ବ୍ରହ୍ମପୁର: ଖୁବଶୀଘ୍ର ଗଞ୍ଜାମ ଜିଲ୍ଲାରେ ରାଜ୍ୟର ସବୁଠାରୁ ବଡ଼ ବନ୍ଦର ନିର୍ମାଣ ଆରମ୍ଭ ହେବାକୁ ଯାଉଛି। ଚିକିଟି ବ୍ଲକର ସୁନାପୁର (ସୋନପୁର) ଅଞ୍ଚଳରେ ବାହୁଦା ମୁହାଣ ନିକଟରେ ଏହି ଆଧୁନିକ ବନ୍ଦର ଗଢ଼ି ଉଠିବ । ପ୍ରାୟ ୨୧ ହଜାର ୫୦୦ କୋଟି ଟଙ୍କା ବ୍ୟୟରେ ଏହି ବୃହତ ପ୍ରକଳ୍ପ କାର୍ଯ୍ୟରତ ହେବାକୁ ଯାଉଛି।
ନିର୍ମାଣ ଶେଷ ହେଲେ ବନ୍ଦରଟି ବାର୍ଷିକ ୧୫୦ ମିଲିୟନ ଟନ କାର୍ଗୋ ପରିବହନ କରିବାର କ୍ଷମତା ରଖିବ। ଏହା ପାଇଁ ପ୍ରାୟ ୫ ହଜାର ଏକର ଲୁଣା ଜମି ପୋର୍ଟ ଓ ସିପିଂ ବିଭାଗକୁ ହସ୍ତାନ୍ତର କରାଯାଇଛି। ଅବଶିଷ୍ଟ ଜମି ଆନ୍ଧ୍ର ସୀମାଞ୍ଚଳରୁ ସମ୍ମିଳିତ କରାଯିବାକୁ ପ୍ରସ୍ତାବ ରହିଛି।
ଏହି ପ୍ରକଳ୍ପ ସମ୍ପର୍କରେ ତ୍ରିପାକ୍ଷିକ ଚୁକ୍ତି ମଧ୍ୟ ସମ୍ପନ୍ନ ହୋଇସାରିଛି। ଏହି ଚୁକ୍ତି ପାରାଦୀପ ପୋର୍ଟ ଲିମିଟେଡ଼ , ସାଗରମାଳା ଫାଇନାନ୍ସ କର୍ପୋରେସନ ଲିମିଟେଡ଼ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ସ୍ୱାକ୍ଷର ହୋଇଛି । ୨୦୨୫ ସେପ୍ଟେମ୍ବର ୧୯ ତାରିଖରେ ଏହି ଚୁକ୍ତିନାମା ସମ୍ପନ୍ନ ହେବା ପରେ ପ୍ରକଳ୍ପକୁ ଗତି ମିଳିଛି।
ରାଜ୍ୟରେ ପୂର୍ବରୁ ଧାମରା ପୋର୍ଟ , ପାରାଦୀପ ପୋର୍ଟ ଓ ଗୋପାଳପୁର ପୋର୍ଟ କାର୍ଯ୍ୟରତ ଅଛି। ସେଗୁଡ଼ିକ ପରେ ସୋନପୁର ବନ୍ଦର ରାଜ୍ୟର ସବୁଠାରୁ ବଡ଼ ବନ୍ଦର ଭାବେ ପରିଚିତ ହେବାର ସମ୍ଭାବନା ରହିଛି।
ଏହି ପ୍ରକଳ୍ପକୁ ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ, ସ୍ଥାନୀୟ ବିଧାୟକ ଓ ପ୍ରଶାସନର ଉଚ୍ଚଅଧିକାରୀମାନେ ସ୍ଥଳ ପରିଦର୍ଶନ କରି ଭିତ୍ତିଭୂମିର ଅବସ୍ଥା ପରଖିଛନ୍ତି। ସରକାରଙ୍କ କହିବା ଅନୁଯାୟୀ, ବନ୍ଦର ନିର୍ମାଣ ହେଲେ ଗଞ୍ଜାମ ସହିତ ଦକ୍ଷିଣ ଓଡ଼ିଶାର ଆର୍ଥିକ ଉନ୍ନତି ଘଟିବ ଏବଂ ହଜାର ହଜାର ଯୁବକ-ଯୁବତୀଙ୍କ ପାଇଁ ନୂତନ ଚାକିରି ସୃଷ୍ଟି ହେବ । ବିଶେଷଜ୍ଞମାନଙ୍କ ମତାନୁସାରେ, ସୋନପୁର ବନ୍ଦର ଚାଲୁ ହେଲେ ଓଡ଼ିଶା-ଆନ୍ଧ୍ର ସୀମାଞ୍ଚଳର ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରକୁ ଅଧିକ ଗତି ମିଳିବ।
ଆରମ୍ଭ ହେଲା ପ୍ରାଥମିକ ସର୍ଭେ :
ଗଞ୍ଜାମ ଜିଲ୍ଲାରେ ଦ୍ୱିତୀୟ ବନ୍ଦର ଓ ରାଜ୍ୟର ସର୍ବବୃହତ୍ତ ବନ୍ଦର ନିର୍ମାଣ ନେଇ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ସିଦ୍ଧାନ୍ତ ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସି ଦେଖାଯାଇଛି। ପ୍ରସ୍ତାବିତ ବନ୍ଦର ଅଞ୍ଚଳ ଓ ହୁଦା ମୁହାଣରେ ଉଚ୍ଚସ୍ତରୀୟ ଅଧିକାରୀମାନେ ପହଞ୍ଚି ଭୂମିସ୍ଥିତି ଯାଞ୍ଚ କରିଛନ୍ତି।
ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ପ୍ରମୁଖ ଶାସନ ସଚିବ, ଚିକିଟି ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଓ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତି ଭାସନଙ୍କ ସହିତ ଅନ୍ୟାନ୍ୟ ରାଜ୍ୟ ଓ ଜିଲ୍ଲା ଅଧିକାରୀମାନେ ସ୍ଥଳ ପରିଦର୍ଶନ କରିଥିଲେ ।
ସମସ୍ତ ଅଧିକାରୀ ଅଞ୍ଚଳର ଭୂମି, ସଡକ ସଂଯୋଗ, ପାଣି ଓ ବିଦ୍ୟୁତ ସୁବିଧା ଇତ୍ୟାଦି ଭିତ୍ତିଭୂମି ଯାଞ୍ଚ କରିଥିଲେ । ବନ୍ଦର ନିର୍ମାଣ ପାଇଁ ଆବଶ୍ୟକ ଭିଜିବିଲିଟି ରିପୋର୍ଟ ପ୍ରସ୍ତୁତି ନିମନ୍ତେ ପ୍ରାଥମିକ ସର୍ଭେ ମଧ୍ୟ କରାଯାଇଛି ।
ଅଧିକାରୀମାନଙ୍କ କହିବା ଅନୁଯାୟୀ, ସମସ୍ତ ପ୍ରକ୍ରିୟା ଶୀଘ୍ର ଶେଷ କରାଯାଇ ବନ୍ଦର ନିର୍ମାଣକୁ ଆରମ୍ଭ କରାଯିବ। ଏହି ବୃହତ ପ୍ରକଳ୍ପ ଚାଲୁ ହେଲେ ଗଞ୍ଜାମ ଜିଲ୍ଲାର ଆର୍ଥିକ ଉନ୍ନତି ସହିତ ଯୁବମାନଙ୍କ ପାଇଁ ଚାକିରି ସୁଯୋଗ ବୃଦ୍ଧି ପାଇବ ବୋଲି ସ୍ଥାନୀୟମାନେ ଆଶା ପ୍ରକାଶ କରିଛନ୍ତି ।
ପ୍ରସ୍ତାବିତ ବାହୁଦା ମୁହାଣ ବନ୍ଦର ନିର୍ମାଣ ସମୟରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଜୀବନ ଓ ଜୀବିକାକୁ ପ୍ରଥମେ ଗୁରୁତ୍ୱ ଦିଆଯିବ ବୋଲି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ବନ୍ଦର ନିର୍ମାଣ କାମ ଏମିତି ଭାବରେ ହେବ ଯାହାଦ୍ୱାରା ମତ୍ସ୍ୟଜୀବୀମାନେ କୌଣସି ଅସୁବିଧାରେ ପଡ଼ିବେ ନାହିଁ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ସ୍ଥାନୀୟ ଯୁବମାନଙ୍କୁ ଅଧିକରୁ ଅଧିକ ଚାକିରି ସୁଯୋଗ ମିଳିବା ପାଇଁ ବିଶେଷ ଯୋଜନା କରାଯିବ। ବନ୍ଦର ନିର୍ମାଣ କାର୍ଯ୍ୟକୁ ଖୁବଶୀଘ୍ର ଆରମ୍ଭ କରାଯିବ ଓ ରାଜ୍ୟ ସରକାର ପକ୍ଷରୁ ବାହୁଦା ମୁହାଣ ପୋର୍ଟକୁ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦିଆଯିବ।
ବାହୁଦା ମୁହାଣ ବନ୍ଦର ନେଇ ଜିଲ୍ଲାପାଳଙ୍କ ବଡ଼ ସୂଚନା :
ଗଞ୍ଜାମ ଜିଲ୍ଲାର ବାହୁଦା ନଦୀ ମୁହାଣରେ ପ୍ରସ୍ତାବିତ ବନ୍ଦର ନିର୍ମାଣକୁ ନେଇ ପ୍ରଶାସନ ପକ୍ଷରୁ ସକାରାତ୍ମକ ସୂଚନା ମିଳିଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତି ଭାସନ କହିଛନ୍ତି ଯେ ପ୍ରାକୃତିକ ଦୃଷ୍ଟିରୁ ଏହି ସ୍ଥାନ ବନ୍ଦର ପାଇଁ ଖୁବ ଉପଯୁକ୍ତ। ଏଠାରେ ନଦୀର ମୁହାଣ ଗଭୀର ଓ ସୁବିଧାଜନକ ଥିବାରୁ ବଡ଼ ଜାହାଜ ଯାତାୟତରେ ବିଶେଷ ଅସୁବିଧା ହେବ ନାହିଁ।
ସେ କହିଛନ୍ତି, ପ୍ରସ୍ତାବିତ ସ୍ଥାନରୁ ଜାତୀୟ ରାଜପଥ କେବଳ ପ୍ରାୟ ୫୦ ମିଟର ଦୂରରେ ଅଛି । ଏହା ସହିତ ନିକଟରେ ରେଳପଥ ସୁବିଧା ମଧ୍ୟ ରହିଛି । ତେଣୁ ଜଳପଥ, ସଡକ ଓ ରେଳପଥ ମାଧ୍ୟମରେ ସହଜରେ କାର୍ଗୋ ପରିବହନ କରାଯାଇପାରିବ। ବନ୍ଦର ଚାଲୁ ହେଲେ ଦକ୍ଷିଣ ଓଡିଶା ପାଇଁ ଏହା ଏକ ସମୁଦ୍ର ଗେଟୱେ ଭାବେ କାମ କରିବ।
ବନ୍ଦର ସମ୍ପର୍କିତ ଟେକ୍ନିକାଲ ସର୍ଭେ କାମ ଏବେ ଶେଷ ପର୍ଯ୍ୟାୟରେ ଅଛି ଏବଂ ଏହା ପାରାଦୀପ ପୋର୍ଟ ଅଥରିଟି ନିକଟରେ ଚାଲିଛି । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇସାରିଛି ଓ ଆଗାମୀ ଦୁଇ ବର୍ଷ ମଧ୍ୟରେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି।
ଜିଲ୍ଲାପାଳ ଆହୁରି କହିଛନ୍ତି ଯେ ବନ୍ଦର ପାଇଁ କୌଣସି ଜମି ଅଧିଗ୍ରହଣ ସମସ୍ୟା ନାହିଁ। ତେଣୁ ନିର୍ମାଣ କାମ ଖୁବଶୀଘ୍ର ଆରମ୍ଭ ହେବାର ସମ୍ଭାବନା ରହିଛି। ବାହୁଦା ମୁହାଣରେ ବନ୍ଦର ହେଲେ ଯେକୌଣସି ସମୟରେ ଜାହାଜ ଆସିପାରିବ ଓ ମାଲ ପରିବହନ ସୁବିଧାଜନକ ହେବ।
ଏପଟେ ନୂତନ ବନ୍ଦର ପ୍ରତିଷ୍ଠା ଖବର ଶୁଣି ସ୍ଥାନୀୟ ଅଞ୍ଚଳବାସୀ ଓ ମତ୍ସ୍ୟଜୀବୀମାନେ ଖୁସି ପ୍ରକାଶ କରିଛନ୍ତି। ସେମାନଙ୍କ ଆଶା, ଏହା ଦ୍ୱାରା ଅଞ୍ଚଳର ବେକାର ଯୁବକ-ଯୁବତୀଙ୍କୁ ଚାକିରି ସୁଯୋଗ ମିଳିବ ଓ ବ୍ୟବସାୟ ବିକାଶ ପାଇବ। ଏହି ପଦକ୍ଷେପ ପାଇଁ ସ୍ଥାନୀୟ ଲୋକମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
