ଭୁବନେଶ୍ୱର : ଆସନ୍ତା ଶୁକ୍ରବାର ଓଡ଼ିଶା ବିଧାନସଭାରେ ରାଜ୍ୟର ବଜେଟ ପ୍ରସ୍ତୁତ ହେବାକୁ ଯାଉଛି । ତାହା ପୂର୍ବରୁ ଗୁରୁବାର ଗୃହରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ଉପସ୍ଥାପିତ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏହି ସର୍ଭେ ରିପୋର୍ଟକୁ ବିଧାନସଭାରେ ରଖିଥିଲେ ।
ସର୍ଭେର ତଥ୍ୟ ଅନୁସାରେ, ରାଜ୍ୟର ସାମଗ୍ରିକ ଅର୍ଥନୀତି ଦୃଢ଼ ଭାବରେ ଅଗ୍ରସର ହେଉଛି ଓ ଅଭିବୃଦ୍ଧି ହାର ଜାତୀୟ ହାରକୁ ଅତିକ୍ରମ କରିଥିବା ଉଲ୍ଲେଖ ରହିଛି । ସ୍ଥିରତା ସହିତ ଦ୍ରୁତ ବୃଦ୍ଧି ପଥରେ ଓଡ଼ିଶା ଅଗ୍ରଗାମୀ ହେଉଥିବା ଚିତ୍ର ପ୍ରକାଶ ପାଇଛି ।
କୃଷି ଖାତାରେ ଉତ୍ପାଦନ ବୃଦ୍ଧି, ଶିଳ୍ପ କ୍ଷେତ୍ରରେ ନିବେଶ ବୃଦ୍ଧି, ସେବା ଖାତାରେ ଆର୍ଥିକ କ୍ରିୟାକଳାପର ବିସ୍ତାର ଓ ଭିତ୍ତିଭୂମି ଉନ୍ନତିରେ ଗତି ଆସିଥିବା ରିପୋର୍ଟରେ ଉଲ୍ଲେଖ ଅଛି । ସେପରି ସାମାଜିକ କ୍ଷେତ୍ର, ଶିକ୍ଷା, ସ୍ୱାସ୍ଥ୍ୟ ଓ କଳ୍ୟାଣମୂଳକ ଯୋଜନାମାନେରେ ମଧ୍ୟ ଲକ୍ଷଣୀୟ ପ୍ରଗତି ହୋଇଥିବା କଥା ଉଲ୍ଲେଖ ହୋଇଛି । ଆସନ୍ତାକାଲି ପ୍ରସ୍ତୁତ ହେବାକୁ ଯାଉଥିବା ବଜେଟରେ ଏହି ସର୍ଭେ ରିପୋର୍ଟର ତଥ୍ୟ ଓ ନୀତିଗତ ଦିଗଦର୍ଶନର ପ୍ରଭାବ ପଡ଼ିବ ବୋଲି ଆଶା କରାଯାଉଛି ।
ଜାତୀୟ ହାରକୁ ଅତିକ୍ରମ କଲା ଓଡ଼ିଶାର ବୃଦ୍ଧି ହାର :
ରାଜ୍ୟର ଅର୍ଥନୀତି ଚଳିତ ଆର୍ଥିକ ବର୍ଷରେ ଦୃତ ଗତିରେ ଅଗ୍ରସର ହେଉଥିବା ଚିତ୍ର ପ୍ରକାଶ ପାଇଛି । ନୂତନ ଆନୁମାନିକ ତଥ୍ୟ ଅନୁସାରେ, ଓଡ଼ିଶାର ମୋଟ ରାଜ୍ୟ ଘରୋଇ ଉତ୍ପାଦ (GSDP) ପ୍ରାୟ ୯.୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବାକୁ ଯାଉଛି । ପୂର୍ବବର୍ଷ ସହିତ ତୁଳନା କରିଲେ ଏଥର ୯.୫ ପ୍ରତିଶତ ବୃଦ୍ଧି ହେବାର ଅନୁମାନ ରହିଛି ।
ବାସ୍ତବ ଅର୍ଥନୈତିକ ବୃଦ୍ଧି ହାର ୭.୯ ପ୍ରତିଶତ ରହିବା ଆଶା କରାଯାଇଛି । ଯାହା ଜାତୀୟ ହାରାହାରି ୭.୪ ପ୍ରତିଶତ ଠାରୁ ଉଚ୍ଚ । ଏହା ଦର୍ଶାଉଛି ଯେ ଓଡ଼ିଶାର ଅର୍ଥନୀତି ଦେଶର ସାଧାରଣ ବୃଦ୍ଧି ହାରକୁ ଅତିକ୍ରମ କରି ଅଗ୍ରଗାମୀ ହେଉଛି । କୃଷି, ଶିଳ୍ପ ଓ ସେବା ଖାତାରେ ସମନ୍ୱିତ ପ୍ରଗତି ଏହି ବୃଦ୍ଧିର ପ୍ରମୁଖ ଆଧାର ଭାବେ ଚିହ୍ନଟ ହୋଇଛି । ଅର୍ଥନୈତିକ ସୁଧାର, ନିବେଶ ବୃଦ୍ଧି ଓ ଭିତ୍ତିଭୂମି ଉନ୍ନତିର ପରିଣାମରୂପେ ରାଜ୍ୟ ଅର୍ଥନୀତି ଦୃଢ଼ ଭିତିରେ ଆଗକୁ ବଢ଼ୁଥିବା ବିଶ୍ଳେଷକମାନେ ମତ ପ୍ରକାଶ କରିଛନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
