତେକ ପ୍ରମୁଖ ଅଧିକାରୀ ଯଥା ମହାପାତ୍ର ଗୋପୀନାଥ, ଜଳେଶ୍ୱର ସେନା ନରେନ୍ଦ୍ର ଓ କାଶୀ ବିଦ୍ୟାଧର ସହଯୋଗ କରିଥିଲେ ।

ଓଡ଼ିଶାର ପ୍ରସିଦ୍ଧ ଗଜପତି ସମ୍ରାଟ କପିଳେନ୍ଦ୍ର ଦେବଙ୍କୁ ନେଇ ଲୋକମୁଖେ ଅନେକ ରୋଚକ କାହାଣୀ ପ୍ରଚଳିତ ଅଛି। ପୁରାତନ ମାଦଳାପାଞ୍ଜିରେ ତାଙ୍କ ଜୀବନ ସମ୍ବନ୍ଧୀୟ କିଛି ଆଶ୍ଚର୍ୟଜନକ ଘଟଣା ଉଲ୍ଲେଖ ମିଳେ। ସେଥିରୁ ଗୋଟିଏ କାହାଣୀ ଅନୁଯାୟୀ, ଶିଶୁ କପିଳଙ୍କ ମୁଣ୍ଡ ଉପରେ ସାପ ଫଣା ପ୍ରସାରି ଛାୟା ଦେଇଥିଲା, ଯାହାକୁ ତାଙ୍କ ଭବିଷ୍ୟତ ରାଜ୍ୟ ଭାଗ୍ୟର ସଙ୍କେତ ବୋଲି ମନାଯାଏ ।

ପୁରୀର ଗଜପତି ମହାରାଜଙ୍କ ସହ ଜଡିତ ଅନେକ ପାରମ୍ପରିକ ନୀତି-ନିୟମ ଆଜିଯାଏ ଚାଲିଆସୁଛି। ପରମ୍ପରା ଅନୁସାରେ, ଗଜପତିଙ୍କ ପାର୍ଥିବ ଦେହ ରାଜମହଲର ମୁଖ୍ୟ ଦ୍ୱାର ଦେଇ ବାହାର କରାଯାଏ ନାହିଁ। ଏହା ରାଜପରିବାରର ଏକ ପ୍ରାଚୀନ ପ୍ରଥା ବୋଲି ମନାଯାଏ।

ଗଜପତି ନିଜକୁ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ଭାବେ ମାନନ୍ତି ଏବଂ ନିତ୍ୟ ଭାବେ ନିଜ ଇଷ୍ଟଦେବୀଙ୍କ ଆରାଧନା କରନ୍ତି। ସେ ସାଧାରଣ ଜୀବନ ଅନୁସରଣ କରି କୌଣସି ପ୍ରକାର ଅନୁଗ୍ରହ ବା ପ୍ରତିଗ୍ରହରୁ ଦୂରେ ରହନ୍ତି। ଖାଦ୍ୟ ପାନରେ ମଧ୍ୟ ସେ ନିୟମିତ ଓ ସାତ୍ତ୍ୱିକ ପଦ୍ଧତିକୁ ଅନୁସରଣ କରନ୍ତି ।

ଶ୍ରୀମନ୍ଦିରକୁ ଯିବାବେଳେ ମଧ୍ୟ ନିର୍ଦ୍ଦିଷ୍ଟ ପରମ୍ପରା ଅଛି। ବିଶେଷ ରାଜନୀତି ସେବା ସମୟରେ ସେ ସିଂହଦ୍ୱାର ଦେଇ ପ୍ରବେଶ କରନ୍ତି, ଅନ୍ୟ ସମୟରେ ଦକ୍ଷିଣ ଦ୍ୱାର ବ୍ୟବହାର କରନ୍ତି। ଯଦି କେବେ ସେ ଉପସ୍ଥିତ ନଥାନ୍ତି, ତେବେ ଶ୍ରୀଜୀଉଙ୍କ ନିତ୍ୟ ସେବା ପାଇଁ ଜଣେ ନାବାଳକ ପୁଷ୍ପାଳକଙ୍କୁ ନିଯୁକ୍ତ କରାଯାଏ।

ଦେଶ ସ୍ୱାଧୀନ ହେବା ପରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତକୁ ଯାଇଥିଲେ ମଧ୍ୟ, ଗଜପତି ମହାରାଜଙ୍କୁ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ରଖାଯାଇଛି। ଏହା ଦ୍ୱାରା ପରମ୍ପରା ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ରହିଆସିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score