Explore

Search

February 15, 2026 4:21 am

ତୁ ମୋର ପ୍ରଥମ ପ୍ରେମ, ତୁ ହିଁ ମୋ ଭାଲେଣ୍ଟାଇନ…

ତୁ ମୋର ପ୍ରଥମ ପ୍ରେମ । ତୁ ହିଁ ମୋ ଭାଲେଣ୍ଟାଇନ । ସାରାଜୀବନ ତୋ ସହ ରହିବାକୁ ଚାହେଁ । ଏପରି ଭାବନାଭରା ସନ୍ଦେସ ଶୁକ୍ରବାର ରାତି ୧୨ଟା ପରେ ଅନେକ ଯୁବ ଯୁବତୀଙ୍କ ମୋବାଇଲରେ ପହଞ୍ଚିଥିଲା । ହ୍ୱାଟସଆପ, ଇନଷ୍ଟାଗ୍ରାମ ଓ ଫେସବୁକରେ ଷ୍ଟାଟସ ଓ ଷ୍ଟୋରୀ ପୋଷ୍ଟ କରି ପରସ୍ପରକୁ ଟ୍ୟାଗ କରିବା ସହ ଭଲପାଇବାର ଶୁଭେଚ୍ଛା ବାଣ୍ଟିଥିଲେ ପ୍ରେମୀ ଯୁଗଳ । ଡିଜିଟାଲ ଯୁଗରେ ଭାଲପାଇବାର ଅଭିବ୍ୟକ୍ତି ଏବେ ସୋସିଆଲ ମିଡିଆ ମାଧ୍ୟମରେ ଅଧିକ ରଙ୍ଗିନ ହୋଇଯାଇଛି ।

ଆଜିର ଏହି ସ୍ୱତନ୍ତ୍ର ଦିନକୁ ନେଇ ଯୁବପୀଢ଼ିଙ୍କ ଭିତରେ ଭରି ରହିଛି ବେଶ ଆନନ୍ଦ । କେଉଁଠି ସାଥୀଙ୍କୁ ଭେଟିବେ, କେଉଁଠି ଡିନର କରିବେ ସବୁ କିଛି ନେଇ ଆଗରୁ ପ୍ରସ୍ତୁତ କରାଯାଇଥିଲା। ବାସ କେବଳ ଏଇ ମୁହୁର୍ତକୁ ଥିଲା ଅପେକ୍ଷା । ଏନେଇ ଆଜି ସହରର ଅନେକ କଫି ସପ୍‌, ପାର୍କ ଓ ମଲ ଗୁଡ଼ିକରେ ଦେଖାଯାଇଥିଲା ପ୍ରେମର ଉତ୍ସବମୟ ପରିବେଶ।

ତଥାପି ଅନେକଙ୍କ ମତରେ, ପ୍ରେମକୁ ଗୋଟିଏ ଦିନରେ ସୀମିତ କରିହେବ ନାହିଁ । ଭଲପାଇବା ଏକ ଅନୁଭବ, ଯାହା ଜୀବନର ପ୍ରତ୍ୟେକ ଦିନରେ ଅନୁଭୂତ ହୁଏ । ଭାଲେଣ୍ଟାଇନସ ଡେ କେବଳ ଏକ ଅବସର, ଯାହା ମାଧ୍ୟମରେ ମନର କଥାକୁ ସ୍ପଷ୍ଟ ଭାବେ କହିବାର ସୁଯୋଗ ମିଳେ।

ସତ୍ୟ ପ୍ରେମ ସମୟ ଓ ସୀମାକୁ ଅଟକାଇ ପାରେନି । Romeo ଓ Julietଙ୍କ ପ୍ରେମ କାହାଣୀ ଆଜି ମଧ୍ୟ ଦୁନିଆରେ ଅମର ଉଦାହରଣ ଭାବେ ଉଲ୍ଲେଖ ହୁଏ। ଏଭଳି ଅନେକ ପ୍ରେମ କାହାଣୀ ସମାଜକୁ ସତ୍ୟ ଓ ନିଷ୍ଠାପୂର୍ଣ୍ଣ ଭଲପାଇବାର ପାଠ ପଢ଼ାଇ ଆସୁଛି।

ସେହିପରି, ଏକ ଦିନର ଉତ୍ସବ ହେଲେ ମଧ୍ୟ ଭାଲେଣ୍ଟାଇନସ ଡେ’ ମାନବ ସମ୍ପର୍କରେ ନୂଆ ଉତ୍ସାହ ଓ ଭାବନାର ସଞ୍ଚାର କରିଥାଏ । ପ୍ରେମ ଏକ ଦିନର ନୁହେଁ, ସାରାଜୀବନର ଏକ ଯାତ୍ରା । ଯାହା ସମୟକୁ ଅଟକାଇ ନଥାଏ, ବରଂ ମନକୁ ଆଲୋକିତ କରି ରହେ ।

କେବେଠୁ ଆରମ୍ଭ ଭାଲେଣ୍ଟାଇନ୍ସ ଡେ ?

ଭାଲେଣ୍ଟାଇନ୍ସ ଡେ’ କୌଣସି ଦିବସର ନାଁ ନୁହେଁ ରୋମର ଜଣେ ସନ୍ଥଙ୍କ ନାମ। ଭାଲେଣ୍ଟାଇନ୍ସ ଡେ’ର ପର୍ବ ଆରମ୍ଭ ହୁଏ ରୋମାନ ରାଜତ୍ୱ କାଳରୁ । ପ୍ରେମ ଓ ସମର୍ପଣର ପ୍ରତୀକ ଭାବେ ପରିଚିତ ଭାଲେଣ୍ଟାଇନସ ଡେ’ର ପଛରେ ରହିଛି ଏକ ଐତିହାସିକ କାହାଣୀ । କଥା ଅନୁସାରେ, ପୁରାତନ ରୋମ ସାମ୍ରାଜ୍ୟରେ ଏକ ଧର୍ମଗୁରୁ Saint Valentine ବସବାସ କରୁଥିଲେ । ସେ ସମୟରେ ରୋମର ଶାସକ ସେନା ମାନଙ୍କୁ ବିବାହ ନକରିବାକୁ ଆଦେଶ ଜାରି କରିଥିଲେ। ରାଜାଙ୍କ ମତ ଥିଲା, ଅବିବାହିତ ସୈନ୍ୟମାନେ ଯୁଦ୍ଧରେ ଅଧିକ ସମର୍ପିତ ରହିପାରିବେ।

କିନ୍ତୁ ସେଣ୍ଟ ଭାଲେଣ୍ଟାଇନ ଏହି ନିର୍ଦ୍ଦେଶକୁ ଅନ୍ୟାୟ ମନେ କରୁଥିଲେ। ସେ ପ୍ରେମ ଓ ବିବାହକୁ ପବିତ୍ର ବନ୍ଧନ ଭାବେ ଦେଖୁଥିଲେ ଏବଂ ଯୁବ ଯୁଗଳଙ୍କୁ ଗୁପ୍ତଭାବେ ବିବାହ କରାଇ ସହାୟତା କରୁଥିଲେ। ଏହା ରାଜଦରବାରରେ ପହଞ୍ଚିବା ପରେ ରାଜା କ୍ରୁଦ୍ଧ ହୋଇ ସେଠାରୁ ତାଙ୍କୁ ଗିରଫ କରାଇଥିଲେ।

ବନ୍ଦୀ ଅବସ୍ଥାରେ ମଧ୍ୟ ସେ ପ୍ରେମ ଓ ଆଶାର ସନ୍ଦେଶ ଦେଇଥିଲେ । ଶେଷରେ ଖ୍ରୀଷ୍ଟାବ୍ଦ ୨୬୯ ମସିହାର ଫେବୃଆରୀ ୧୪ ତାରିଖରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା କୁହାଯାଏ । ସେହି ଦିନ ଠାରୁ ତାଙ୍କର ତ୍ୟାଗକୁ ସ୍ମରଣ କରି ଫେବୃଆରୀ ୧୪କୁ ପ୍ରେମ ଓ ସମର୍ପଣର ଦିବସ ଭାବେ ପାଳନ କରାଯାଉଛି ।

ସମୟ ବିତିବା ସହ ଏହି ଦିନଟି ବିଶ୍ୱବ୍ୟାପୀ ଭାବେ ‘ଭାଲେଣ୍ଟାଇନସ ଡେ’ ଭାବେ ପରିଚିତ ହୋଇଯାଇଛି । ଏହା କେବଳ ଏକ ଉତ୍ସବ ନୁହେଁ, ବରଂ ପ୍ରେମ, ତ୍ୟାଗ ଓ ନିଷ୍ଠାର ସ୍ମୃତି ଚିହ୍ନ ଭାବେ ମନାଯାଏ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score