Explore

Search

February 15, 2026 4:27 am

ଗଜପତିର ଆଦିବାସୀ ପରମ୍ପରାରେ କାଇ ଚଟଣୀ : ପ୍ରାକୃତିକ ପୋଷକ ଓ ଶକ୍ତିର ଅନନ୍ୟ ଆଧାର

ଗଜପତି : ଓଡ଼ିଶାର ଆଦିବାସୀ ଖାଦ୍ୟ ସଂସ୍କୃତିର ଏକ ଅମୂଲ୍ୟ ରତ୍ନ ‘କାଇ ଚଟଣୀ’ । ଯାହା ଏବେ ଗାଁର ମାଟି ଛାଡ଼ି ସହର ପର୍ଯ୍ୟନ୍ତ ପହଞ୍ଚିଛି । ଯେଉଁ ଖାଦ୍ୟ ଦିନେ ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀ ପରିବାରମାନଙ୍କ ଭୋକ ନିବାରଣର ଆଧାର ଥିଲା, ସେହି ଚଟଣୀ ଆଜି ବଡ଼ ବଡ଼ ହୋଟେଲର ମେନୁକାର୍ଡରେ ବିଶେଷ ସ୍ଥାନ ଦାବି କରୁଛି।

ପୂର୍ବରୁ ବଣଞ୍ଚଳରେ ସଂଗ୍ରହ କରାଯାଇଥିବା ପ୍ରାକୃତିକ ଉପାଦାନରୁ ପ୍ରସ୍ତୁତ ଏହି କାଇ ଚଟଣୀ ଆଦିବାସୀ ସମୁଦାୟଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଥିଲା । ଦିନକୁ ଦିନ ଏହାର ସ୍ୱାଦ ଓ ଗୁଣବତ୍ତା ମୂଲ୍ୟ ଲୋକମାନଙ୍କ ମନ ଜିତି ନେଉଥିବାରୁ ବିଭିନ୍ନ ଫୁଡ ଫେଷ୍ଟିଭାଲ ଓ ଖାଦ୍ୟ ମେଳାରେ ଏହାକୁ ବିଶେଷ ଆଦର ମିଳୁଛି ।

ଆଶ୍ଚର୍ଯ୍ୟ ଯେ, ଯେଉଁ ଚଟଣୀ କେବଳ ଗାଁ ଓ ଜଙ୍ଗଲ ସୀମାରେ ସୀମିତ ଥିଲା, ସେହି ପାରମ୍ପରିକ ପଦାର୍ଥ ଏବେ ସହରିଆ ଖାଦ୍ୟ ପ୍ରେମୀଙ୍କ ପ୍ରଥମ ପସନ୍ଦ ହୋଇଯାଇଛି । ଓଡ଼ିଶାର ବିଭିନ୍ନ ହୋଟେଲ ଓ ରେସ୍ତୋରାଁରେ ଏହାକୁ ଏକ ଅନନ୍ୟ ଓ ପୁଷ୍ଟିକର ଡିସ ଭାବେ ପରିବେଶନ କରାଯାଉଛି । ପର୍ଯ୍ୟଟକମାନେ ମଧ୍ୟ ଏହାର ଅଲଗା ସ୍ୱାଦ ଓ ସ୍ୱାସ୍ଥ୍ୟକାରୀ ଗୁଣ ପାଇଁ ଆକର୍ଷିତ ହେଉଛନ୍ତି ।

ଚିକିତ୍ସକମାନଙ୍କ ମତାନୁସାରେ, କାଇ ଚଟଣୀରେ ଜିଙ୍କ, କ୍ୟାଲସିୟମ ଓ ଭିଟାମିନ–ସି ପ୍ରଚୁର ପରିମାଣରେ ଥାଏ । ଯାହା ଶରୀରର ପୋଷଣ ଓ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ । ପ୍ରାକୃତିକ ଉପାଦାନରୁ ତିଆରି ହେବାରୁ ଏହା ଶୁଦ୍ଧ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଭାବେ ପରିଚିତି ଲାଭ କରିଛି।

ପାରମ୍ପରିକ ଆଦିବାସୀ ଖାଦ୍ୟ ସଂସ୍କୃତିକୁ ଆନ୍ତର୍ଜାତୀୟ ମଞ୍ଚରେ ପରିଚିତ କରାଇବାରେ ଏହି ପଦାର୍ଥ ଏକ ନୂଆ ମାଇଲଷ୍ଟୋନ ସୃଷ୍ଟି କରିଛି । ୨୦୨୪ ମସିହାରେ ‘କାଇ ଚଟଣୀ’କୁ ଜିଓଗ୍ରାଫିକାଲ ଇଣ୍ଡିକେସନ (GI) ମାନ୍ୟତା ମିଳିବା ପରେ ଏହାର ଗୌରବ ଓ ପରିଚିତି ଆହୁରି ବଢ଼ିଛି।

ଗାଁଠୁ ସହର ପର୍ଯ୍ୟନ୍ତ ଏହି ସ୍ୱାଦିଷ୍ଟ ଚଟଣୀର ଯାତ୍ରା ଆଦିବାସୀ ସଂସ୍କୃତି ଓ ପାରମ୍ପରିକ ଜ୍ଞାନର ଜୀବନ୍ତ ଉଦାହରଣ ହିସାବରେ ଦେଖାଯାଉଛି। କାଇ ଚଟଣୀ ଆଜି କେବଳ ଏକ ଖାଦ୍ୟ ନୁହେଁ, ଓଡ଼ିଶାର ଗ୍ରାମ୍ୟ ଐତିହ୍ୟ ଓ ପୋଷଣ ସଂସ୍କୃତିର ପ୍ରତୀକ ଭାବେ ପରିଚିତ ହୋଇଯାଇଛି ।

ତେବେ ଦକ୍ଷିଣ ଓଡ଼ିଶାର ଗଜପତି ଜିଲ୍ଲାର ଗୁମା ବ୍ଲକ ଅଞ୍ଚଳରେ ରହୁଥିବା ଆଦିବାସୀ ସମ୍ପ୍ରଦାୟ ପୀଢ଼ି ପୀଢ଼ି ଧରି କାଇ ଚଟଣୀକୁ ଏକ ପୁଷ୍ଟିକର ଖାଦ୍ୟ ଭାବେ ଖାଇ ଆସୁଛନ୍ତି । ଏହି ଗାଁର ଲୋକମାନେ ପଖାଳ ଭାତ ଓ ମାଣ୍ଡିଆ ଜାଉ ସହ କାଇ ଚଟଣୀ ଖାଇଥାନ୍ତି।

କେମିତି ପ୍ରସ୍ତୁତ ହୁଏ କାଇ ଚଟଣୀ : ଆଦିବାସୀ ରାନ୍ଧଣଶୈଳୀର ଅନନ୍ୟ ପରମ୍ପରା

ଓଡ଼ିଶାର ପାହାଡ଼ିଆ ଓ ଜଙ୍ଗଲଞ୍ଚଳରେ ବସୋବାସ କରୁଥିବା ଭୁୟାଁ ଆଦିବାସୀ ସମୁଦାୟର ଖାଦ୍ୟ ସଂସ୍କୃତିରେ ‘କାଇ ଚଟଣୀ’ର ଏକ ବିଶେଷ ସ୍ଥାନ ରହିଛି । ପୁରୁଣା ପିଢ଼ିରୁ ଚାଲିଆସୁଥିବା ଏହି ପାରମ୍ପରିକ ପଦ୍ଧତି ଆଜି ମଧ୍ୟ ଗାଁ ଅଞ୍ଚଳରେ ସେଇ ପ୍ରକାରେ ଅନୁସରଣ କରାଯାଉଛି।

ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ପ୍ରଥମେ ପାହାଡ଼ ଓ ଘନ ଜଙ୍ଗଲ ଅଞ୍ଚଳକୁ ଯାଇ ଗଛର ଡାଳରେ ଥିବା କାଇ ଅର୍ଥାତ ନାଲି ପିମ୍ପୁଡ଼ି ଓ ସେମାନଙ୍କ ଡିମ୍ବ ସତର୍କତାର ସହିତ ସଂଗ୍ରହ କରାଯାଏ। ଏହି କାମଟି ଅନୁଭବ ଓ ସାବଧାନତା ଦୁହିଁଟି ଦରକାର କରେ, କାରଣ ପିମ୍ପୁଡ଼ିର କାମୁଡ଼ା ଖୁବ ଯନ୍ତ୍ରଣାଦାୟକ ହୋଇଥାଏ।

ସଂଗ୍ରହ ପରେ କାଇକୁ ହାଲୁକା ନିଆଁରେ ଶେଖା ଯାଏ । ତପାଇ ଅଚେତ କରାଯାଏ, ଯାହା ଦ୍ୱାରା ଏହା ପ୍ରସ୍ତୁତି ପାଇଁ ସହଜ ହୁଏ । ତାପରେ ପିଆଜ, ରସୁଣ, ଲୁଣ ଓ ଶୁଖିଲା କିମ୍ବା କାଞ୍ଚା ଲଙ୍କା ଯୋଗ କରାଯାଏ। ପାରମ୍ପରିକ ଭାବରେ ଏହାକୁ ଶିଳପଟା କିମ୍ବା ପଥର ଉପରେ ବାଟି ଚଟଣୀ ତିଆରି କରାଯାଏ, ଯାହାରେ ଏହାର ସ୍ୱାଦ ଓ ସୁଗନ୍ଧ ଅବିକୃତ ରହେ।

ଏହି ପଦ୍ଧତିରେ ପ୍ରସ୍ତୁତ କାଇ ଚଟଣୀ ତୀକ୍ଷ୍ଣ ଓ ଖଟା-ମିଠା ସ୍ୱାଦର ହୋଇଥାଏ, ଯାହା ଭାତ କିମ୍ବା ମାଣ୍ଡିଆ ଭୋଜନ ସହ ବହୁତ ରୁଚିକର ଲାଗେ। ପ୍ରାକୃତିକ ଉପାଦାନ ଓ ସରଳ ପ୍ରସ୍ତୁତି ପ୍ରଣାଳୀ ହିଁ ଏହାକୁ ବିଶେଷ କରିଥାଏ।

ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏବେ କାଇ ଚଟଣୀର ଚାହିଦା ବଢ଼ୁଛି, କିନ୍ତୁ ତାହାର ମୂଳ ସ୍ୱାଦ ଓ ପରମ୍ପରା ଆଜି ମଧ୍ୟ ଆଦିବାସୀ ଜୀବନଶୈଳୀ ସହ ଜଡିତ ରହିଛି ।

ଖାଲି ଗଜପତି ଜିଲ୍ଲାର ଆଦିବାସୀ ନୁହେଁ, ସବୁ ଆଦିବାସୀ କାଇ ଚଟଣୀକୁ ଖାଦ୍ୟ ଭାବେ ଖାଇ ଆସୁଛନ୍ତି । ପୂର୍ବ ପୁରୁଷରୁ ଏହା ଖାଦ୍ୟର ମାନ୍ୟତା ପାଇ ଆସିଛି । ତେବେ ନିକଟରେ ମୁମ୍ବାଇରେ ହୋଇଥିବା ଖାଦ୍ୟ ମେଳାରେ ଓଡିଆ ଖାଦ୍ୟ ଭାବେ ସ୍ଥାନ ପାଇଥିଲା କାଇ ଚଟଣୀ । ଲୋକେ ଏହାକୁ ଖୁବ ଗୁରୁତ୍ୱ ଦେଇଥିଲେ । ଏହା ଯେମିତି ପାଟିକୁ ସୁଆଦିଆ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଭଲ । ଏହାକୁ ସମସ୍ତେ ଖାଇ ପାରିବେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score