ଗଞ୍ଜାମ : ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପୂର୍ଣ୍ଣଗିରି ପର୍ବତ ଶୀର୍ଷରେ ବିରାଜିତ ମା’ ତାରାତାରିଣୀଙ୍କ ପୀଠ । ଭକ୍ତି ଓ ତନ୍ତ୍ର ସାଧନାର ଏହା ଏକ ପ୍ରାଚୀନ କେନ୍ଦ୍ର ଭାବେ ପରିଚିତ। ହିନ୍ଦୁ ଧର୍ମର ୫୧ ଶକ୍ତିପୀଠ ମଧ୍ୟରେ ଏହି ପୀଠର ବିଶେଷ ମହତ୍ୱ ରହିଛି । ଏଠାରେ ଦେବୀ ତାରା ଓ ତାରିଣୀ ୨ ଭଉଣୀ ପୂଜା ପାଆନ୍ତି । ଦେଶର ଚାରି ଆଦିଶକ୍ତି ପୀଠ ମଧ୍ୟରୁ ଏହାକୁ ସ୍ୱତନ୍ତ୍ର ଶକ୍ତିପୀଠ ଭାବେ ମାନ୍ୟତା ମିଳିଛି ।
ପ୍ରାଚୀନ କଳିଙ୍ଗର ଇଷ୍ଟଦେବୀ ଭାବେ ମା’ଙ୍କ ଆରାଧନା କାହିଁ କେଉଁ କାଳରୁ ହୋଇଆସୁଛି । ଖାଲି ସେତିକି ନୁହେଁ ସାଧବମାନଙ୍କ ନୌବାଣିଜ୍ୟ ପରମ୍ପରା ସହିତ ଏହି ପୀଠର ଗଭୀର ସମ୍ପର୍କ ରହିଛି । ପର୍ବତ ଶୀର୍ଷକୁ ଯିବା ପାଇଁ ଥିବା ୯୯୯ ପାହାଚ ସେହି ପୁରାତନ ବାଣିଜ୍ୟ ଐତିହ୍ୟର ସ୍ମୃତିବାହକ। କୁହାଯାଏ ଯେ ସମୁଦ୍ର ଯାତ୍ରାରୁ ସୁରକ୍ଷିତ ଫେରିଥିବା ଜଣେ ସାଧବ ମା’ଙ୍କ କୃପାରେ ଏହି ପାହାଚ ନିର୍ମାଣ ହୋଇଥିଲା ।
କିମ୍ବଦନ୍ତୀ :
ଗଞ୍ଜାମ ଜିଲ୍ଲାର ପୂର୍ଣ୍ଣଗିରି ପର୍ବତ ଶୀର୍ଷରେ ଅବସ୍ଥିତ ମା’ ତାରାତାରିଣୀ ପୀଠ ଭାରତର ପ୍ରସିଦ୍ଧ ଶକ୍ତିପୀଠମାନଙ୍କ ମଧ୍ୟରୁ ଗୋଟିଏ । ପୌରାଣିକ କଥାବସ୍ତୁ ଓ ଲୋକକଥା ଅନୁସାରେ ଏହି ପୀଠର ଉତ୍ପତ୍ତି ସତ୍ୟଯୁଗ ସହ ଜଡିତ ଥିବା ବିଶ୍ୱାସ ରହିଛି ।
ପୁରାଣ ଅନୁଯାୟୀ, ଦକ୍ଷ ପ୍ରଜାପତିଙ୍କ କନ୍ୟା ସତୀ ପିତାଙ୍କ ଅସ୍ୱୀକୃତି ସତ୍ତ୍ୱେ ଭଗବାନ ଶିବଙ୍କୁ ବିବାହ କରିଥିଲେ। ପରେ ଦକ୍ଷ ପ୍ରଜାପତି ଏକ ବିରାଟ ଯଜ୍ଞର ଆୟୋଜନ କରିଥିଲେ ଏବଂ ସମସ୍ତ ଦେବଦେବୀଙ୍କୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ଶିବଙ୍କ ଜୀବନଶୈଳୀ ଓ ବେଶଭୂଷା ପ୍ରତି ଅସନ୍ତୋଷ ଥିବାରୁ ସେ ଝିଅ ସତୀ ଓ ଜ୍ୱାଇଁ ଶିବଙ୍କୁ ଯଜ୍ଞରେ ଆମନ୍ତ୍ରଣ କରିନଥିଲେ।
ମହର୍ଷି ନାରଦଙ୍କ ଠାରୁ ପିତାଙ୍କ ଯଜ୍ଞ ସମ୍ବନ୍ଧୀୟ ସମ୍ବାଦ ପାଇ ସତୀ ଶିବଙ୍କ ବାରଣ ସତ୍ତ୍ୱେ ବାପଘରକୁ ପହଞ୍ଚିଥିଲେ। ସେଠାରେ ପିତାଙ୍କ ଠାରୁ ଶିବଙ୍କ ବିଷୟରେ ଅପମାନଜନକ କଥା ଶୁଣି ସତୀ ଗଭୀର ଦୁଃଖିତ ହୋଇଥିଲେ। ସ୍ୱାମୀଙ୍କ ଅପମାନ ସହି ପାରିନଥିବାରୁ ସେ ଯଜ୍ଞକୁଣ୍ଡରେ ନିଜକୁ ଭସ୍ମ କରିଦେଇଥିବା କଥା ପୁରାଣରେ ଉଲ୍ଲେଖ ମିଳେ।
ଏହି ଘଟଣା ଶୁଣି ଭଗବାନ ଶିବ କ୍ରୋଧାନ୍ୱିତ ହୋଇ ଯଜ୍ଞସ୍ଥଳକୁ ଯାଇ ଦକ୍ଷଙ୍କ ଶିର ଛେଦନ କରିଥିଲେ ଓ ଯଜ୍ଞକୁ ଧ୍ୱଂସ କରିଦେଇଥିଲେ। ପରେ ସତୀଙ୍କ ଦଗ୍ଧ ଦେହକୁ କାନ୍ଧରେ ନେଇ ସେ ଶୋକାକୁଳ ଅବସ୍ଥାରେ ସମସ୍ତ ଦିଗରେ ଘୂରିବାକୁ ଲାଗିଥିଲେ। ସୃଷ୍ଟିର ସମତୋଳନ ରକ୍ଷା ପାଇଁ ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ରରେ ସତୀଙ୍କ ଦେହକୁ ଖଣ୍ଡଖଣ୍ଡ କରିଥିଲେ। ସେହି ଅଙ୍ଗପାତ ୫୧ଟି ସ୍ଥାନରେ ପଡ଼ିଥିବାରୁ ସେଗୁଡିକ ଶକ୍ତିପୀଠର ରୂପ ନେଇଥିଲା । ବିଶ୍ୱାସ କରାଯାଏ ଯେ ସତୀଙ୍କ ବକ୍ଷୋଜ ଗଞ୍ଜାମର ତାରାତାରିଣୀ ପୀଠରେ ପଡ଼ିଥିଲା । ଯେଉଁଥିରୁ ତାରା ଓ ତାରିଣୀ ନାମକ ଦୁଇ ଦେବୀଙ୍କ ପ୍ରକାଶ ଘଟିଥିଲା।
ପୌରାଣିକ କଥାନୁସାରେ ବ୍ରହ୍ମର୍ଷି ବଶିଷ୍ଠ ମା’ ତାରାତାରିଣୀଙ୍କ ଭକ୍ତ ଥିଲେ । ଏକଦା ସେ ନିଜର ଏକ ଇଚ୍ଛା ପୂରଣ ପାଇଁ ଦେବୀଦ୍ୱୟଙ୍କୁ ଆହ୍ୱାନ କରିଥିଲେ । ଦେବୀମାନେ ସେଥିରେ ସାରଥି ନହେବାରୁ ବଶିଷ୍ଠ କ୍ରୋଧିତ ହୋଇ ତାଙ୍କୁ ଅପୂଜା ରହିବାକୁ ଅଶାପ ଦେଇଥିବା କଥା ମଧ୍ୟ କିମ୍ବଦନ୍ତୀରେ ମିଳେ। ପରେ ଦେବୀମାନଙ୍କ ଅନୁତାପରେ ବଶିଷ୍ଠ ଶାନ୍ତ ହୋଇ କଳିଯୁଗରେ ଋଷିକୂଲ୍ୟା ନଦୀତଟରେ ତାଙ୍କର ପୂଜା ପୁନର୍ବାର ଆରମ୍ଭ ହେବ ବୋଲି ଆଶୀର୍ବାଦ ଦେଇଥିଲେ।
ଅନ୍ୟ ଏକ ଲୋକକଥା ଅନୁଯାୟୀ, ତ୍ରେତୟା ଯୁଗରେ ମହୀରାବଣ ରାମ ଓ ଲକ୍ଷ୍ମଣଙ୍କୁ ବଳି ଦେବାକୁ ନେଇଥିବା ସମୟରେ ଅଶୋକବଟିକାରେ ବନ୍ଦୀ ସୀତାଙ୍କ ଆଖିରୁ ଝରିଥିବା ଲୁହରୁ ଦୁଇ ଦେବୀ ଜନ୍ମ ନେଇଥିଲେ। ସେମାନେ ହନୁମାନଙ୍କ ସହଯୋଗରେ ମହୀରାବଣଙ୍କୁ ବଧ କରିଥିବା କଥା ମଧ୍ୟ ଲୋକମାନ୍ୟତାରେ ରହିଛି। ପରେ ସୀତାଙ୍କ ଆଦେଶରେ ସେମାନେ ଋଷିକୁଳ୍ୟା ନଦୀତଟରେ ତାରାତାରିଣୀ ପର୍ବତ ଶୀର୍ଷରେ ଗୋପନ ଭାବେ ବାସ କରିଥିବା କଥା ମଧ୍ୟ କହାଯାଏ।
ଇତିହାସ ଅନୁଯାୟୀ, ଗଞ୍ଜାମର ବୀର ଜଗନ୍ନାଥ ଶାସନ ଅଞ୍ଚଳର କୁମାରୀ ଗାଁରେ ବସୁ ପ୍ରହରାଜ ନାମକ ଜଣେ ତାନ୍ତ୍ରିକ ବସବାସ କରୁଥିଲେ। ସେ ନିଃସନ୍ତାନ ଥିବାରୁ ଦୁଇ ଶିଶୁକନ୍ୟାଙ୍କୁ ଲାଳନପାଳନ କରିଥିଲେ। କିନ୍ତୁ ଦିନେ ସେହି ଦୁଇ କନ୍ୟା ହଠାତ୍ ଅଦୃଶ୍ୟ ହୋଇଯାଇଥିଲେ। ପରେ ସ୍ୱପ୍ନରେ ଦେବୀଦ୍ୱୟ ପ୍ରହରାଜଙ୍କୁ ଦର୍ଶନ ଦେଇ ନିଜ ଦିବ୍ୟ ସ୍ୱରୂପ ବିଷୟରେ ଜଣାଇଥିଲେ।
ସ୍ୱପ୍ନାଦେଶ ପାଇ ପ୍ରହରାଜ ପୂର୍ଣ୍ଣଗିରି ପର୍ବତକୁ ଯାଇ ଦୁଇଟି ସ୍ଥନାକୃତି ଶିଳା ଦେଖିଥିଲେ। ସେହି ଶିଳାକୁ ଦେବୀରୂପେ ପ୍ରତିଷ୍ଠା କରି ତନ୍ତ୍ର ସାଧନା ମାଧ୍ୟମରେ ପ୍ରାଣପ୍ରତିଷ୍ଠା କରିଥିଲେ। ପରେ ଅକ୍ଷୟ ତୃତୀୟା ଦିନ ମନ୍ଦିର ନିର୍ମାଣର ଶୁଭାରମ୍ଭ କରାଯାଇଥିଲା। ସେବେ ଠାରୁ ଏହି ପୀଠ ତାରା ଓ ତାରିଣୀ ନାମରେ ପ୍ରସିଦ୍ଧ ହୋଇଆସୁଛି।
ପୁରାଣ ଓ ତନ୍ତ୍ରଶାସ୍ତ୍ର ଅନୁସାରେ ପୂର୍ଣ୍ଣଗିରି ପର୍ବତ ପ୍ରାଚୀନକାଳରୁ ଏକ ତନ୍ତ୍ରସାଧନା ପୀଠ ଭାବେ ପରିଚିତ। ବର୍ତ୍ତମାନ ମନ୍ଦିର ପରିସରରେ ଦଶମହାବିଦ୍ୟାଙ୍କ ଅନେକ ପ୍ରସ୍ତର ମୂର୍ତ୍ତି ଦେଖିବାକୁ ମିଳେ, ଯାହା ଏହି ପୀଠର ତାନ୍ତ୍ରିକ ମହତ୍ତ୍ୱକୁ ପ୍ରକାଶ କରେ।
ବସୁ ପ୍ରହରାଜଙ୍କ କଥା :
ଗଞ୍ଜାମର ଆଠଗଡ଼ ଅନ୍ତର୍ଗତ ବୀର ଜଗନ୍ନାଥ ଶାସନରେ କୁମାରୀ ନାମକ ଛୋଟ ଗାଁରେ ଏକ ମଧ୍ୟବିତ୍ତ ପରିବାରରେ ବସୁ ପ୍ରହରାଜ ନାମରେ ଏକ ମହାଜ୍ଞାନୀ ଓ ତାନ୍ତ୍ରିକ ଥିଲେ। ସେ ନିଃସନ୍ତାନ ଥିଲେ । ତେଣୁ ସେ ଦୁଇଟି କନ୍ୟା ସନ୍ତାନ ଆଣି ଲାଳନ ପାଳନ କରିଥିଲେ । ସେହି ଦୁଇ ରୂପସୀ କନ୍ୟାଙ୍କ ଲାଳନ ପାଳନରେ ବସୁ ପ୍ରହରାଜ କୌଣସି ଅବହେଳା କରି ନଥିଲେ । ଦିନେ ସେ ଦୁଇଝିଅ ହଠାତ ସମସ୍ତଙ୍କ ଅଜ୍ଞାତସାରରେ ଗୃହତ୍ୟାଗ କଲେ । ବାଟରେ କୌଣସି କାଚରା ଠାରୁ ଚୁଡ଼ି ପିନ୍ଧିଥିଲେ ଏବଂ ବସୁ ପ୍ରହରାଜ ଠାରୁ ପ୍ରାପ୍ୟ ନେଇଯିବା ପାଇଁ କହିଥିଲେ। ପ୍ରହରାଜ ବହୁତ ଖୋଜା ଖୋଜି କଲେ ମଧ୍ୟ ନିରାଶ ହେବାକୁ ପଡ଼ିଲା ।
କିଛିଦିନ ଉତ୍ତାରୁ ସ୍ୱପ୍ନରେ ଦେବୀଦ୍ୱୟ ଦର୍ଶନ ଦେଇ ସବୁକିଛି କହି ବର୍ଣ୍ଣନା କଲେ । ପ୍ରହରାଜଙ୍କୁ ସ୍ୱପ୍ନାଦେଶ ହେଲା ଯେ ସେ ଦୁଇଭଉଣୀଙ୍କର ପୂର୍ଣ୍ଣଗିରି ପର୍ବତ ଉପରେ ଅବସ୍ଥାନ କରୁଛନ୍ତି । ସେଦିନ ରାତି ଶେଷପ୍ରହରରେ ଶଯ୍ୟାତ୍ୟାଗ କରି ସମସ୍ତଙ୍କ ଅଜ୍ଞାତସାରରେ ବସୁ ପ୍ରହରାଜ ଏକୁଟିଆ ତାରାତାରିଣୀ ପର୍ବତ ଉପରେ ପହଞ୍ଚିଲେ । ସେଠାରେ ଦେଖିଲେ ସ୍ଥନାକୃତି ଦୁଇଟି ଶିଳା ପୂର୍ଣ୍ଣଗିରି ପର୍ବତ ଉପରେ ଅବସ୍ଥାନ କରୁଛନ୍ତି । ବସୁ ପ୍ରହରାଜ ମା’ଙ୍କ ମହିମା ଜାଣିବା ପରେ ଦୁଇଟି ବିଗ୍ରହ ପ୍ରତିଷ୍ଠା କରି ତନ୍ତ୍ର ସାଧନାଦ୍ୱାରା ସେଥିରେ ପ୍ରାଣ ପ୍ରତିଷ୍ଠା କଲେ । ଏହାପରେ ବିଶିଷ୍ଟ କାରିଗରଙ୍କୁ ଡକାଇ ବିଧି ଅନୁସାରେ ଅକ୍ଷୟତୃତୀୟା ଦିନ ମନ୍ଦିର ନିର୍ମାଣ ପାଇଁ ଶୁଭାରମ୍ଭ କରିଥିଲେ । ସେ ଦୁଇ ମୂର୍ତ୍ତି ଅଧୁନା ତାରା ଓ ତାରିଣୀ ନାମରେ ବିଖ୍ୟାତ ।
ପୂଜାବିଧି :
ମା’ଙ୍କର ପୂଜାର୍ଚ୍ଚନା ପ୍ରତ୍ୟୁଷରୁ ଆରମ୍ଭ ହୋଇଥାଏ । ପ୍ରଥମେ କାଳରାତ୍ରିକୁ ବନ୍ଦନା କରି, ଅଗଣାକୁ ଶୋଧ କରାଯାଇ ଦ୍ୱାରପାଳ ଗଙ୍ଗା ଯମୁନାଙ୍କୁ ସ୍ନାନ କରାଯାଏ । ଏହାପରେ ସୂର୍ଯ୍ୟପୂଜା ଆରମ୍ଭ ହୁଏ । ତା’ପରେ ଦେଉଳଶୋଧ, ପାର୍ଶ୍ୱଦେବତାଙ୍କୁ ସ୍ନାନ କରାଯାଇ ମା’ଙ୍କର ନିଦ୍ରାଭଙ୍ଗ କରିବା ପାଇଁ ଘଣ୍ଟଶବ୍ଦ କରିବାର ବିଧି ରହିଛି । ପୂଜକ ପହଡ଼ ତ୍ୟାଗ କରିବାର ନିବେଦନ କରିଥାନ୍ତି । ମନ୍ଦିରର ଦ୍ୱାର ଖୋଲାଯାଇ ମା’ଙ୍କ ନିତ୍ୟକର୍ମ ସମାପନ କରାଯାଏ । ମୁଖ ପ୍ରକ୍ଷାଳନ, କାଠଲାଗି ପରେ ଚୁଆ, କର୍ପୂର, ସିନ୍ଦୂର, କସ୍ତୁରୀ, ଗୋରଚନା, ଜାଇଫଳ ପ୍ରଭୃତିଦ୍ୱାରା ମା’ଙ୍କୁ ସ୍ନାନମାର୍ଜନା କରି ବେଶ କରାଯାଏ । ବାଳଧୂପ ଲାଗି ହୁଏ । ଏହା ସହ ପ୍ରାତ୍ୟହିକ ପଞ୍ଚ ଦେବତାଙ୍କର ପୂଜା ହୁଏ । ମା’ଙ୍କ ନିକଟରେ ବାଳଧୂପ ଲାଗି ସହ ଧୂପ ରୂପେ ଖେଚୁଡ଼ି ଓ ଡାଲମା ଲାଗି କରାଯାଏ । ମଙ୍ଗଳ ଆଳତି ଓ ପୁଷ୍ପାଞ୍ଜଳି ପରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ମନ୍ଦିରର ଦ୍ୱାର ଖୋଲାଯାଏ । ଅପରାହ୍ଣ ଦୁଇଟା ବେଳକୁ ମା’ ପହୁଡ଼ ତ୍ୟାଗ କରିବା ପାଇଁ ପୂଜକ ନିବେଦନ କରିବା ସହ ମା’ଙ୍କର ମୁଖ ଧୌତ କରାଯାଇ ବେଶ କରାଯାଏ । ପାଦ ଅର୍ଘ୍ୟ, ଧୂପ, ଦୀପର ନୈବେଦ୍ୟ ଅର୍ପଣ ପରେ ଜନସାଧାରଣଙ୍କୁ ଦର୍ଶନ ପାଇଁ ସୁଯୋଗ ଦିଆଯାଏ । ପାଞ୍ଚଟା ପନ୍ଦର ମିନିଟରେ ସନ୍ଧ୍ୟା ଆଳତି ଆରମ୍ଭ ହୁଏ । ମନ୍ଦିର ଶୁଦ୍ଧ କରାଯାଇ ବାଳଭୋଗ ସହିତ ଆଳତି କରାଯାଇଥାଏ । ଭକ୍ତଙ୍କ ଦର୍ଶନ ନିମନ୍ତେ ରାତି ସାଢ଼େ ଆଠଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହେ । ଏହାପରେ ରାତ୍ରିଧୂପ ଲାଗି ହୁଏ । ରାତି ଧୂପରେ ଶଙ୍ଖୁଡ଼ି ଭୋଗ ଲାଗି ହୁଏ ।
ତନ୍ତ୍ର ଓ ଧାର୍ମିକ ମହତ୍ତ୍ୱ :
ପୁରାତନ କାଳରୁ ଏହି ସ୍ଥାନ ତନ୍ତ୍ର ସାଧନାର କେନ୍ଦ୍ର ଭାବେ ପରିଚିତ । ମନ୍ଦିର ଦେହରେ ଦଶମହାବିଦ୍ୟାଙ୍କ ପ୍ରତିମା ଦେଖିବାକୁ ମିଳେ। ଶାବରୀ, ବୈଦିକ, ବୌଦ୍ଧ ଓ ତାନ୍ତ୍ରିକ ପରମ୍ପରାର ସମନ୍ୱୟ ଏଠାରେ ପ୍ରକାଶ ପାଏ। ବୌଦ୍ଧ ଧର୍ମରେ ମଧ୍ୟ ‘ତାରା’ଙ୍କ ସହ ଏହି ପୀଠର ସମ୍ପର୍କ ଉଲ୍ଲେଖିତ। ପଞ୍ଚ ‘ମ’ କାର ପୂଜା ଓ ତନ୍ତ୍ରର ବିଶେଷ ପ୍ରଭାବ ଯୋଗୁଁ ମା’ତାରା ତାରିଣୀ ପୀଠରେ ଅତି ପ୍ରାଚୀନ କାଳରୁ ବଳିପ୍ରଥା ପ୍ରଚଳନ ଥିବାର ସୂଚନା ମିଳେ। ମଧ୍ୟଯୁଗରେ ଶହ ଶହ ବର୍ଷ ଧରି ବଳିପ୍ରଥା ପ୍ରଚଳନ ଥିବାର ଜଣାଯାଏ। ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ ଅନୁସାୟୀ ବିଂଶ ଶତାବ୍ଦୀର ଆରମ୍ଭରେ ବର୍ଷସାରା ମଙ୍ଗଳବାର ଓ ସଂକ୍ରାନ୍ତି ତିଥିରେ ମା’ଙ୍କଠାରେ ବହୁଳ ସଂଖ୍ୟାରେ ଛାଗ ବଳି ଦିଆଯାଉଥିଲା। ମୁଖ୍ୟତଃ ଚୈତ୍ର ମାସର ୪ଗୋଟି ମଙ୍ଗଳବାରରେ ୧୦ହଜାରରୁ ଅଧିକ ଛେଳି ଓ ବୋଦା ବଳି ଦିଆଯାଉଥିଲା । ପାହାଡ ଉପରେ ବହୁ ସଂଖ୍ୟକ ବଳି ଦିଆଯାଉ ଥିବା ଯୋଗୁଁ ଏହା ଉପରକୁ ଯିବାକୁ ଥିବା ୯୯୯ ପାହାଚ ରାସ୍ତାଟି ରକ୍ତର ସୁଅରେ ଲାଲ ହୋଇ ଯାଉଥିଲା। ଏବେ ମା’ଙ୍କୁ ଆମିଷ ନୈବେଦ୍ୟ ଦିଆଯାଉଛି। ତମ୍ବାପାତ୍ରରେ ପଇଡ଼ ପାଣିକୁ ମଦ୍ୟ ରୂପରେ ମା’ଙ୍କୁ ଅର୍ପଣ କରାଯାଉଛି।
ଦୈନିକ ପୂଜା ପ୍ରଥା :
ପ୍ରତିଦିନ ପ୍ରଭାତରୁ ମା’ଙ୍କ ପୂଜା ଆରମ୍ଭ ହୁଏ । ମଙ୍ଗଳ ଆଳତି, ସ୍ନାନ, ଶୃଙ୍ଗାର, ଧୂପ-ଦୀପ ଓ ନୈବେଦ୍ୟ ପରେ ଭକ୍ତମାନଙ୍କୁ ଦର୍ଶନ ଦିଆଯାଏ। ମଧ୍ୟାହ୍ନ ଓ ସନ୍ଧ୍ୟାରେ ବିଶେଷ ଭୋଗ ଲାଗି କରାଯାଏ। ଖେଚୁଡ଼ି, ଡାଲମା ଓ ଅନ୍ନଭୋଗ ପ୍ରସାଦ ଭାବେ ବଣ୍ଟନ ହୁଏ। ବିଶେଷ ପର୍ବପର୍ବାଣୀରେ ପୂଜା ବିଧିରେ ପରିବର୍ତ୍ତନ ଦେଖାଯାଏ।
ମଣ୍ଡନ ଓ ମାନସିକ ପ୍ରଥା
ବିଶ୍ୱାସ ରହିଛି ଏଠାରେ ଯାହା ଯଚା ଯାଏ ବା ମାନସିକ କରାଯାଏ ତାହା ପୂରଣ ହୁଏ । ଏହି କ୍ରମରେ ନିଃସନ୍ତାନ ଦମ୍ପତି ଓ ଶିଶୁଙ୍କ ଆରୋଗ୍ୟ କାମନାରେ ଭକ୍ତମାନେ ମାନସିକ କରି ଶିଶୁଙ୍କ ପ୍ରଥମ କେଶ ଏଠାରେ ମୁଣ୍ଡନ କରାନ୍ତି । ଅର୍ଥାତ ଏଠାରେ ଛୋଟ ଛୁଆଙ୍କ ଚୁଟି ପଡେ । ଖାସ କରି ଚୈତ୍ର ମଙ୍ଗଳବାରରେ ଏଥିପାଇଁ ଏଠାରେ ବହୁ ଭିଡ଼ ଲାଗିଥାଏ ।
ଯାତାୟାତ ବ୍ୟବସ୍ଥା :
ପର୍ବତ ଶୀର୍ଷରେ ଅବସ୍ଥିତ ତାରାତାରିଣୀ ମନ୍ଦିରକୁ ପହଞ୍ଚିବାକୁ ୯୯୯ ପାହାଚ ଚଢ଼ିବାକୁ ପଡ଼େ । ବର୍ତ୍ତମାନ ଯୁଗ ବଦଳିବା ସହ ସମୟ ମଧ୍ୟ ବଦଳିଛି । ଏବେ ଏହି ତାରାତାରିଣୀ ପୀଠକୁ ଯିବା ପାଇଁ ଆଉ ୯୯୯ ପାହାଚ ଚଢ଼ିବାକୁ ପଡୁ ନାହିଁ । ଏଠାରେ ଏବେ ସୁବିଧାଜନକ ରାସ୍ତା ଓ ରୋପୱେ ବ୍ୟବସ୍ଥା ହୋଇଛି । ଯାହା ଯାତ୍ରୀମାନଙ୍କୁ ସହଜତା ଯୋଗାଇଛି ।
ହେଲିକପ୍ଟରରେ ପର୍ଯ୍ୟଟକ ବୁଲିବେ ତାରାତାରିଣୀ :
ସମୟ ବଦଳିବା ସହ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛନ୍ତି । ଏଥର ପର୍ଯ୍ୟଟକମାନେ ଆକାଶ ମାର୍ଗରୁ ତାରାତାରିଣୀ ପର୍ଯ୍ୟଟନସ୍ଥଳୀକୁ ଉପଭୋଗ କରିବେ । ଅଳ୍ପ ଟଙ୍କାରେ କିଭଳି ହେଲିକପ୍ଟରରେ ବୁଲି ହେବ ସେନେଇ ପଦକ୍ଷେପ ନିଆଯାଇଛି । ହେଲିକପ୍ଟର କିଭଳି ପର୍ଯ୍ୟଟନସ୍ଥଳୀକୁ ଯିବ ସେନେଇ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା, ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କିର୍ତ୍ତୀ ଭାସଙ୍କ ସହ ଅନ୍ୟ ଅଧିକାରୀମାନେ ତଦାରଖ କରିଛନ୍ତି । ତେବେ ଗଞ୍ଜାମ ଜିଲ୍ଲାର ମା’ ତାରାତାରିଣୀଙ୍କ ପୀଠରୁ ଏହି ବ୍ୟବସ୍ଥା ଆରମ୍ଭ କରିବା ପାଇଁ ପ୍ରାରମ୍ଭିକ ଅବସ୍ଥାର ଅନୁଧ୍ୟାନ କରାଯାଇଛି । ଏହି କ୍ରମରେ ଆକାଶ ମାର୍ଗରୁ ପର୍ଯ୍ୟଟକ ତାରାତାରିଣୀ ମନ୍ଦିର ଦେଖିବା ସହ ଉପଭୋଗ କରିପାରିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କିର୍ତ୍ତୀ ଭାସନ କହିଛନ୍ତି ।
ମା’ତାରାତାରିଣୀ ପୀଠର ଉନ୍ନତି ପାଇଁ ବ୍ୟୟ ବରାଦ :
ଗଞ୍ଜାମ ଜିଲ୍ଲାର ମା’ ତାରାତାରିଣୀଙ୍କ ପୀଠ ଖୁବ ଲୋକପ୍ରିୟ। ତେଣୁ ଏହାର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ନେଇଛନ୍ତି ବଡ ପଦକ୍ଷେପ । ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ମା’ତାରାତାରିଣୀ ପୀଠର ଉନ୍ନତି ସହ ସୌନ୍ଦର୍ଯ୍ୟ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଯାହାଫଳରେ ବାହାରୁ ଆସିଥିବା ସାଧାରଣ ଭକ୍ତ ସମସ୍ତେ ମା’ଙ୍କର ପୂଜା, ତପସ୍ୟା ଓ ବରଦାନ ସୁବିଧାରେ ପାଇପାରିବେ ।
ଉପସଂହାର :
ତାରାତାରିଣୀ ପୀଠ ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରାର ଏକ ଉଜ୍ଜ୍ୱଳ ପ୍ରତୀକ । ପ୍ରକୃତିର ବରଦାନରେ ବିରାଜିତ ଏହି ପବିତ୍ର ଧାମ ଭକ୍ତମାନଙ୍କୁ ଶାନ୍ତି, ଆସ୍ଥା ଓ ଆଧ୍ୟାତ୍ମିକ ଶକ୍ତିର ଅନୁଭୂତି ଦେଇଆସୁଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
