Explore

Search

February 15, 2026 4:25 am

କେନ୍ଦୁଝରରେ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର : ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତ କରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ଉନ୍ନତିକୁ ତ୍ୱରାନ୍ୱିତ କରିବାସହ ଶିଳ୍ପ ଓ ଡିଜିଟାଲ ଢାଞ୍ଚାକୁ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ କେନ୍ଦୁଝର ସ୍ଥିତ ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଟଙ୍କା ବ୍ୟୟରେ ଏକ ଆଧୁନିକ ଟେକ୍ସଟାଇଲ ପାର୍କ ଓ ୧୮୭ କୋଟି ଟଙ୍କାର ବିପର୍ଯ୍ୟୟ ପୁନରୁଦ୍ଧାର ସହ ଡାଟା ସେଣ୍ଟର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ପ୍ରକଳ୍ପ ଗୁଡ଼ିକ ଜିଲ୍ଲାରେ ନୂତନ ଚାକିରି ସୃଷ୍ଟି କରିବା ସହ ଆର୍ଥିକ କ୍ଷେତ୍ରକୁ ନୂତନ ଗତି ଦେବାର ଆଶା ରହିଛି ।

ସାଧାରଣ ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦୁଝର ଏପର୍ଯ୍ୟନ୍ତ ଖଣିଜ ସମ୍ପଦ ଓ ଇସ୍ପାତ ଶିଳ୍ପ ପାଇଁ ପରିଚିତ ଥିଲେ ମଧ୍ୟ, ଆଗାମୀ ଦିନରେ ଏହାକୁ ବହୁମୁଖୀ ଶିଳ୍ପ କେନ୍ଦ୍ର ଭାବେ ଗଢ଼ି ତୋଳାଯିବ। ଟେକ୍ସଟାଇଲ, ଆଇଟି ଏବଂ ଡିଜିଟାଲ ସେବା ଖାତରେ ନିବେଶ ବଢ଼ିଲେ ଜିଲ୍ଲାର ଯୁବପିଢ଼ୀ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ।

ସେ ଆହୁରି କହିଥିଲେ, ରାଜ୍ୟ ସରକାର କେନ୍ଦୁଝରକୁ ଏକ ବିବିଧ ଶିଳ୍ପ ହବରେ ପରିଣତ କରିବାକୁ ପ୍ରତିବଦ୍ଧ । ପାରମ୍ପରିକ ଖଣି ଭିତ୍ତିକ ଅର୍ଥନୀତି ସହ ନୂତନ ପ୍ରଯୁକ୍ତି ଓ ସେବାମୂଳକ କ୍ଷେତ୍ରର ସମନ୍ୱୟ ମାଧ୍ୟମରେ “ସୁନାର କେନ୍ଦୁଝର” ଗଢ଼ି ତୋଳାଯିବା ହେଉଛି ସରକାରଙ୍କ ଲକ୍ଷ୍ୟ।

ଏହି ଗସ୍ତକୁ କେନ୍ଦୁଝର ଜିଲ୍ଲାର ସମଗ୍ର ଉନ୍ନତି ଦିଗରେ ଏକ ମାଇଲଷ୍ଟୋନ ଭାବେ ଦେଖାଯାଉଛି । ନୂତନ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ଜିଲ୍ଲାର ଅର୍ଥନୀତି ଓ ଢାଞ୍ଚାଗତ ଉନ୍ନତିରେ ଦୃଶ୍ୟମାନ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି ।

ଜିଲ୍ଲାର ଶିଳ୍ପ ଉନ୍ନତି ପାଇଁ ପ୍ରସ୍ତାବିତ ୧୦୦ କୋଟି ଟଙ୍କା ବ୍ୟୟର ଟେକ୍ସଟାଇଲ ପାର୍କ ଆଗାମୀ ଦିନରେ ଯୁବଶକ୍ତି ପାଇଁ ନୂତନ ଆଶା ନେଇଆସିବ । ଏହି ପାର୍କ ମାଧ୍ୟମରେ ପ୍ରାୟ ୧,୨୦୦ ଯୁବକ ଯୁବତୀଙ୍କୁ ସିଧାସଳଖ ଚାକିରି ସୁଯୋଗ ମିଳିବାକୁ ଥିବା ବେଳେ, ପରୋକ୍ଷ ଭାବେ ଅନେକ ଅନ୍ୟ ଉଦ୍ୟମ ମଧ୍ୟ ଲାଭାନ୍ୱିତ ହେବେ।

ପାର୍କ ଭିତରେ ଆଧୁନିକ ଭିତ୍ତିଭୂମି, ଯଥେଷ୍ଟ ବିଦ୍ୟୁତ ସୁବିଧା ଓ ସୁବ୍ୟବସ୍ଥିତ ଲଜିଷ୍ଟିକ ସମର୍ଥନ ଯୋଗାଇ ଦିଆଯିବ। ଏହା ସହିତ ପ୍ରସିଦ୍ଧ ଶିଳ୍ପ ସଂସ୍ଥା ହିଣ୍ଡାଲକୋ ୭ ଏକର ଜମିରେ ଏକ ଆଧୁନିକ ପୋଷାକ ଉତ୍ପାଦନ ୟୁନିଟ ସ୍ଥାପନ କରିବାକୁ ଆଗୁଆ ହୋଇଛି। ଏହି ୟୁନିଟରେ ପ୍ରତିବର୍ଷ ପ୍ରାୟ ୨୪ ଲକ୍ଷ ପୋଷାକ ତିଆରି ହେବାର ଲକ୍ଷ୍ୟ ଧରାଯାଇଛି।

ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏହି ପ୍ରକଳ୍ପ ମହିଳା ଓ ଯୁବକମାନଙ୍କୁ ବିଶେଷ ଭାବେ ସଶକ୍ତ କରିବ। ସ୍ଥାନୀୟ ତଳସ୍ତରରେ କୌଶଳ ଉନ୍ନୟନ ସହ ନୂତନ ଆର୍ଥିକ ସୁଯୋଗ ସୃଷ୍ଟି ହେବାରୁ ଅଞ୍ଚଳର ସାମାଜିକ–ଆର୍ଥିକ ପରିବେଶରେ ସକାରାତ୍ମକ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।

ଶିଳ୍ପ ଗୁଡ଼ିକୁ ଅଞ୍ଚଳୀୟ ସମୃଦ୍ଧିର ମୂଳ ସ୍ତମ୍ଭ ଭାବେ ଦେଖାଯାଉଛି । ଏପରି ପ୍ରକଳ୍ପ ଗୁଡ଼ିକ ରାଜ୍ୟର ଆର୍ଥିକ ଭିତିକୁ ମଜବୁତ କରିବା ସହ ନୂତନ ପିଢ଼ୀ ପାଇଁ ସ୍ଥାୟୀ ଜୀବିକାର ଦ୍ୱାର ଖୋଲିଦେବ ।

ଗତ ବର୍ଷ ଜୁଲାଇ ମାସରେ ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ଟେକ୍ସଟାଇଲ କନକ୍ଲେଭ ରାଜ୍ୟର ବୟନଶିଳ୍ପ କ୍ଷେତ୍ରକୁ ନୂତନ ଗତି ଦେଇଥିଲା । ଏହି ଅବସରରେ ପ୍ରାୟ ୭,୮୦୦ କୋଟି ଟଙ୍କା ମୂଲ୍ୟର ୩୩ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା । ଏହାର ଫଳସ୍ୱରୂପ ରାଜ୍ୟ ସାରା ପ୍ରାୟ ୫୩ ହଜାରରୁ ଅଧିକ ଯୁବକ ଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବାର ଆଶା ବାନ୍ଧିଛି।

ସରକାରଙ୍କ ଲକ୍ଷ୍ୟ ହେଉଛି ଯେ, ରାଜ୍ୟର ଯୁବପୀଢ଼ି ଅନ୍ୟ ରାଜ୍ୟକୁ ଯିବା ପରିବର୍ତ୍ତେ ନିଜ ଜିଲ୍ଲା ଓ ଘର ପାଖରେ ରୋଜଗାର ସୁଯୋଗ ପାଆନ୍ତୁ । ବୟନ ଶିଳ୍ପର ବିସ୍ତାର ଦ୍ୱାରା ସ୍ଥାନୀୟ ଅର୍ଥନୀତି ମଜବୁତ ହେବାସହ ମହିଳା ଓ ଯୁବଶକ୍ତିଙ୍କ ସଶକ୍ତିକରଣକୁ ମଧ୍ୟ ନୂତନ ଦିଗ ମିଳିବ ବୋଲି ଆଶା କରାଯାଉଛି ।

ଜିଲ୍ଲାର ଡିଜିଟାଲ ଭିତ୍ତିଭୂମିକୁ ଶକ୍ତିଶାଳୀ କରିବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ Odisha Computer Application Centre (OCAC) ମାଧ୍ୟମରେ ୧୮୭ କୋଟି ଟଙ୍କା ବ୍ୟୟରେ ଏକ ଆଧୁନିକ ବିପର୍ଯ୍ୟୟ ପୁନରୁଦ୍ଧାର କେନ୍ଦ୍ର ସହ ଡାଟା ସେଣ୍ଟର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ।

ଏହି ନୂତନ ସୁବିଧା ରାଜ୍ୟର ଡିଜିଟାଲ ପରିକାଠାମୋକୁ ଦୃଢ଼ କରିବା ସହ ଆପତ୍‌କାଳୀନ ପରିସ୍ଥିତିରେ ଡାଟା ସୁରକ୍ଷାକୁ ସୁନିଶ୍ଚିତ କରିବ। ପ୍ରାକୃତିକ ବିପର୍ଯ୍ୟୟ, ପ୍ରଯୁକ୍ତିଗତ ତ୍ରୁଟି କିମ୍ବା ସାଇବର ଆକ୍ରମଣ ଭଳି ଅସାମାନ୍ୟ ପରିସ୍ଥିତିରେ ସରକାରୀ ଡିଜିଟାଲ ସେବାର ଯାତାୟାତ ଅବିରତ ରହିବାକୁ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ।

ସରକାରୀ ସୂତ୍ର ଅନୁସାରେ, ଏହି ଡାଟା ସେଣ୍ଟର ଦ୍ୱାରା ଇ-ଶାସନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ ଏବଂ ଲୋକମାନଙ୍କୁ ଦିଆଯାଉଥିବା ଅନଲାଇନ ସେବା ସମୟୋପଯୋଗୀ ଓ ନିରବିଘ୍ନ ଭାବେ ପହଞ୍ଚିବ। ଡିଜିଟାଲ ଓଡ଼ିଶା ଗଢ଼ି ତୋଳିବା ଲକ୍ଷ୍ୟରେ ଏହାକୁ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ବୋଲି ମନାଯାଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score