ଭୁବନେଶ୍ୱର : କନ୍ଧମାଳକୁ ମିଳିବ ନୂଆ ବିକାଶର ଗତି । କନ୍ଧମାଳ ଜିଲ୍ଲାର ସମଗ୍ର ଉନ୍ନତିରେ ପର୍ଯ୍ୟଟନକୁ ମୁଖ୍ୟ ଆଧାର ଭାବେ ଗଢ଼ି ତୋଳିବା ଆବଶ୍ୟକ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଉଲ୍ଲେଖ କରିଛନ୍ତି । ମୁଖ୍ୟ ଶାସନ ସଚିବ କନ୍ଧମାଳରେ ଚାଲୁଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ଗତି ବୃଦ୍ଧି ପାଇଁ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବରୁ ଜାନୁଆରୀ ମାସରେ ତାଙ୍କର ଜିଲ୍ଲା ଗସ୍ତ ସମୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କୃଷି, ଜୀବିକା ଓ ପର୍ଯ୍ୟଟନ ମାନଙ୍କୁ ନଜରରେ ରଖି ବ୍ୟାପକ ସମୀକ୍ଷା କରାଯାଇଥିଲା । ସେଥିରୁ ଚିହ୍ନଟ ସମସ୍ୟା ଗୁଡିକର ସମାଧାନ ସହ ଆଗାମୀ ଦିନରେ କନ୍ଧମାଳର ସମ୍ଭାବନା କିପରି ଉନ୍ନତ କରାଯିବ, ସେଥିପାଇଁ ଆଲୋଚନା ହୋଇଛି।
ଦାରିଙ୍ଗବାଡି ଅଞ୍ଚଳର ହିଲ୍ ଭ୍ୟୁ ପଏଣ୍ଟ, ନେଚର ପାର୍କ, କଫି ବଗିଚା ସହିତ ଜିଲ୍ଲାର ବିଭିନ୍ନ ଝରଣା ଓ ପ୍ରାକୃତିକ ସ୍ଥାନ ଗୁଡିକୁ ଆକର୍ଷଣୀୟ ଭାବେ ବିକାଶ କରିବା ପ୍ରସଙ୍ଗରେ ବିଶେଷ ଭାବରେ ଆଲୋଚନା ହୋଇଛି । ଏହି ପଦକ୍ଷେପ ନେଲେ ପର୍ଯ୍ୟଟକ ଆକର୍ଷିତ ହେବେ ଏବଂ ସ୍ଥାନୀୟ ଲୋକଙ୍କ ଆର୍ଥିକ ସ୍ଥିତି ମଧ୍ୟ ସୁଧାରିବ।
କୃଷି କ୍ଷେତ୍ରରେ ମଧ୍ୟ କନ୍ଧମାଳକୁ ଶକ୍ତିଶାଳୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷ କରି କନ୍ଧମାଳ ହଳଦୀ, ଗୋଲମରିଚ, ମସଲା ଚାଷ ସହ ଷ୍ଟ୍ରବେରୀ ଚାଷର ସମ୍ଭାବନା ଉପରେ ଚର୍ଚ୍ଚା ହୋଇଛି । ଏହାସହ ଜଙ୍ଗଲ ଉତ୍ପାଦ ଯେପରିକି ମହୁ ଓ ତେନ୍ତୁଳିକୁ ଉନ୍ନତ ପ୍ୟାକେଜିଂ ଓ ବଜାର ସୁବିଧା ଦେଇ ଲୋକଙ୍କ ଆୟ ବଢ଼ାଇବା ପ୍ରୟାସ ନିଆଯିବ।
ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ କନ୍ଧମାଳର ସାର୍ବିକ ଉନ୍ନତି ପାଇଁ ୨୫ଟି ମୁଖ୍ୟ ପଦକ୍ଷେପ ଉପସ୍ଥାପନ କରିଥିଲେ । ଏଥିରେ ପର୍ଯ୍ୟଟନ ବିକାଶ, ଡିଜିଟାଲ ସଂଯୋଗ ବୃଦ୍ଧି, ଜଳସେଚନ ବ୍ୟବସ୍ଥା ସୁଦୃଢ଼ କରିବା, ସଡ଼କ ଓ ରେଳ ସଂଯୋଗ ବିସ୍ତାର, ବିଦ୍ୟୁତ ସୁବିଧା ଉନ୍ନତି ଆଦି ବିଷୟରେ ଯୋଜନା ରହିଛି।
ଏହାସହ ଜିଲ୍ଲାରେ କୃଷି ଉଦ୍ୟୋଗ ଓ ଏମଏସଏମଇ ପାର୍କ ସ୍ଥାପନ, ଆଦର୍ଶ ବିଦ୍ୟାଳୟ ଓ ଛାତ୍ରାବାସ ନିର୍ମାଣ, ପ୍ରାଥମିକ ସ୍ୱାସ୍ଥ୍ୟ ସେବା ସୁଧାର, ଗ୍ରାମୀଣ ମୌଳିକ ସୁବିଧା ବୃଦ୍ଧି ଓ ପାଠାଗାର ନିର୍ମାଣକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି । କୃଷି ଜମିକୁ ସୁରକ୍ଷା ପାଇଁ ସୌର ଶକ୍ତି ଚାଳିତ ବାଡ଼ ବ୍ୟବସ୍ଥା ବିକାଶ ପାଇଁ ମଧ୍ୟ ଯୋଜନା ରହିଛି ।
ଲୋକସେବା ଭବନରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ସହଭାଗୀ ହୋଇଥିଲେ, ଯେଉଁଥିରେ ରାଜ୍ୟ ଓ ଜିଲ୍ଲାସ୍ତରର ଅଧିକାରୀମାନେ ଭିସି ମାଧ୍ୟମରେ ଯୋଗଦେଇଥିଲେ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
