Explore

Search

March 16, 2025 3:08 am

Genres

ଆଜି ମଧ୍ଯ କୋଟି ଓଡିଆଙ୍କ ପାଇଁ ସେ “ବିଜୁ ବାବୁ”

ଆଜି ମଧ୍ଯ କୋଟି ଓଡିଆଙ୍କ ପାଇଁ ସେ ବିଜୁ ବାବୁ

“ବିଜୁ ପଟ୍ଟନାୟକ” ଏହା କେବଳ ଏକ ନାମ ନୁହେଁ ଏହା ଓଡ଼ିଶାର ପରିଚୟ l ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସାହାସୀ ପାଇଲଟ ଏବଂ ମହାନ ରାଜନେତା ଭାବେ ସେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି l ଯାହାଲାଗି ସେ ସଦା ବନ୍ଦନୀୟ l

ପ୍ରାରମ୍ଭିକ ଜୀବନ ଓ ପରିବାର-

କଟକ ସହରରେ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାତା ଆଶାଲତା ପଟ୍ଟନାୟକଙ୍କଠାରୁ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ ତୁଳସୀପୁରଠାରେ ଜନ୍ମିତ ବିଜୁ ପଟ୍ଟନାୟକ ରେଭେନ୍ସା କଲିଜିଏଟ ସ୍କୁଲ ଠାରେ ସ୍କୁଲଶିକ୍ଷା ସରିବା ପରେ ରେଭେନ୍ସା କଲେଜରେ ବିଜ୍ଞାନ ପଢ଼ିଥିଲେ । ପାଠପଢ଼ା ଜୀବନରେ ସେ ଖେଳ ପ୍ରତି ଭାରି ଇଚ୍ଛୁକ ଥିଲେ ଓ ବିଶ୍ୱବିଦ୍ୟାଳୟ ଫୁଟବଲ ଓ ଦଳର କ୍ୟାପଟେନ ରହିଆସିଥିଲେ । ଏହା ପରେ ସେ ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂଶିକ୍ଷାନୁଷ୍ଠାନରେ ବିମାନ ଉଡ଼ାଣ ଶିକ୍ଷାରେ ଯୋଗଦେଇଥିଲେ । ବିଜୁ ପଟ୍ଟନାୟକ ଜ୍ଞାନ ପଟ୍ଟନାୟକଙ୍କୁ ୧୯୩୮ ମସିହାରେ ବିବାହ କରିଥିଲେ । ତାଙ୍କ ପୁଅ ନବୀନ ପଟ୍ଟନାୟକ ଯିଏକି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରୂପେ ନିଜର କାର୍ଯ୍ୟ ତୁଲାଇଥିବା ବେଳେ, ତାଙ୍କ ଝିଅ ଗୀତା ମେହେଟା ଜଣେ ବିଶିଷ୍ଟ ଲେଖିକା । ବଡ଼ ପୁଅ ପ୍ରେମ ପଟ୍ଟନାୟକ ଦିଲ୍ଲୀରେ ଜଣେ ବ୍ୟବସାୟୀ ଭାବରେ ଅବସ୍ଥାପିତ ।

ରାଜନୈତିକ ଜୀବନ-

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ତାଙ୍କ ରାଜନୈତିକ ଜୀବନ ୧୯୪୬ରେ ଆରମ୍ଭକରି ନିର୍ବିରୋଧ ଭାବେ ଓଡ଼ିଶା ବିଧାନ ସଭାକୁ ଉତ୍ତର କଟକ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୧୯୫୨ ଏବଂ ୧୯୫୭ରେ ସେ ଯଥାକ୍ରମେ ଜଗନ୍ନାଥ ପ୍ରସାଦ ଏବଂ ସୋରଡ଼ାରୁ ଜିତିଥିଲେ । ୧୯୬୧ରେ ସେ ରାଜ୍ୟ କଂଗ୍ରେସର ସଭାପତିତ୍ୱ ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ୱରେ କଂଗ୍ରେସ ଦଳ ୧୪୦ରୁ ୮୨ଟି ଆସନରେ ବିଜୟ ଲାଭ କରିଥିଲା । ଚୌଦ୍ୱାରରୁ ନିର୍ବାଚିତ ବିଜୁ ପଟ୍ଟନାୟକ ପ୍ରଥମ ଥର ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ୨ ଅକ୍ଟୋବର ୧୯୬୩ ପର୍ଯ୍ୟନ୍ତ ପଦବୀରେ ରହିଥିଲେ । କଂଗ୍ରେସକୁ ପୁଣି ସତେଜ କରିବା ପାଇଁ ସେ କାମରାଜ ଯୋଜନାରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ । ବିଜୁ ବାବୁ ଓ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା, ହେଲେ ୧୯୬୯ ରାଷ୍ଟ୍ରପତି ନିର୍ବାଚନ ବେଳେ ତାଙ୍କ ଭିତରେ ମନୋମାଳିନ୍ୟ ହୋଇଯିବାରୁ ଓ ୧୯୭୧ରେ ହୋଇଥିବା ରାଜ୍ୟ ସଭା ନିର୍ବାଚନ ନିମନ୍ତେ କଂଗ୍ରେସ ଟିକଟ ନପାଇବାରୁ ସେ କଂଗ୍ରେସ ଛାଡ଼ି “ଉତ୍କଳ କଂଗ୍ରେସ” ନାମରେ ଏକ ନୂତନ ଦଳ କରିଥିଲେ।

୧୯୭୧ ବିଧାନ ସଭା ମତଦାନରେ ତାଙ୍କ ଦଳ ଯୁକ୍ତିଯୁକ୍ତ ଭାବେ ଭଲ କରିଥିଲା । ବିଜୁ ବାବୁ ତା ପରେ ତାଙ୍କ ପୁରୁଣା ବନ୍ଧୁ ଜୟପ୍ରକାଶ ନାରାୟଣଙ୍କ ସହିତ ସମ୍ପର୍କ ପୁନଃସ୍ଥାପନ କରିଥିଲେ ଓ ୧୯୭୪ରେ ଜଃପଃ ଆନ୍ଦୋଳନରେ ଯୋଗ ଦେଇଥିଲେ । ୧୯୭୫ରେ ଯେତେବେଳେ ଜରୁରି କାଳୀନ ସ୍ଥିତି ଘୋଷଣା ହେଲା, ବିଜୁ ପଟ୍ଟନାୟକ ପ୍ରଥମ ବ୍ୟକ୍ତି ଥିଲେ ଯିଏ ଅନ୍ୟ ବିରୋଧୀ ନେତାମାନଙ୍କ ସହ ଗିରଫ ହୋଇଥିଲେ । ୧୯୭୭ରେ ସେ ମୁକୁଳିଳେ ଓ ଲୋକ ସଭା ପ୍ରାର୍ଥୀ ହିସାବରେ କେନ୍ଦ୍ରପଡ଼ାରୁ ନିର୍ବାଚିତ ହେଲେ । ୧୯୭୯ ବେଳେ ସେ ମୋରାରଜୀ ଦେଶାଇ ଓ ଚୌଧୁରୀ ଚରଣ ସିଂହଙ୍କ ସରକାର ଅଧିନରେ ଇସ୍ପାତ ଓ ଖଣି ମନ୍ତ୍ରୀ ରହିଥିଲେ । ୧୯୮୦ରେ ବିଜୁ ବାବୁ ଲୋକ ସଭାକୁ ନିର୍ବାଚିତ ହେଲେ ଏବଂ ପୁଣି ଥରେ ୧୯୯୬ରେ ଲୋକ ସଭାକୁ ନିର୍ବାଚିତ ହେଇଥିଲେ । ୧୯୯୦ ରାଜ୍ୟ ବିଧାନ ସଭା ନିର୍ବାଚନରେ ଜନତା ଦଳ ଜିତିଲା ଏବଂ ଆଉ ଥରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୧୯୯୫ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହ କରିଥଲେ ।

ସଂସଦରେ ବିଜୁବାବୁ-

ବିଜୁ ବାବୁଙ୍କ ରାଜନୈତିକ ଦୃଷ୍ଟିକୋଣ ମୁଖ୍ୟତଃ ସମାଜବାଦ ଏବଂ ସଙ୍ଘୀୟ ରାଷ୍ଟ୍ର ଶାସନ ଉପରେ ଦୃଢ଼ୀଭୂତ ଥିଲା । ସେ ଦୃଢ଼ ଭାବରେ ସବୁ ରାଜ୍ୟ ପାଇଁ ଲଢୁଥିଲେ l ସେ କହୁଥିଲେ ସବୁ ରାଜ୍ୟମାନଙ୍କୁ ଆବଶ୍ୟକ ମୁତାବକ ସାଧନ ଦିଆଯିବା ଉଚିତ । ନେହେରୁ ତାଙ୍କୁ ସ୍ନେହରେ ଭାରତର ଦୁଃସାହସିକ ବ୍ୟକ୍ତି ବୋଲି କହିଥିଲେ । ସଂସଦରେ ତାଙ୍କ ସମୟରେ ନେହେରୁ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ କହିଥିଲେ ” ବିଜୁ ପଟ୍ଟନାୟକଙ୍କ ପାଖରେ ସାହସ, ଶକ୍ତି ଓ କାମ କରିବାର ଆଗ୍ରହ ଅଛି । ତେଣୁ ଓଡ଼ିଶାକୁ ଅଧିକ ସାହାଯ୍ୟ କରିବାରେ କୌଣସି ପ୍ରମାଦ ନାହିଁ ।

ଇଣ୍ଡୋନେସିଆର ଭୂମିପୁତ୍ର-

ଭାରତର ଏହି ସୁଯୋଗ୍ୟ ସନ୍ତାନ ପ୍ରଥମ ଓଡ଼ିଆ ଭାବେ ଇଣ୍ଡୋନେସିଆ ରୁ ଭୂମିପୁତ୍ର ଉପାଧି ପାଇଁ ଦୁଇ ରାଷ୍ଟ୍ର ମଧ୍ୟରେ ସ୍ଥାପିତ କରିଥିଲେ ସୁସମ୍ପର୍କ l ସୁଚନାନୁଯାୟୀ ପ୍ରାଚୀନ କାଳରୁ ଭାରତ ଏବଂ ଇଣ୍ଡୋନେସିଆର ସାଂସ୍କୃତିକ ସମ୍ପର୍କ ରହିଆସିଛି, ତେଣୁ ନେହେରୁ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ଆଗ୍ରହୀ ଥିଲେ । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଉପନିବେଶବାଦ ବିରୁଦ୍ଧରେ ଥିଲେ ଏବଂ ବିଜୁ ପଟ୍ଟନାୟକଙ୍କୁ ଇଣ୍ଡୋନେସିଆକୁ ଡଚ୍ ମାନଙ୍କଠାରୁ ମୁକ୍ତ କରିବାରେ ସାହାଯ୍ୟ କରିବାର ଦାୟିତ୍ୱ ଦେଇଥିଲେ । ନେହେରୁ ଇଣ୍ଡୋନେସିଆ ଯୁଦ୍ଧବିମାନକୁ ଡଚ୍ ମାନଙ୍କଠାରୁ ରକ୍ଷା କରିବାକୁ କହିଥିଲେ । ନେହେରୁଙ୍କ ନିର୍ଦ୍ଦେଶରେ ବିଜୁ ପଟ୍ଟନାୟକ ପାଇଲଟ ଭାବରେ ୧୯୪୮ ମସିହାରେ ଡାକୋଟା ବିମାନ ସହିତ ସିଙ୍ଗାପୁର ଦେଇ ଜାକର୍ତ୍ତା ପହଞ୍ଚିଥିଲେ । ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ବଞ୍ଚାଇବା ପାଇଁ ଏଠାରେ ସେ ପହଞ୍ଚିଥିଲେ । ଇଣ୍ଡୋନେସିଆର ବାୟୁସେନାରେ ପ୍ରବେଶ କଲାବେଳେ ଡଚ୍ ସେନା ପଟ୍ଟନାୟକଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା । ପଟ୍ଟନାୟକଙ୍କୁ ଜାକର୍ତ୍ତା ନିକଟରେ ଜରୁରୀ ଅବତରଣ କରିବାକୁ ପଡିଥିଲା । ସେଠାରେ ସେ ଜାପାନ ସେନାର ଅବଶିଷ୍ଟ ଇନ୍ଧନ ବ୍ୟବହାର କରିଥିଲେ । ଏହା ପରେ ସେ ବିଦ୍ରୋହୀ ଅଞ୍ଚଳକୁ ପ୍ରବେଶ କରିଥିଲେ ଏବଂ ସେ ତାଙ୍କ ସହ ଦିଲ୍ଲୀକୁ ମୁଖ୍ୟ ବିଦ୍ରୋହୀ ସୁଲତାନ ଶାହିର ଏବଂ ସୁକର୍ଣ୍ଣୋଙ୍କୁ ନେଇ ଆସି ନେହେରୁଙ୍କ ସହ ଗୁପ୍ତ ସାକ୍ଷାତ କରାଇଥିଲେ । ଏହା ପରେ ଡକ୍ଟର ସୁକର୍ଣ୍ଣୋ ଆଜାଦ ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ ।

ବିଜୁବାବୁଙ୍କ ଓଡିଶା ପ୍ରତି ଅବଦାନ-

  • ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ
  •  ଆଞ୍ଚଳିକ ଶିକ୍ଷାନୁଷ୍ଠାନ (ଭୁବନେଶ୍ୱର)
  • ଆଞ୍ଚଳିକ ଗବେଷଣା କେନ୍ଦ୍ର (ଭୁବନେଶ୍ୱର)
  • ସୈନିକ ସ୍କୁଲ, ଭୁବନେଶ୍ୱର
  • ଜାତୀୟ ପ୍ରୌଦ୍ୟୋଗିକ ସଂସ୍ଥାନ , ରାଉରକେଲା
  • ମିଗ୍ ବିମାନ କାରଖାନା, ସୁନାବେଡ଼ା
  • ପାରାଦ୍ୱୀପ ବନ୍ଦର
  • ଓଡ଼ିଶା ବୟନଶିଳ୍ପ କଳ , ଚୌଦ୍ୱାର
  • ରାଉରକେଲା ଇସ୍ପାତ କଳ
  • ତାଳଚେର ଥର୍ମାଲ ପ୍ରକଳ୍ପ
  • ନାଲ୍କୋ ପ୍ରକଳ୍ପ
  • ଦୈତାରୀ ଲୌହ ଇସ୍ପାତ କାରଖାନା
  • ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
  • ସମ୍ବଲପୁର ବିଶ୍ୱବିଦ୍ୟାଳୟ
  • ବୁର୍ଲା ବୈଷୟିକ ଓ ଚିକିତ୍ସା କଲେଜ
  • ବଡ଼ବିଲ ଲୁହା କାରଖାନା

ବିଜ୍ଞାନ କାରିଗରୀ ପାଇଁ ବିଜୁବାବୁଙ୍କ ନାମରେ ପୁରସ୍କାର ପ୍ରଦାନ-

  • ବିଜୁ ପଟ୍ଟନାୟକଙ୍କ ପ୍ରଦତ୍ତ ଧନରାଶିର ସୁଧରୁ ଲବ୍ଧ ଅର୍ଥକୁ ୟୁନେସ୍କୋ ଦ୍ୱାରା କଳିଙ୍ଗ ପୁରସ୍କାର ଭାବେ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାରକୁ ଅନ୍ତର୍ଜାତୀୟ ବୈଜ୍ଞାନିକ ଗୋଷ୍ଠୀ ଏକ ସମ୍ମାନ ଜନକ ପୁରସ୍କାର ଭାବେ ଗ୍ରହଣ କରେ ।

କେବଳ ସେତିକି ନୁହେଁ ରାଷ୍ଟ୍ର ଉଦ୍ଦେଶ୍ଯରେ ବିଜୁ ପଟ୍ଟନାୟକଙ୍କ ଜୀବନୀ ଓ ଜାତୀୟତାବୋଧ ଉପ‌ରେ “ବିଜୁ ବାବୁ” ନାମକ ଚଳଚ୍ଚିତ୍ର ୨୦୧୯ ମସିହା ମାର୍ଚ୍ଚ ମାସରେ ମୁକ୍ତିଲାଭ କରିଥିଲା l ବାସ୍ତବରେ ଓଡ଼ିଶାର ଏହି ମହାନ ବରପୁତ୍ରଙ୍କୁ ଆଜି ମଧ୍ଯ ସ୍ମରଣ କରୁଛି ଓଡି଼ଶା l ୧୯୯୭ ଏପ୍ରିଲ ମାସରେ ନୂଆଦିଲ୍ଲୀ ଠାରେ ମୃତ୍ୟୁବରଣ କରିଥିଲେ ବିଜୁ ପଟ୍ଟନାୟକ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score
02:08