ବିଶ୍ୱର ସର୍ବଧନୀୟ ଉଦ୍ୟୋଗପତି Elon Musk ପୁଣିଥରେ ତାଙ୍କ ଦୃଢ଼ ଓ ଦୂରଦର୍ଶୀ ଚିନ୍ତାଧାରା ଦ୍ୱାରା ଚର୍ଚ୍ଚାରେ । ଏବେ ସେ ଚନ୍ଦ୍ରପୃଷ୍ଠରେ ଏକ ଏଆଇ-କେନ୍ଦ୍ରିତ ସାଟେଲାଇଟ କାରଖାନା ସ୍ଥାପନା କରିବାକୁ ନୂତନ ପ୍ରସ୍ତାବ ଆଣିଛନ୍ତି । କୃତ୍ରିମ ବୁଦ୍ଧିମତ୍ତା (AI)ର ଭବିଷ୍ୟତକୁ ଶକ୍ତି ଓ ପ୍ରାଣ ଯୋଗାଇବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି ।
ତାଙ୍କ ନେତୃତ୍ୱଧୀନ କମ୍ପାନୀ xAIର କର୍ମଚାରୀଙ୍କ ସହ ହୋଇଥିବା ଏକ ଆଭ୍ୟନ୍ତରୀଣ ବୈଠକରେ ମସ୍କ ଏହି ମହତ୍ୱକାଂକ୍ଷୀ ଯୋଜନା ବିଷୟରେ ଖୋଲାମେଳା ଆଲୋଚନା କରିଥିବା ଜଣାପଡ଼ିଛି । ସେ କହିଛନ୍ତି ଯେ, ପୃଥିବୀର ସୀମାକୁ ଟପି ଚନ୍ଦ୍ରରେ ଉଦ୍ୟୋଗ ଗଢ଼ିବା ମାନବ ସଭ୍ୟତା ପାଇଁ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ।
ମସ୍କଙ୍କ ଦୃଷ୍ଟିରେ ଚନ୍ଦ୍ରରେ କେବଳ କାରଖାନା ନୁହେଁ, ଆଗାମୀ ଦିନରେ ଏକ ସହର ଗଢ଼ିବାର ସମ୍ଭାବନା ମଧ୍ୟ ରହିଛି। ସେଠାରୁ ମଙ୍ଗଳ ଗ୍ରହ ଓ ସୌରମଣ୍ଡଳର ଅନ୍ୟ ଗ୍ରହଗୁଡ଼ିକୁ ଯାତ୍ରା କରିବା ଅଧିକ ସହଜ ଓ ରୋମାଞ୍ଚକର ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି। ତାଙ୍କ ମତାନୁସାରେ, ବ୍ରହ୍ମାଣ୍ଡ ଅନ୍ୱେଷଣ କରିବା ମାନବଜାତିର ଅଗ୍ରଗତି ପାଇଁ ଅନିବାର୍ଯ୍ୟ ।
ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ମାନବଜାତି ଭିନ୍ନ ନକ୍ଷତ୍ରମଣ୍ଡଳକୁ ଯାତ୍ରା କରିବାରେ ସକ୍ଷମ ହୁଏ, ତେବେ ଭବିଷ୍ୟତରେ ଅଜଣା ଜୀବ ଅଥବା ଏଲିୟନ ସହ ସାକ୍ଷାତ ହେବାର ସମ୍ଭାବନାକୁ ମଧ୍ୟ ଅସ୍ୱୀକାର କରିହେବ ନାହିଁ। ଏହା ପାଇଁ ଆମକୁ ପୃଥିବୀର ସୀମା ଛାଡ଼ି ବୃହତ ବ୍ରହ୍ମାଣ୍ଡକୁ ଅନ୍ୱେଷଣ କରିବାକୁ ହେବ।
ବର୍ତ୍ତମାନ ଏଆଇ ପ୍ରତିଯୋଗିତା ଦୃତ ଗତିରେ ଆଗକୁ ବଢ଼ୁଛି । ଏହି ପରିସ୍ଥିତିରେ xAI କୁ ଅଗ୍ରସାରୀ ରଖିବା ପାଇଁ ପୃଥିବୀର ପାରମ୍ପରିକ ଡାଟା ସେଣ୍ଟର ଉପରେ ନିର୍ଭର କରିବା ପ୍ରୟାପ୍ତ ନୁହେଁ ବୋଲି ମସ୍କ ମନେ କରୁଛନ୍ତି। ଏହି କାରଣରୁ ଚନ୍ଦ୍ରରେ ଏକ ଏଆଇ-କେନ୍ଦ୍ରିତ ସାଟେଲାଇଟ ଉତ୍ପାଦନ କେନ୍ଦ୍ର ସ୍ଥାପନା କରିବାର ଯୋଜନା ତିଆରି ହୋଇଛି।
ଏହି କାରଖାନାରେ ପ୍ରସ୍ତୁତ ସାଟେଲାଇଟ ଗୁଡ଼ିକୁ “ମାସ ଡ୍ରାଇଭର” ନାମକ ଶକ୍ତିଶାଳୀ ବିଦ୍ୟୁତ ଚୁମ୍ବକୀୟ ପ୍ରଣାଳୀ ଦ୍ୱାରା ଅନ୍ତରିକ୍ଷ କକ୍ଷରେ ପ୍ରେରଣ କରାଯିବ। ଏହା ଦ୍ୱାରା ଇନ୍ଧନ ଖର୍ଚ୍ଚ କମିବା ସହ ସ୍ପେସ ମିଶନର କ୍ଷମତା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।
ଯଦି ଏହି ପରିକଳ୍ପନା ସାର୍ଥକ ହୁଏ, ତେବେ ମାନବ ଇତିହାସରେ ଏହା ଅନ୍ତରିକ୍ଷ ଶିଳ୍ପରେ ଏକ ବଡ଼ ବିପ୍ଲବ ସୃଷ୍ଟି କରିପାରେ। ଚନ୍ଦ୍ରରେ ଏଆଇ କାରଖାନା ସ୍ଥାପନା କେବଳ ପ୍ରଯୁକ୍ତି ନୁହେଁ, ମାନବ ସଭ୍ୟତାର ଆଗାମୀ ପଦକ୍ଷେପ ଭାବେ ମଧ୍ୟ ଦେଖାଯାଉଛି ।
ବିଶ୍ୱ ପ୍ରଯୁକ୍ତି ଜଗତର ଅଗ୍ରଣୀ ଉଦ୍ୟୋଗପତି Elon Musk ତାଙ୍କ ନୂତନ ଶକ୍ତି ଓ ଅନ୍ତରିକ୍ଷ ଯୋଜନାକୁ ନେଇ ପୁଣିଥରେ ଚର୍ଚ୍ଚାରେ ଆସିଛନ୍ତି। ନିକଟରେ ହୋଇଥିବା ଏକ ଆଭ୍ୟନ୍ତରୀଣ ବୈଠକରେ ସେ ମାନବ ସଭ୍ୟତାର ଉର୍ଜ୍ଜା ଆବଶ୍ୟକତା ଓ ତାହାର ଭବିଷ୍ୟତ ନେଇ ବ୍ୟାପକ ଭାବେ ମତ ପ୍ରକାଶ କରିଥିଲେ।
ମସ୍କଙ୍କ କହିବା ଅନୁସାରେ, ବର୍ତ୍ତମାନ ମାନବଜାତି ପୃଥିବୀର ଉପଲବ୍ଧ ମୋଟ ଉର୍ଜ୍ଜାର କେବଳ ୧ ପ୍ରତିଶତ ଉପଯୋଗ କରୁଛି। କିନ୍ତୁ ଯଦି ସୂର୍ଯ୍ୟର ମୋଟ ଉତ୍ସର୍ଜିତ ଶକ୍ତିର ମାତ୍ର ଏକ ଲକ୍ଷତମ ଅଂଶ ମଧ୍ୟ ଆମେ ଆହରଣ କରିପାରୁ, ତେବେ ସେହି ପରିମାଣ ବର୍ତ୍ତମାନ ମାନବ ସଭ୍ୟତା ବ୍ୟବହାର କରୁଥିବା ଉର୍ଜ୍ଜାଠାରୁ ଲକ୍ଷଗୁଣ ଅଧିକ ହେବ। ତାଙ୍କ ମତରେ, ଏହି ସମ୍ଭାବନାକୁ ସାକାର କରିବା ପାଇଁ ପୃଥିବୀ ସୀମା ଛାଡ଼ି ମହାକାଶକୁ ମୁହଁ ଦେବା ଆବଶ୍ୟକ।
ସେ କହିଛନ୍ତି, ତାଙ୍କର ଆଗାମୀ ଯୋଜନା ‘ଆର୍ଥ ଅର୍ବିଟାଲ ଡାଟା ସେଣ୍ଟର’ ସ୍ଥାପନା କରିବା। ଏହା ମହାକାଶରେ ପରିକ୍ରମା କରୁଥିବା ଏମିତି ଡାଟା ସେଣ୍ଟର ହେବ, ଯାହା ବିଶାଳ ପରିମାଣର ଶକ୍ତିକୁ ବ୍ୟବହାର କରି ଏଆଇ ପ୍ରଣାଳୀକୁ ସଚଳ ରଖିବ। ତାଙ୍କ ଅନ୍ତରିକ୍ଷ ସଂସ୍ଥା SpaceX ର ସହଯୋଗରେ ପ୍ରତିବର୍ଷ ୧୦୦ରୁ ୨୦୦ ଗିଗାୱାଟ କ୍ଷମତାର ଡାଟା ସେଣ୍ଟର ମହାକାଶକୁ ପ୍ରେରଣ କରିବାର ଯୋଜନା ରହିଛି।
ମସ୍କ ଉଲ୍ଲେଖ କରିଛନ୍ତି ଯେ, ଯଦି ଆମେ ୧ ଟେରାୱାଟରୁ ଅଧିକ ଶକ୍ତି ସଂଗ୍ରହ କରିବାକୁ ଚାହୁଁ, ତେବେ ଚନ୍ଦ୍ରକୁ ଆଧାର କରି ଏକ ନୂଆ ଢାଞ୍ଚା ଗଢ଼ିବାକୁ ପଡ଼ିବ। ତାଙ୍କ ଦୂରଦୃଷ୍ଟି ‘ଡାଇସନ ସ୍ଫିୟର’ ଧାରଣା ଉପରେ ଆଧାରିତ । ଏହି ଧାରଣା ଅନୁସାରେ ସୂର୍ଯ୍ୟକୁ ଚାରିପାଖରୁ ଘେରି ଏକ ବିଶାଳ ଢାଞ୍ଚା ତିଆରି କରାଯାଇ, ତାହାରୁ ବିପୁଳ ଶକ୍ତି ସଞ୍ଚୟ କରାଯାଇପାରେ।
ଏହି ପ୍ରକଳ୍ପ ଅନୁସାରେ ‘ମାସ ଡ୍ରାଇଭର’ ପ୍ରଣାଳୀ ମାଧ୍ୟମରେ ଚନ୍ଦ୍ରରୁ ଏଆଇ-କେନ୍ଦ୍ରିତ ସାଟେଲାଇଟ ଗୁଡ଼ିକୁ ପ୍ରେରଣ କରାଯିବ। ସେଗୁଡ଼ିକ ସୂର୍ଯ୍ୟ ପରିକ୍ରମା କରି ଏକ ଜାଲ ବା ଘେରା ସୃଷ୍ଟି କରିବ, ଯାହା ମାଧ୍ୟମରେ ବହୁଳ ପରିମାଣର ସୂର୍ଯ୍ୟ ଶକ୍ତି ଆହରଣ ଓ ସଞ୍ଚୟ କରିପାରିବ।
ଯଦି ଏହି ପରିକଳ୍ପନା ସଫଳ ହୁଏ, ତେବେ ମାନବ ସଭ୍ୟତା ଶକ୍ତି ସଙ୍କଟକୁ ଅତିକ୍ରମ କରି ଏକ ନୂତନ ଶକ୍ତି ବିପ୍ଲବର ଦିଗରେ ଅଗ୍ରସର ହେବ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
