ସବୁଜିମାମୟ ଜିଲ୍ଲା ହେଉଛି କୋରାପୁଟ l ଏକବିଂଶ ଶତାବ୍ଦୀରେ କୋରାପୁଟର ଗୌରବକୁ ଫେରାଇ ଆଣିବାକୁ ହେଲେ ଏହି ଅଞ୍ଚଳକୁ ସବୁଜିମାରେ ପରିବର୍ତ୍ତନ କରିବାକୁ ପଡ଼ିବ । ଯାହା କେବଳ ଅଧିକରୁ ଅଧିକ ବୃକ୍ଷ ରୋପଣ ଦ୍ଵାରା ସମ୍ଭବ ଏଥିସହ ମା’ର ସୁରକ୍ଷା ପାଇଁ ସଂକଳ୍ପ ନେବାକୁ ହେବ। ପବିତ୍ର “ସୁନାବେଶ’ ଅବସରରେ କୋରାପୁଟରେ ‘ଏକ ପେଡ ମା’ କେ ନାମ୍-୨.୦’ ଅଭିଯାନ ଓ ବନ ମହୋତ୍ସବରେ ଯୋଗଦେଇ ଏଭଳି କିଛି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସ୍ଥାନୀୟ ଓଏସଏପି ତୃତୀୟ ବାଟାଲିୟନ ପରିସରରେ ଛାତ୍ରଛାତ୍ରୀ, ମାତୃଶକ୍ତି, ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ ଓ ଅନ୍ୟ ସଦସ୍ୟଙ୍କ ସହ ମିଶି ଚାରା ରୋପଣ କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ଆଜି ହେଉଛି ମହାପ୍ରଭୁଙ୍କ ସୁନାବେଶ। ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଦାରୁବ୍ରହ୍ମ । ଦାରୁ ଦେବତା ରୂପେ ସେ ସୁପରିଚିତ । ତେଣୁ ଗଛ ପ୍ରତି ଓଡ଼ିଶାବାସୀଙ୍କ ଆସକ୍ତି ରହିଛି। ସେ ଆହୁରି କହିଛନ୍ତି, କୋରାପୁଟ ଜିଲ୍ଲା ସହ ତାଙ୍କର ଦୀର୍ଘ ୩୦- ୩୫ ବର୍ଷର ସମ୍ପର୍କ। ଏଠାରେ ବୁଲିବା ବେଳେ ସେ ଏହା ଅନୁଭବ କରିଛନ୍ତି, ଖାଲି ପଡ଼ିଥିବା ଜଙ୍ଗଲ ଜମିକୁ ଘଞ୍ଚ ଜଙ୍ଗଲରେ ପରିଣତ କରାଇବା ପାଇଁ ପଡ଼ିବ। ତାଙ୍କ ପାଇଁ ବିକଶିତ ଓଡ଼ିଶାର ଅର୍ଥ ହେଉଛି, ବିକଶିତ କୋରାପୁଟ । ଏହାର ବିକାଶ କରିବାକୁ ହେଲେ ଏଠାରେ ବୃକ୍ଷ ରୋପଣ ଅଭିଯାନକୁ ବ୍ୟାପକ କରିବା ସହ ନାଗରିକଙ୍କୁ ମୌଳିକ ସୁବିଧା ଦେବା, ସ୍ଥାନୀୟ ଚାଷ ସାମଗ୍ରୀ ଓ ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ହସ୍ତତନ୍ତ୍ର ସାମଗ୍ରୀକୁ ଆଗକୁ ନେବାକୁ ପଡ଼ିବ । ଶ୍ରୀ ପ୍ରଧାନ କୋରାପୁଟର ଜନସାଧାରଣଙ୍କୁ ଅନୁରୋଧ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଆମେ ବିଭିନ୍ନ ସ୍ଥାନରେ ଗଛ ଲଗାଇବା। ତାହାର ଯନ୍ତ୍ର ନେବା ସହ ମାଟି ମା’ର ସୁରକ୍ଷା ପାଇଁ ସଂକଳ୍ପ କରିବା । ‘ବିକଶିତ କୋରାପୁଟ, ବିକଶିତ ଓଡ଼ିଶା ପାଇଁ ବ୍ୟକ୍ତିଗତ ସ୍ତରରେ ନିଜର ଯୋଗଦାନ ରଖିବା। ଏହି ବୃକ୍ଷ ରୋପଣ ଅଭିଯାନକୁ ଜନଆନ୍ଦୋଳନର ରୂପ ଦେବା। କୋରାପୁଟକୁ “ ବ୍ରାଣ୍ଡ୍ କୋରାପୁଟ’ରେ ପରିଣତ କରିବାକୁ ପଡ଼ିବ । ଏ ଅବସରରେ ଶ୍ରୀ ପ୍ରଧାନ ଏକ ସବୁଜ ରଥର ଶୁଭାରମ୍ଭ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ନିତ୍ୟାନନ୍ଦ ଗଣ୍ଡ, ଗୋକୁଳାନନ୍ଦ ମଲ୍ଲିକ, କୋରାପୁଟ ସାଂସଦ ସପ୍ତଗିରି ଭଲ୍କାକା, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ପ୍ରମୁଖ ଚାରା ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଭତ୍ତା, ଜିଲ୍ଲାପାଳ ଭି.କୀର୍ତି ଭାସନ, ଡିଏଫ୍ଓ ଭାସ୍କର ରାଓ, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଅଖିଳେଶ୍ୱର ସିଂ, ବିଏସଏଫ ଡିଆଇଜି, ଏସ୍ପି ରୋହିତ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |