Explore

Search

January 28, 2026 4:34 am

କ୍ରୀଡ଼ା ଜଗତ ପାଇଁ ବଡ଼ ଗର୍ବ : ରୋହିତ ଓ ହରମନପ୍ରୀତଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ : ଦେଶର କ୍ରୀଡ଼ା ଜଗତ ପାଇଁ ଗର୍ବର ଖବର। ଦୁଇଥର ବିଶ୍ୱକପ ବିଜୟୀ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଓ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନପ୍ରୀତ କୌରଙ୍କ ସମେତ ମୋଟ ୯ଜଣ ପ୍ରସିଦ୍ଧ କ୍ରୀଡ଼ା ତାରକା ଏବର୍ଷର ପଦ୍ମ ପୁରସ୍କାର ତାଲିକାରେ ସ୍ଥାନ ପାଇଛନ୍ତି । ଶନିବାର ଘୋଷିତ ଏହି ତାଲିକାରେ ରୋହିତ ଓ ହରମନପ୍ରୀତଙ୍କ ସହ ଭାରତୀୟ ମହିଳା ହକି ଦଳର ଅଧିନାୟିକା ସବିତା ପୁନିଆଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ଚୟନ କରାଯାଇଛି । ସେହିପରି ଭାରତୀୟ ଟେନିସ ଜଗତର କିମ୍ବଦନ୍ତୀ ବିଜୟ ଅମୃତରାଜଙ୍କୁ ଉଚ୍ଚସ୍ତରୀୟ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯିବ । କ୍ରୀଡ଼ାକ୍ଷେତ୍ରରେ ତାଙ୍କର ଅବିସ୍ମରଣୀୟ ଅବଦାନକୁ ସ୍ୱୀକୃତି ଦେବା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଉଛି ।

ସେହିପରି ଜର୍ଜିଆର ପ୍ରଖ୍ୟାତ କୁସ୍ତି ପ୍ରଶିକ୍ଷକ ଭ୍ଲାଦିମିର ମେସ୍ତଭିରିସଭିଲିଙ୍କୁ ମରଣୋତ୍ତର ଭାବେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି । ଭାରତୀୟ କୁସ୍ତିକୁ ବିଶ୍ୱସ୍ତରରେ ପରିଚିତ କରାଇବା ସହ ବହୁ କୁସ୍ତି ଯୋଦ୍ଧାଙ୍କୁ ଅଲିମ୍ପିକ୍ସ ପର୍ଯ୍ୟନ୍ତ ପହଞ୍ଚାଇବାରେ ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଏହାସହିତ ଅନୁଭବି ହକି ପ୍ରଶିକ୍ଷକ ବଲଦେବ ସିଂହଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । କ୍ରୀଡ଼ାକ୍ଷେତ୍ରରେ ଦୀର୍ଘବର୍ଷ ଧରି ତାଙ୍କର ଅବିସ୍ମରଣୀୟ ଅବଦାନ ଦେଶ ପାଇଁ ଗର୍ବର କାରଣ ।

ପଦ୍ମ ପୁରସ୍କାର–୨୦୨୬ ପାଇଁ ମନୋନୀତ କ୍ରୀଡ଼ା ବ୍ୟକ୍ତିତ୍ୱମାନେ ହେଲେ ଟେନିସ କିମ୍ବଦନ୍ତୀ ବିଜୟ ଅମୃତରାଜ (ପଦ୍ମ ଭୂଷଣ), ବଲଦେବ ସିଂହ (ପଦ୍ମଶ୍ରୀ), ଭଗବାନଦାସ ରାଏକର (ପଦ୍ମଶ୍ରୀ), ହରମନପ୍ରୀତ ସିଂହ (ପଦ୍ମଶ୍ରୀ), କେ. ପାଜାନିଭେଲ (ପଦ୍ମଶ୍ରୀ), ପ୍ରବୀଣ କୁମାର (ପଦ୍ମଶ୍ରୀ), ରୋହିତ ଶର୍ମା (ପଦ୍ମଶ୍ରୀ), ସବିତା ପୁନିଆ (ପଦ୍ମଶ୍ରୀ) ଏବଂ ଭ୍ଲାଦିମିର ମେସ୍ତଭିରିସଭିଲି (ପଦ୍ମଶ୍ରୀ–ମରଣୋତ୍ତର) ।

ପଦ୍ମ ପୁରସ୍କାର କାହିଁକି ଦିଆଯାଏ ?

ପଦ୍ମ ପୁରସ୍କାର ହେଉଛି ଭାରତର ଗୁରୁତ୍ୱପୂର୍ଣ୍ଣ ନାଗରିକ ସମ୍ମାନମାନଙ୍କ ମଧ୍ୟରୁ ଗୋଟିଏ । ଏହାକୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ଶ୍ରେଣୀରେ ଗଣାଯାଏ। ପ୍ରତିବର୍ଷ ଏହି ପୁରସ୍କାର ତିନୋଟି ବର୍ଗରେ ପ୍ରଦାନ କରାଯାଏ। ଯଥା ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ।

କଳା ଓ ସଂସ୍କୃତି, ସମାଜସେବା, ସାଧାରଣ ପ୍ରଶାସନ, ବିଜ୍ଞାନ ଓ ପ୍ରଯୁକ୍ତି, ବାଣିଜ୍ୟ ଓ ଶିଳ୍ପ, ଚିକିତ୍ସା, ସାହିତ୍ୟ ଓ ଶିକ୍ଷା, କ୍ରୀଡ଼ା ଏବଂ ନାଗରିକ ସେବା ସହିତ ବିଭିନ୍ନ କ୍ଷେତ୍ରରେ ଦୀର୍ଘକାଳୀନ ଓ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ।

ଦେଶ ପାଇଁ ଅସାଧାରଣ ଓ ବିଶିଷ୍ଟ ସେବା ଦେଇଥିବା ବ୍ୟକ୍ତିଙ୍କୁ ପଦ୍ମ ବିଭୂଷଣ, ଉଚ୍ଚସ୍ତରୀୟ ଓ ଅତ୍ୟନ୍ତ ବିଶିଷ୍ଟ ସେବା ପାଇଁ ପଦ୍ମ ଭୂଷଣ ଏବଂ ଯେକୌଣସି କ୍ଷେତ୍ରରେ ପ୍ରଶଂସନୀୟ ଓ ଗୁରୁତ୍ୱପୂର୍ଣ୍ଣ ସେବା ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଏ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score