ଭୁବନେଶ୍ୱର : ଅମାନିଆ ଚାଳକଙ୍କୁ ନେଇ ଏବେ କଠୋର ରୂପ ନେଲା ପ୍ରଶାସନ । ଆଜି ଠାରୁ ରାଜ୍ୟରେ ଟ୍ରାଫିକ ନିୟମରେ ବଡ ପରିବର୍ତ୍ତନ ହୋଇଛି । ଆରମ୍ଭ ହୋଇଛି କଡ଼ା ଯାଞ୍ଚ । ଏପରିକି ଟ୍ରାଫିକ ନିୟମ ଭଙ୍ଗ କରୁଥିବା ଚାଳକଙ୍କ ବିରୋଧରେ ହେବ କଠିନ କାର୍ଯ୍ୟାନୁଷ୍ଠାନ। ଏନେଇ ୧୦ ଦିନିଆ ବିଶେଷ ଅଭିଯାନ ବା ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯାଇଛି । ଏହି ଡ୍ରାଇଭରେ ପରିବହନ ବିଭାଗ ଓ ପୋଲିସ ରାସ୍ତା ଉପରେ ଗାଡି ଗୁଡିକୁ ଜୋରଦାର ଚେକିଂକୁ କରୁଛନ୍ତି ।
ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ କେବଳ ଜରିମାନା ଆଦାୟ ନୁହେଁ, ବରଂ ଲୋକମାନଙ୍କ ମଧ୍ୟରେ ସଡ଼କ ସୁରକ୍ଷା ପ୍ରତି ସଚେତନତା ବଢ଼ାଇବା। ଓଭରସ୍ପିଡ ଚାଳନ, ମଦ୍ୟପାନ କରି ଡ୍ରାଇଭ, ହେଲମେଟ ବିନା ଯାତ୍ରା, ସିଟ ବେଲଟ ଅବହେଳା, ଓଭରଲୋଡିଂ ଓ ଆବଶ୍ୟକ ଦଲିଲ ନଥିବା ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜ୍ୟର ସମସ୍ତ ଆରଟିଓ ଅଞ୍ଚଳରେ ଏହି ଅଭିଯାନକୁ ବ୍ୟାପକ ଭାବେ କାର୍ଯ୍ୟରତ କରାଯାଇଛି।
ପରିବହନ ଅଧିକାରୀମାନେ କହିଛନ୍ତି, ନିୟମ ଭଙ୍ଗ କରୁଥିବା କୌଣସି ଚାଳକଙ୍କୁ ଛାଡ଼ ଦିଆଯିବ ନାହିଁ । ତେଣୁ ଗାଡ଼ି ଚଳାଉଥିବା ସମୟରେ ଡ୍ରାଇଭିଂ ଲାଇସେନ୍ସ, ଆରସି, ପିୟୁସି ଭଳି ସମସ୍ତ କାଗଜପତ୍ର ସହିତ ହେଲମେଟ ଓ ସିଟ ବେଲଟ ବ୍ୟବହାର କରିବାକୁ ଆହ୍ୱାନ ଜାରି କରାଯାଇଛି ।
ଅନ୍ୟପକ୍ଷରେ ଏହି କଡ଼ା ଅଭିଯାନ ମଧ୍ୟରେ ଗାଡ଼ି ଚାଳକଙ୍କ ପାଇଁ ଆସିଛି ଆଉ ଏକ ବଡ ଖବର । ପୁରୁଣା ବକେୟା ଇ-ଚାଲାଣ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ‘ୱାନ ଟାଇମ ସେଟେଲମେଣ୍ଟ’ (ଓଟିଏସ) ଯୋଜନା ଘୋଷଣା କରିଛନ୍ତି । ଏହା ଅନୁସାରେ ଆଗାମୀ ଜାତୀୟ ଲୋକ ଅଦାଲତରେ ଚାଳକମାନେ ଅର୍ଧ ଜରିମାନା ଦେଇ ନିଜର ମାମଲା ଶେଷ କରିପାରିବେ।
ଦୀର୍ଘଦିନ ଧରି ଅଦାଲତରେ ପଡ଼ିଥିବା ଟ୍ରାଫିକ ମାମଲାକୁ ସମାଧାନ କରିବାସହ ବିଚାର ବ୍ୟବସ୍ଥାର ଭାର କମେଇବା ହେଉଛି ଏହି ଯୋଜନାର ଲକ୍ଷ୍ୟ। ଯଦି କୌଣସି ମାମଲା କୋର୍ଟରେ ବିଚାରଧୀନ ଅଛି, ତେବେ ଜରିମାନା ଦେବା ପରେ ସେହି ମାମଲାକୁ ପ୍ରତ୍ୟାହାର କରାଯିବ।
ଚାଳକମାନେ ଅନଲାଇନ ଇ-ଚାଲାଣ ପୋର୍ଟାଲ କିମ୍ବା ଲୋକ ଅଦାଲତ ଶିବିର ମାଧ୍ୟମରେ ଏହି ସୁବିଧାର ଲାଭ ଉଠାଇପାରିବେ। ସରକାରଙ୍କ ଏହି ଦୁଇମୁଖୀ ପଦକ୍ଷେପ କଡ଼ା ନିୟମ ଓ ରିହାତି ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ସହିତ ଚାଳକମାନଙ୍କୁ ନିୟମ ପାଳନ ପାଇଁ ପ୍ରେରିତ କରିବ ବୋଲି ଆଶା କରାଯାଉଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
