Explore

Search

April 9, 2026 9:19 pm

ଗଞ୍ଜାମ ଜିଲ୍ଲାପାଳଙ୍କ ମହାନତା : ବର୍ଷେ ପର୍ଯ୍ୟନ୍ତ ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କୁ ମିଳିବ ମାଗଣା ପ୍ରଶିକ୍ଷଣ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାପାଳଙ୍କ ମହାନତା। ଏଣିକି ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କୁ ବର୍ଷେ ପର୍ଯ୍ୟନ୍ତ ମିଳିବ ମାଗଣା ପ୍ରଶିକ୍ଷଣ। ଏଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ଠାରେ ‘ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ କେନ୍ଦ୍ରର’ ଶୁଭାରମ୍ଭ ହୋଇଛି । ଏଠାରେ IAS ଏବଂ OAS ଭଳି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯିବ ମାଗଣା ପ୍ରଶିକ୍ଷଣ । ଛାତ୍ରଛାତ୍ରୀଙ୍କୁ ସଫଳତାର ଠିକ ଦିଗଦର୍ଶନ ଦେବାକୁ ବିଶେଷ ଶିକ୍ଷାଦାନ ବ୍ୟବସ୍ଥା କରାଯିବ । ଯାହା ସିଭିଲ ସର୍ଭିସ ଆଶାୟୀ ପରୀକ୍ଷାର୍ଥୀଙ୍କ ପାଇଁ ହୋଇଛି ଖୁସି ଖବର । ଚଳିତ ବର୍ଷ ଚୟନିତ ୭୦ ଜଣ ପ୍ରାର୍ଥୀଙ୍କୁ ବର୍ଷେ ଯାଏଁ ନିଶୁଳ୍କ ଭାବେ ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ଯୋଗାଇ ଦିଆଯିବ। ଏନେଇ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନ ଭିଡିଛନ୍ତି ଅଣ୍ଟା ।

ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ବିଦ୍ୟାର୍ଥୀ ଚୟନ କିପରି ହେଲା ?

ପ୍ରଶାସନିକ ସେବା ଓ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଆବେଦନ ପାଇଁ ଆମନ୍ତ୍ରଣ କରିଥିଲା। ଏହି କ୍ରମରେ ଗତ ଜାନୁଆରୀ ମାସରେ ଆୟୋଜିତ ଚୟନ ପରୀକ୍ଷାରେ ପ୍ରାୟ ୭୦୦ ଜଣ ପରୀକ୍ଷାର୍ଥୀ ଭାଗ ନେଇଥିଲେ । ସେଥିମଧ୍ୟରୁ ୧୭୦ ଜଣ ଯୋଗ୍ୟ ଘୋଷିତ ହୋଇଥିଲେ।

ଏହି ଚୟନିତ ପ୍ରାର୍ଥୀମାନଙ୍କ ମଧ୍ୟରୁ ବ୍ରହ୍ମପୁରର ୭୦ ଜଣଙ୍କୁ ନେଇ ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଉଲ୍ଲେଖନୀୟ ଯେ, ଏହି ଦଳର ପ୍ରାୟ ଅଧିକାଂଶ ହେଉଛନ୍ତି ଛାତ୍ରୀ । ଯାହା ମହିଳା ସଶକ୍ତିକରଣର ଏକ ଭଲ ଉଦାହରଣ।

କେବଳ ବ୍ରହ୍ମପୁରରେ ନୁହେଁ, ଆଗାମୀ ଦିନରେ ଛତ୍ରପୁର ଓ ଭଞ୍ଜନଗରରେ ମଧ୍ୟ ଏପରି ପ୍ରଶିକ୍ଷଣ କେନ୍ଦ୍ର ଖୋଲିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଛି ।

ବିଦ୍ୟାର୍ଥୀଙ୍କୁ କିପରି ଦିଆଯିବ ପ୍ରଶିକ୍ଷଣ ?

ଏହି କେନ୍ଦ୍ରରେ ଜାତୀୟସ୍ତରର ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିବା ବିଦ୍ୟାର୍ଥୀମାନଙ୍କୁ ଆଉ ଦୂର ସହରକୁ ଯିବାକୁ ପଡିବ ନାହିଁ । ବ୍ରହ୍ମପୁରରେ ରହି ସୁବିଧାଜନକ ଭାବେ ତାଲିମ ଗ୍ରହଣ କରିପାରିବେ। ଏଠାରେ ଦିଲ୍ଲୀ ଭିତ୍ତିକ ପ୍ରସିଦ୍ଧ ସାରଥୀ ଆଇଏଏସ କୋଚିଙ୍ଗ ସେଣ୍ଟରର ଅନୁଭବୀ ଅଧ୍ୟାପକମାନେ ଅନଲାଇନ୍ ମାଧ୍ୟମରେ ଶିକ୍ଷାଦାନ କରିବେ । ସେହିପରି, ଜିଲ୍ଲାରେ କାର୍ଯ୍ୟରତ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ପୋଲିସ ସେବା (IPS) ସହିତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସମୟୋଚିତ ଭାବେ ଉପସ୍ଥିତ ହୋଇ ବିଦ୍ୟାର୍ଥୀଙ୍କୁ ନିଜ ଅନୁଭବ ଆଧାରିତ ପ୍ରଶିକ୍ଷଣ ଦେବେ।

ଅଧିକାରୀମାନଙ୍କ ଅନୁଭବ ହେବ ପ୍ରେରଣାର ମୂଳ ସ୍ରୋତ :

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏକ ବର୍ଷ ଧରି ଶିକ୍ଷା ଗ୍ରହଣ କରୁଥିବା ବିଦ୍ୟାର୍ଥୀମାନେ ଆଇଏଏସ୍, ଆଇପିଏସ୍ ଓ ଆଇଏଫଏସ୍ ଅଧିକାରୀମାନଙ୍କ ଜୀବନ ଅନୁଭବରୁ ମୂଲ୍ୟବାନ ପ୍ରେରଣା ପାଇବେ । କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଦକ୍ଷିଣାଞ୍ଚଳ ପୋଲିସ ଆଇ.ଜି ନିତି ଶେଖର ଉପସ୍ଥିତ ରହି ବିଦ୍ୟାର୍ଥୀଙ୍କୁ ଉତ୍ସାହିତ କରିଥିଲେ।

ସେହିପରି ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନ ଓ ବ୍ରହ୍ମପୁର ଏସପି ମଧ୍ୟ ବିଦ୍ୟାର୍ଥୀଙ୍କୁ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ଲାଭ ପାଇଁ ଆବଶ୍ୟକ ଦିଗଦର୍ଶନ ଦେଇଥିଲେ। ଆଉ କହିଥିଲେ ଯେ, ସଫଳତା ମିଳିବା ପର୍ଯ୍ୟନ୍ତ ହାର ନମାନି ଅବିରତ ଚେଷ୍ଟା କରିବା ଆବଶ୍ୟକ।

‘ଗଞ୍ଜାମ ଲକ୍ଷ୍ୟ ନିକେତନ କେନ୍ଦ୍ରର’ ଉଦଘାଟନୀ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର, ଚିକିଟି ବିଧାୟକ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ମେୟର ସଂଘମିତ୍ରା ଦଳେଇ, ବ୍ରହ୍ମପୁର ମହାନଗର ନିଗମ କମିଶନର ସୁଶ୍ରୀ ଏ.ଶସ୍ୟ ରେଡ୍ଡୀ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅବିନାଶ କୁମାରଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ । ଜିଲ୍ଲା ପ୍ରଶାସନର ଏଭଳି ଉଦ୍ୟମକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ଜନପ୍ରତିନିଧି ଏବଂ ବୁଦ୍ଧିଜୀବୀ ।

ନିକଟରେ ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ‘ଗଞ୍ଜାମ ଲକ୍ଷ୍ୟ ନିକେତନ’ର ଇଣ୍ଟରଭ୍ୟୁ ଗାଇଡେନ୍ସ ପ୍ରୋଗ୍ରାମକୁ ପ୍ରଥମ ସଫଳତା ମିଳିଛି । ପ୍ରୋଗ୍ରାମ ମାଧ୍ୟମରେ UPSC ପରୀକ୍ଷାରେ ୫ ପରୀକ୍ଷାର୍ଥୀ ସଫଳତା ପାଇଛନ୍ତି ।

ଜିଲ୍ଲା ପ୍ରଶାସନର ଏହି ପ୍ରୟାସକୁ ଜନପ୍ରତିନିଧି ଓ ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା କରାଯାଇଛି। ଏହା ଯୁବମାନଙ୍କ ପାଇଁ ଏକ ସକାରାତ୍ମକ ଓ ଦୂରଦୃଷ୍ଟିମୂଳକ ପଦକ୍ଷେପ ବୋଲି ମନେ କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score