Explore

Search

November 21, 2025 10:17 am

ବିଡିଓ ହେବ ତ ଏମିତି

ସେ ଜଣେ ବିଡିଓ, ହେଲେ କେବେ ବି ସେ ନିଜକୁ ସେଇ ସ୍ଥାନରେ ଦେଖି ନାହାଁନ୍ତି । ସବୁ ବେଳେ ଜଣେ ସାଧାରଣ ଲୋକଙ୍କ ଭଳି ସେ କାମ କରନ୍ତି । ସେ ଜାଗା ଯେମିତି ହେଇଥାଉ ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କୁ ସେବା କରିବାରେ ସେ ସବୁ ବେଳେ ତତ୍ପର । ସରକାରଙ୍କ ନୂତନ ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇ ତାର ସଫଳ ରୂପାୟନ କରିବାରେ ସେ ସବୁବେଳେ ଲକ୍ଷ ରଖିଥାନ୍ତି । ସରକାରୀ ଯୋଜନାକୁ ଦୁର୍ଗମ ଅଞ୍ଚଳର ହିତାଧିକାରୀଙ୍କ ନିକଟରେ ପହଞ୍ଚାଇ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପାହାଡ଼ ଚଢି ଚର୍ଚ୍ଚାରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ ।

ପାଞ୍ଚଟି ପରିବାର ପାଖରେ ସରକାରୀ ସୁବିଧାକୁ ପହଞ୍ଚାଇବା ପାଇଁ ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ ଏଭଳି ପଦକ୍ଷେପ ନେଇଛନ୍ତି । ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଫୁଟଘର ଗାଁ । ଏଠାକୁ ଯିବା ପାଇଁ ଭଲ ରାସ୍ତା ନାହିଁ । ଅଙ୍କା ବଙ୍କା ରାସ୍ତା ଦେଇ ତିନିଟି ପାହାଡ଼ ଚଢିବା ପରେ ପହଞ୍ଚିଥିଲେ ଫୁଟଘର ଗାଁ । ଗାଁରେ ବାସ କରନ୍ତି ୫ଟି ପରିବାର । କ୍ଷୀରୋଦ ଚନ୍ଦ୍ର ସାହୁ ନନ୍ଦାହାଣ୍ଡି ବ୍ଲକରେ ୨୦୨୩ ମସିହାରେ ବିଡ଼ିଓ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏହାର ଅଳ୍ପ ଦିନ ପରେ ସେ ଫୁଟଘର ଗାଁକୁ ଯାଇ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ ।

ସମସ୍ୟାର ସମାଧାନ ପାଇଁ ସେ ନିଜ ପ୍ରତିଶ୍ରୁତି ପାଳନ କରିଥିଲେ । ଏବେ ପୁଣି ଥରେ ଆଉ କିଛି ସମସ୍ୟା ରହିଛି କି ଜାଣିବା ପାଇଁ ବ୍ଲକର ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଫୁଟଘର ଗାଁକୁ ଯାଇଥିଲେ । ସମସ୍ତଙ୍କ ବ୍ୟକ୍ତିଗତ ସମସ୍ୟା ସହ ମୌଳିକ ସମସ୍ୟା ପଚାରିବୁଝିଥିଲେ ବିଡିଓ ବାବୁ । ଆଉ ସେଠାରେ ପହଞ୍ଚି ଜଣେ ବୟସ୍କ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ରହିଯାଇଥିବା ଜାଣିବା ପରେ ତାଙ୍କୁ ତୁରନ୍ତ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଗାଁକୁ ରାସ୍ତାଟିଏ ନଥିବାରୁ ଏହାର ମଧ୍ୟ ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

କିଛି ମାସ ତଳେ ଆପଣ ଏକ ଖବର ଦେଖିଥିବେ, ଯେଉଁଥିରେ ଝାଡାବାନ୍ତି ଆକ୍ରାନ୍ତ ଜଣେ ନାବାଳକକୁ ଟେକି ନେଇ ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ ଗାଡିରେ ବସାଇ ମେଡିକାଲ ପଠାଇଥିଲେ । ଆଉ ଏବେ ୩ କିଲୋମିଟର ପାହାଡ ଚଢି ଦୁର୍ଗମ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ନେଇ ପୁଣିଥରେ ଚର୍ଚ୍ଚାରେ । ଦୁର୍ଗମ ଅଞ୍ଚଳର ତୃଣମୂଳସ୍ତରର ଲୋକଙ୍କ ନିକଟରେ ସରକାରୀ ଯୋଜନାକୁ ପହଞ୍ଚାଇବା ପାଇଁ ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ଏଭଳି କାର୍ଯ୍ୟ ସାଧାରଣରେ ବେଶ ପ୍ରଶଂସିତ ହୋଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score