Explore

Search

January 8, 2026 4:44 am

କଠିନ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ : ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ୫୪ତମ ଜନ୍ମଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର କଠିନ ପରିଶ୍ରମୀ ଏବଂ ଲୋକମୁଖୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଶ୍ରୀଯୁକ୍ତ ମୋହନ ଚରଣ ମାଝୀ । ଯେବେଠୁ ସେ ମୁଖ୍ୟମନ୍ତ୍ରୀ ପଦରେ ବସିଲେଣି ସେବେ ଠୁ ସେ ରାତି ଦିନ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ରାଜ୍ୟର ବିକାଶକୁ ନୂଆ ଗତି ଦେବାସହ ଯୁବପୀଢ଼ିଙ୍କ ସଶକ୍ତିକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଆସୁଛନ୍ତି । ଲୋକସେବାରେ ନିବିଡ଼ ଭାବେ ଲିପ୍ତ ରହୁଥିବା ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।

୧୯୭୨ ଜାନୁଆରୀ ୬ ଅର୍ଥାତ ଆଜିର ଦିନରେ ଜନ୍ମିତ ମୋହନ ଚରଣ ମାଝୀ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ରହିଆସିଛନ୍ତି । ଓଡ଼ିଶା ବିଧାନ ସଭାରେ ସେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଛନ୍ତି । ୨୦୦୦, ୨୦୦୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।

୨୦୦୦ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାଜପାର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫୧,୪୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ରେ ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୪୬,୧୪୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।

୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୪୭,୨୮୩ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହି ପରାଜିତ ହୋଇଥିଲେ ।

୨୦୧୯ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଗତ ୨୦୨୪ ନିର୍ବାଚନରେ ମଧ୍ୟ ସେ ବିପୁଳ ଭୋଟରେ ବିଜୟୀ ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

୨୦୨୪ ଜୁନ ୧୨ ତାରିଖ ସେଦିନ ଥିଲା ଓଡିଶା ପାଇଁ ଏକ ବଡ଼ ଦିନ । ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ବିଜେପିର ଏହି ଯୁବ ନେତା ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଯୋଗ ଦେଇ ଇତିହାସ ସୃଷ୍ଟି କରିଛନ୍ତି । ‘ଲୋକଙ୍କ ସରକାର’ ମନ୍ତ୍ରକୁ ନେଇ ଆଗେଇ ଚାଲୁଥିବା ବିଜେପି ଦଳ ବିଶ୍ୱାସ ଓ ଭରଷା ସହିତ ଓଡ଼ିଶାର ସମଗ୍ର ବିକାଶର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଉପରେ ନ୍ୟସ୍ତ କରିଛି । ଆଉ ସେବେଠୁ ମୁଖ୍ୟମନ୍ତ୍ରୀ ନିରନ୍ତର କଠିନ ପରିଶ୍ରମ ଓ ସତ୍ତାନିଷ୍ଠାର ସହିତ ଏହି ଦାୟିତ୍ୱ ପାଳନ କରୁଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ନିଜେ ଅଭିଯୋଗ ଶୁଣାଣି କରି ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି । ଆଉ ଆଜି ତାଙ୍କ ୫୪ତମ ଜନ୍ମଦିନ ଅବସରରେ ରାଜ୍ୟର ସମସ୍ତ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score