କୋରାପୁଟ : ବାଜା, ତୁରୀ, ଢ଼ାପ, ଢୋଲ ମହୁରୀର ତାଳେତାଳେ ପାରମ୍ପାରିକ ଢେମସା ନୃତ୍ୟରେ କମ୍ପି ଉଠିଲା କୁଟୁଣିପଦର I ସବୁବେଳେ ନିଛାଟିଆ ଥିବା ଏହି ସ୍ଥାନଟି ସକାଳୁ ଉତ୍ସବମୁଖର ହୋଇ ଉଠିଥିଲା I କାରଣ ଚଳିତ ବର୍ଷର କୋରାପୁଟ ଜିଲ୍ଲା ‘ପରବ-୨୦୨୫’ ଏହିଠାରୁ ହିଁ ଶୁଭାରମ୍ଭ ହୋଇଛି I ଆଉ ଯେଉଁଥି ପାଇଁ ଦୁଲକିଥିଲା ଲକ୍ଷ୍ମୀପୁର ବ୍ଲକ୍ କୁସୁମଗୁଡ଼ା ପଞ୍ଚାୟତ କୁଟୁଣିପଦର ଶୈବପୀଠ । ଗତକାଲି (ବୁଧବାର) ସକାଳୁ ସକାଳୁ ପରମ୍ପରା ମୁତାବକ କୋରାପୁଟ ବିଧାୟକ , ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ସଂସ୍କୃତି ଅଧିକାରୀ, ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ ଓ ବିଭିନ୍ନ ବ୍ୟକ୍ତି ବିଶେଷ କୋରାପୁଟ ନିଶାଣିମୁଣ୍ଡାରେ ଉପସ୍ଥିତ ରହି ଗ୍ରାମଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ। ପୂଜାର୍ଚ୍ଚନା ପରେ ନିଶାଣିମୁଣ୍ଡା ଠାରୁ ‘ପରବ’ କମିଟି ସଦସ୍ୟଙ୍କ ସମେତ ଲୋକ ପ୍ରତିନିଧି ଓ ସରକାରୀ ଅଧିକାରୀମାନେ ପାରମ୍ପାରିକର ଅଭିମୁଖେ ଯାତ୍ରା କରିଥିଲେ । ପୂର୍ବାହ୍ନ ୧୧ଟା ସମୟରେ କୁଟୁଣିପଦର ଶୈବପୀଠରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ‘ପରବ’ ମଶାଲ୍ ପ୍ରଜ୍ବଳନ କରାଯାଇଥିଲା । ଢେମସା ଏବଂ ଆଦିବାସୀ ନୃତ୍ୟର ତାଳେ ତାଳେ ମଶାଲ ଶୋଭାଯାତ୍ରା ବାହାରି ‘ପରବ’ ଶୁଭାରମ୍ଭ କାର୍ଯ୍ୟକ୍ରମ ଅୟୋଜନ କରାଯାଇଥିବା ପଡିଆକୁ ନିଆଯିବା ପରେ ଅନୁଷ୍ଠିତ ହୋଇଥିଲା କୋରାପୁଟ ‘ପରବ’-୨୦୨୫ ।
ଆଦିବାସୀ କଳା ସଂସ୍କୃତି ପରମ୍ପରାକୁ ନେଇ ରାଜ୍ୟରେ କୋରାପୁଟ ଜିଲ୍ଲା ପ୍ରଥମେ ୨୮ ବର୍ଷ ପୂର୍ବେ ଏହି ‘ପରବ’ ଆରମ୍ଭ କରିଥିଲା । ଏହାପରେ ଅନ୍ୟ ଜିଲ୍ଲା ଗୁଡିକ ‘ପରବ’କୁ ଅନୁକରଣ କରି ‘ପରବ’ ମହୋତ୍ସବ ପାଳନ ଆରମ୍ଭ କରିଥିଲେ । ଏହି ଅବସରରେ ଢେମସା, ଦୁରୁଆ ଏବଂ ଅନ୍ୟାନ୍ୟ ଆଦିବାସୀ ନୃତ୍ୟରେ ଅଞ୍ଚଳଟି କମ୍ପି ଉଠିଥିଲା । ପ୍ରତିବର୍ଷ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଜିଲ୍ଲା ସଦରମହକୁମା କୋରାପୁଟ ଠାରେ ଆୟୋଜିତ ଅଦିବାସୀ ଉତ୍ସବ ‘ପରବ’ ନାମରେ ପରିଚିତ । ଏହା କୋରାପୁଟ ଜିଲ୍ଲାରେ ପାଳିତ ହେଉଥିଲେ ମଧ୍ୟ ଜାତୀୟସ୍ତରୀୟ ଉତ୍ସବର ମାନ୍ୟତା ପାଇଛି । ଏହି ଉତ୍ସବରେ ଖେଳ, ନାଚ, ଗୀତ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ରହିଛି । ଏହି ଆଦିବାସୀ ସାଂସ୍କୃତିକ ମହୋତ୍ସବକୁ ଦେଖିବା ପାଇଁ କେବଳ ଜିଲ୍ଲା ନୁହେଁ ଦେଶ ବାହାରୁ ମଧ୍ୟ ଅନେକ ଲୋକେ ଆସିଥାନ୍ତି । ସେହିପରି ଖାଲି କୋରାପୁଟର କଳାକାର ନୁହଁନ୍ତି ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନେ ମଧ୍ୟ ପରବ ଉତ୍ସବରେ ଭାଗ ନେଇଥାନ୍ତି । ପଞ୍ଚାୟତରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଉତ୍ସବରେ ପାଖାପାଖି ୧ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥାନ୍ତି । ଯାହା ଜାତୀୟସ୍ତରରେ ରେକର୍ଡ ସୃଷ୍ଟି କରେ। ‘ପରବ’ରେ ସମାପନ ଦିନ ଆଦିବାସୀଙ୍କ ଜୀବନଶୈଳୀ, କଳା ଉପରେ ଏକ କାହାଣୀ ପ୍ରଦର୍ଶନ କରାଯିବାର ଆୟୋଜନ ରହିଛି ।
ସେହିପରି ଏହି ଅବସରରେ ଅନେକ ପ୍ରକାରର ଆଦିବାସୀଙ୍କ ହାତ ତିଆରି ପୋଷାକ, ଏଠିକାର ସୁସ୍ଵାଦ ବ୍ୟଞ୍ଜନ ସହ ବିଭିନ୍ନ ଖାଦ୍ୟ ଷ୍ଟଲ, ହାତ ବୁଣା ଶୀତ ପୋଷାକ, ଘରକରଣା ସାମଗ୍ରୀ, ପାଳୁଅ, ହାତ ତିଆରି ରୋଷେଇ ମସଲା ସାମଗ୍ରୀ, ପିଠା ସହ ପଲ୍ଲୀଶ୍ରୀ ମେଳା, ପୁଷ୍ପ ପ୍ରଦର୍ଶନୀର ଅୟୋଜନ ରହିଛି । ଏହି ‘ପରବ’ ମାଧ୍ୟମରେ ସାଧାରଣ ଜନତା ସହିତ ପ୍ରଶାସନ ଓ ଲୋକ ପ୍ରତିନିଧି ମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲାରେ ଏକତା ସୃଷ୍ଟି କରିବାରେ ସକ୍ଷମ ହୋଇଛି ‘ପରବ’ । ‘ପରବ’ ମାଧ୍ୟମରେ ଅନେକ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆସି ପାରୁଛି। କର୍ମମୟ ଜୀବନକୁ କିଛିଟା ହାଲୁକା କରିଥାଏ ‘ପରବ’ । ଏହିଦିନ ହେଉଥିବା ପାରମ୍ପାରିକ ନୃତ୍ୟ ଗୀତରେ ନିଜକୁ ହଜେଇ ଦେଇଥାନ୍ତି ଲୋକେ । ଏହି ମହୋତ୍ସବ ସାଂସ୍କୃତିକ ଆଦାନପ୍ରଦାନ ଏବଂ ଏକତାର ଏକ ମଞ୍ଚ ଭାବରେ କାର୍ଯ୍ୟ କରି ଆସିଛି ।
ପରମ୍ପରା, ଆଧୁନିକତା, ଗ୍ରାମ ,ସହର ଏବଂ କୋରାପୁଟର ପାହାଡ ଓ ସମତଳ ଅଞ୍ଚଳ ମଧ୍ୟରେ ସେତୁ ସ୍ଥାପନ କରିଛି କୋରାପୁଟର ଆଦିବାସୀ ସାଂସ୍କୃତିକ ମହୋତ୍ସବ ‘ପରବ’ । ଓଡିଶାର କାଶ୍ମୀର ଭାବରେ ଜଣାଶୁଣା କୋରାପୁଟ, ‘ପରବ’ ଉତ୍ସବ ପାଇଁ ଏକ ମନୋରମ ପୃଷ୍ଠଭୂମି ପ୍ରଦାନ କରେ। ଏହି ଜିଲ୍ଲା ପାହାଡ଼, ଘନ ଜଙ୍ଗଲ, ଜଳପ୍ରପାତ ଏବଂ ପ୍ରାଚୀନ ମନ୍ଦିରରେ ପରିପୂର୍ଣ୍ଣ, ଯାହା ପର୍ଯ୍ୟଟକଙ୍କ ପାଇଁ ଏକ ସ୍ୱର୍ଗ କରିଥାଏ। ପ୍ରତିବର୍ଷ, ‘ପରବ’ ସମୟରେ ହଜାର ହଜାର ଦେଶୀୟ ଏବଂ ଆନ୍ତର୍ଜାତୀୟ ପର୍ଯ୍ୟଟକ କୋରାପୁଟ ପରିଦର୍ଶନ କରନ୍ତି । ରଙ୍ଗୀନ ଶୋଭାଯାତ୍ରା, ଆଦିବାସୀ ନୃତ୍ୟ ପ୍ରତିଯୋଗିତା, ଲୋକ ସଂଗୀତ ପ୍ରଦର୍ଶନ, ହସ୍ତଶିଳ୍ପ ଷ୍ଟଲ ଏବଂ ଆଞ୍ଚଳିକ ଖାଦ୍ୟ ପ୍ରଦର୍ଶନୀ ଖୁବ ଆକର୍ଷଣ ସାଜିଥାଏ ପର୍ଯ୍ୟଟକଙ୍କ ପାଇଁ । ଏହା ଜିଲ୍ଲାକୁ ଏକ ସାଂସ୍କୃତିକ କାର୍ନିଭାଲରେ ପରିଣତ କରିଥାଏ । ଏହି ମହୋତ୍ସବ ପରିବେଶ ପର୍ଯ୍ୟଟନ ଏବଂ ଗ୍ରାମୀଣ ଜୀବିକାକୁ ଏକ ପ୍ରମୁଖ ପ୍ରୋତ୍ସାହନ ପ୍ରଦାନ କରିବା ସହ ଆଦିବାସୀ ଐତିହ୍ୟକୁ ସଂରକ୍ଷଣ କରିବା ଓ ସ୍ଥାୟୀ ବିକାଶକୁ ମଧ୍ୟ ପ୍ରୋତ୍ସାହିତ କରେ । ଐତିହ୍ୟ, ସଂସ୍କୃତି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ମିଶ୍ରଣ ସହିତ, କୋରାପୁଟର ପରବ ଓଡ଼ିଶାର ସମୃଦ୍ଧ ଆଦିବାସୀ ଐତିହ୍ୟର ପ୍ରତୀକ ଏବଂ ବିବିଧତା ମଧ୍ୟରେ ଏକତାର ଆହ୍ୱାନ ଭାବରେ ଉଜ୍ଜ୍ୱଳ ହୋଇ ରହିଛି । କୋରାପୁଟର କଳା, ସଂସ୍କୃତି, ଐତିହ୍ୟ ଆଦିକୁ ବିଶ୍ଵ ଦରବାରରେ ପ୍ରତିପାଦିତ କରିବା ପାଇଁ ୧୯୯୬ ମସିହାଠାରୁ ପ୍ରତିବର୍ଷ ଏହି ଲୋକ ମହୋତ୍ସବ “ପରବ” ପାଳନ କରାଯାଉଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
