ବ୍ରହ୍ମପୁର : ଗୋପାଳପୁର ବେଳାଭୂମି ମହୋତ୍ସବରେ ସୁଦର୍ଶନଙ୍କ ବାଲୁକା କଳା ଓ ସଚେତନତାର ଡାକ । ବାଲୁକା କଳା ମାଧ୍ୟମରେ ସଡ଼କ ସୁରକ୍ଷା ଓ ପରିବେଶ ସଚେତନତାର ସୁସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ଶ୍ରୀଯୁକ୍ତ ସୁଦର୍ଶନ ପଟ୍ଟନାୟକ। ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମି ମହୋତ୍ସବ ଅବସରରେ ବାଲୁକା ଶିଳ୍ପୀ ବେଳାଭୂମିରେ ଦୁଇଟି ବିରାଟ ବାଲୁକା କଳା ତିଆରି କରି ସାଧାରଣ ଲୋକଙ୍କୁ ସଚେତନ କରିଛନ୍ତି ।
ଏହି ବାଲୁକା କଳା ମାଧ୍ୟମରେ ସଡ଼କରେ ସୁରକ୍ଷିତ ଯାତାୟାତ, ଟ୍ରାଫିକ ନିୟମ ପାଳନ ଓ ପରିବେଶ ସୁରକ୍ଷାର ଗୁରୁତ୍ୱ ବିଷୟରେ ସନ୍ଦେସ ଦିଆଯାଇଛି । ସୁଦର୍ଶନଙ୍କ ଏହି କଳାକୃତି ଦର୍ଶକଙ୍କୁ ଆକର୍ଷିତ କରିବା ସହିତ ସମାଜରେ ସଚେତନତା ବଢ଼ାଇବାରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଛି ।
ପ୍ରଥମ ବାଲୁକା କଳାକୃତିରେ ୧୦୦ଟି ହେଲମେଟ ବ୍ୟବହାର କରି ଏକ ବିରାଟ ହେଲମେଟ ଆକୃତି ତିଆରି କରାଯାଇଛି । ଏହି କଳାକୃତି ମାଧ୍ୟମରେ “ହେଲମେଟ ପିନ୍ଧନ୍ତୁ, ଜୀବନ ବଞ୍ଚାନ୍ତୁ” ଭଳି ସୁସ୍ପଷ୍ଟ ବାର୍ତ୍ତା ଦିଆଯାଇଛି । ବାଲୁକା କଳାର ସୃଜନାତ୍ମକ ରୂପକ ମାଧ୍ୟମରେ ଗାଡ଼ି ଚାଳକମାନଙ୍କୁ ସଡ଼କ ସୁରକ୍ଷା ପ୍ରତି ସଚେତନ କରାଯାଇଛି । ଯାହା ଦର୍ଶକମାନଙ୍କ ମଧ୍ୟରେ ବିଶେଷ ଆକର୍ଷଣ ସୃଷ୍ଟି କରିଛି ।
ଦ୍ୱିତୀୟ ବାଲୁକା ସ୍ଥାପନରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବ୍ୟବହାର କରି ଏକ ବିଶାଳ ମାଛର ମୂର୍ତ୍ତି ନିର୍ମାଣ କରିଛନ୍ତି । ଏହି କଳାକୃତି ପାଇଁ ପ୍ରାୟ ପାଞ୍ଚ କ୍ୱିଣ୍ଟାଲ ପ୍ଲାଷ୍ଟିକ ବୋତଲ ବ୍ୟବହୃତ ହୋଇଛି ।
ଏହା ମାଧ୍ୟମରେ “ଏକକ ବ୍ୟବହାର ପ୍ଲାଷ୍ଟିକକୁ ନା କୁହନ୍ତୁ” ଭଳି ଜରୁରୀ ପରିବେଶ ସୁରକ୍ଷା ସନ୍ଦେଶ ପ୍ରଦାନ କରାଯାଇଛି । ସୃଜନାତ୍ମକ କଳା ମାଧ୍ୟମରେ ଦିଆଯାଇଥିବା ଏହି ବାର୍ତ୍ତା ଦର୍ଶକମାନଙ୍କୁ ଗଭୀରଭାବେ ପ୍ରଭାବିତ କରିଥିବାବେଳେ, ଉଭୟ ସ୍ଥାପନ ସ୍ଥଳରେ ବ୍ୟାପକ ଜନସମାଗମ ଦେଖାଯାଇଛି ।
ଅନ୍ୟପକ୍ଷରେ ରାଜ୍ୟପାଳ ମହାମହିମ ଡ଼. ହରିବାବୁ କମ୍ଭମପତି ମହୋତ୍ସବ ସ୍ଥଳ ପରିଦର୍ଶନ କରି କଳାକୃତି ଦେଖିଛନ୍ତି । ସ୍ଥାପନା ମାଧ୍ୟମରେ ସାମାଜିକ ବାର୍ତ୍ତାକୁ ଖୁବ ପ୍ରଶଂସା କରିଛନ୍ତି ରାଜ୍ୟପାଳ । ବାଲୁକା କଳାରେ ତିଆରି ବାର୍ତ୍ତାକୁ ସାଧାରଣରେ ମଧ୍ୟ ପ୍ରଶଂସା କରାଯାଇଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
