Explore

Search

January 28, 2026 4:41 am

କୋରାପୁଟରେ ‘ରେଡିଓ ଡଙ୍ଗର’ ଶୁଭାରମ୍ଭ

କୋରାପୁଟ : କୃଷକ ଏବଂ ଆଦିବାସୀ ସମ୍ପ୍ରଦାୟଙ୍କ ସଶକ୍ତିକରଣ ଲକ୍ଷ୍ୟରେ ସମର୍ପିତ କମ୍ୟୁନିଟି ରେଡିଓ ଷ୍ଟେସନ ‘ରେଡିଓ ଡଙ୍ଗର’ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦୟାନିଧି ଗୁଡ଼ାରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି । କୋରାପୁଟର ଅଗ୍ରଣୀ ସାମାଜିକ ସଂଗଠନ ପ୍ରଗତି ଦ୍ୱାରା ପ୍ରେରିତ ଏହି ପ୍ରୟାସ ଅଞ୍ଚଳବାସୀଙ୍କ ପାଇଁ ଏକ ନୂତନ ସଂଯୋଗ ମାଧ୍ୟମ ହୋଇ ଉଭୟ କୃଷି ଓ ଆଦିବାସୀ ସଂସ୍କୃତିକୁ ପ୍ରୋତ୍ସାହନ ଦେବ ବୋଲି ଆଶା କରାଯାଉଛି ।

ଏହି କମ୍ୟୁନିଟି ରେଡିଓ ଷ୍ଟେସନର ଉଦଘାଟନ କାର୍ଯ୍ୟକ୍ରମ ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହ ଦେଓ, କୋରାପୁଟ ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛା ଏବଂ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିଲା । ଏହି ଅବସରରେ ‘ରେଡିଓ ଡଙ୍ଗର’ ମାଧ୍ୟମରେ ସ୍ଥାନୀୟ ଭାଷା, ସଂସ୍କୃତି, କୃଷି ସୂଚନା ଓ ସରକାରୀ ଯୋଜନା ସମ୍ପର୍କିତ ତଥ୍ୟ ସରଳ ଭାବେ ଗ୍ରାମାଞ୍ଚଳରେ ପହଞ୍ଚିପାରିବ ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ । ପ୍ରାୟ ୧୫-୨୦ କିଲୋମିଟର କଭରେଜ ପରିଧି ସହିତ ୮୯.୨ ଏଫଏମରେ ପ୍ରସାରଣ କରି, ରେଡିଓ ଡଙ୍ଗର, ରେଡିଓ ଢ଼େମସା ପରେ କୋରାପୁଟ ଜିଲ୍ଲାର ଦ୍ୱିତୀୟ କମ୍ୟୁନିଟି ରେଡିଓ ଷ୍ଟେସନ ଭାବେ ପ୍ରସାରଣ ସେବା ଆରମ୍ଭ କରିଛି ।

ରେଡିଓ ଡଙ୍ଗରର ପ୍ରଥମ ପ୍ରସାରଣ ଅବସରରେ ରେଡିଓ ଷ୍ଟେସନ ମାଧ୍ୟମରେ ସମାବେଶକୁ ସମ୍ବୋଧନ କରି ଉପମୁଖ୍ୟମନ୍ତ୍ରୀ କୋରାପୁଟ ଜିଲ୍ଲାର ଅପାର କୃଷି ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ କୋରାପୁଟର ଜୈବିକ ଓ ପାରମ୍ପରିକ କୃଷି ପଦ୍ଧତି ଏଞ୍ଚଳକୁ ବିଶିଷ୍ଟ ପରିଚୟ ଦେଇଛି ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ GI-ଟ୍ୟାଗ ପ୍ରାପ୍ତ କଳାଜୀରା ଚାଉଳ ସହିତ ଅନ୍ୟାନ୍ୟ ସ୍ଥାନୀୟ କୃଷି ଉତ୍ପାଦର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏମାନଙ୍କ ପାଇଁ ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ଚାହିଦା ଦ୍ରୁତଗତିରେ ବଢ଼ୁଥିବା କଥା ସେ ଉଲ୍ଲେଖ କରି, ଏହା ମାଧ୍ୟମରେ କୃଷକମାନେ ଅଧିକ ଆୟ ହାସଲ କରିପାରିବେ ବୋଲି କହିଥିଲେ ।
ଉପମୁଖ୍ୟମନ୍ତ୍ରୀ ଜୈବିକ କଫି ସହିତ ଅନ୍ୟାନ୍ୟ ଜୈବିକ କୃଷି ଉତ୍ପାଦରେ ଉଦୀୟମାନ ସୁଯୋଗ ଉପରେ ମଧ୍ୟ ଆଲୋକପାତ କରିଥିଲେ । ସେ କହିଥିଲେ ଯେ କୋରାପୁଟ ଅଞ୍ଚଳର ଜୈବିକ କୃଷି ଉତ୍ପାଦ ଜାତୀୟ ଓ ବିଶ୍ୱ ବଜାରରେ ଧୀରେଧୀରେ ନିଜ ସ୍ଥାନ ସୃଷ୍ଟି କରୁଛି ।

ଏହି ଅବସରରେ ସେ ଜୈବିକ କୃଷିକୁ ଉତ୍ସାହିତ କରିବା ପାଇଁ ସରକାର ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ରହିବ ବୋଲି ଆଶ୍ୱାସନ ଦେଇଥିଲେ । ଚାଷୀମାନଙ୍କ ପାଇଁ ଉନ୍ନତ ବଜାର ସଂଯୋଗୀକରଣ, ଉଚିତ ମୂଲ୍ୟ ଓ ନୂତନ ବଜାର ସୁଯୋଗ ସୃଷ୍ଟି କରାଯିବ ବୋଲି ସେ ଉଲ୍ଲେଖ କରିଥିଲେ ।

ସମାବେଶ ଶେଷରେ ଉପମୁଖ୍ୟମନ୍ତ୍ରୀ ଚାଷୀଙ୍କ ସ୍ୱାର୍ଥରେ ଆରମ୍ଭ ହୋଇଥିବା ଏହି କମ୍ୟୁନିଟି ରେଡିଓ ପ୍ରୟାସ ପାଇଁ ବ୍ଲକର ଚାଷୀ ଓ ସ୍ଥାନୀୟ ନାଗରିକମାନଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ ।

ରେଡିଓ ଡଙ୍ଗର କେବଳ ଏକ କମ୍ୟୁନିଟି ରେଡିଓ ଷ୍ଟେସନ ନୁହେଁ, ବରଂ ଏହା ଜୈବିକ ଓ ସ୍ଥାୟୀ କୃଷିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଗଢ଼ାଯାଇଥିବା ଏକ ବ୍ୟାପକ ପଦକ୍ଷେପର ଅଂଶ । ଏହି ପଦକ୍ଷେପର ଅନ୍ତର୍ଗତ ଏକ ମିଲେଟ ସେବା କେନ୍ଦ୍ର, ଅମୃତ ଅନ୍ନ ମଣ୍ଡି ଓ ସମ୍ପ୍ରଦାୟ ବିହନ ବ୍ୟାଙ୍କ ମଧ୍ୟ ସାମିଲ ରହିଛି, ଯାହା ଚାଷୀମାନଙ୍କୁ ସ୍ଥାୟୀ ଓ ଜୈବିକ କୃଷି ପଦ୍ଧତି ଆପଣାଇବାରେ ସହଯୋଗ କରିବ ।

ଏହି କମ୍ୟୁନିଟି ରେଡିଓ ଷ୍ଟେସନ ମାଧ୍ୟମରେ କୃଷି ସମ୍ବନ୍ଧୀୟ ସୂଚନା ସହିତସହିତ ଜଳବାୟୁ ପରିବର୍ତ୍ତନ ପ୍ରତିରୋଧୀ କୃଷି ଅଭ୍ୟାସ, ସରକାରୀ ଯୋଜନା, ଶିକ୍ଷା ଏବଂ ସ୍ଥାନୀୟ ବିକାଶ ସମ୍ପର୍କିତ ତଥ୍ୟ ପ୍ରସାରିତ କରାଯିବ । ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳରେ, ଯେଉଁଠାରେ ପାରମ୍ପରିକ ସମ୍ପ୍ରସାରଣ ସେବାର ପହଞ୍ଚ ସୀମିତ, ସେଠାରେ ଏହି ରେଡିଓ ଷ୍ଟେସନ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମାଧ୍ୟମ ଭାବେ କାମ କରିବ ବୋଲି ଆଶା ପ୍ରକାଶ କରାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score