କଟକ : କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଘଟଣା ସାରା ରାଜ୍ୟକୁ ଅବାକ୍ କରିଦେଇଛି । ଏହି ଦୁର୍ଘଟଣାରେ ନିଆଁରେ ପୋଡ଼ି ଯାଇ ୧୦ ଜଣ ନିରୀହ ଲୋକଙ୍କ ଜୀବନ ନଷ୍ଟ ହୋଇଥିବା ବେଳେ କିଛି ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ଏସସିବି ମେଡିକାଲ ସହ ନିକଟସ୍ଥ ଅନ୍ୟାନ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି।
ଘଟଣା ବିଷୟରେ ସୂଚନା ପାଇବା ସହିତ ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ। ସେ ଆହତ ରୋଗୀମାନଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ଖୋଜଖବର ନେଇଥିବା ସହ ମୃତକଙ୍କ ପରିବାର ପ୍ରତି ଗଭୀର ଶୋକ ଓ ସମବେଦନା ପ୍ରକାଶ କରିଛନ୍ତି । ଏଥିସହ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରାଯାଇଛି।
ଏହି ଅଗ୍ନିକାଣ୍ଡର କାରଣ ଖୋଜିବା ପାଇଁ ମୁଖ୍ୟମନ୍ତ୍ରୀ ନ୍ୟାୟିକ ତଦନ୍ତର ନିର୍ଦ୍ଦେଶ ଦେଇଥିବା ସହ ଘଟଣାକୁ ଗୁରୁତ୍ୱ ସହକାରେ ତଦନ୍ତ କରାଯିବ ବୋଲି କହିଛନ୍ତି । ଅଗ୍ନିକାଣ୍ଡ ପରେ ଟ୍ରମା କେୟାର ୟୁନିଟରୁ ରୋଗୀମାନଙ୍କୁ ସୁରକ୍ଷିତ ଭାବେ ଅନ୍ୟ ବିଭାଗ ଓ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଆଇସିୟୁରେ ଚିକିତ୍ସାଧୀନ ରୋଗୀମାନଙ୍କ ଶୀଘ୍ର ସୁସ୍ଥତା କାମନା କରି ମୁଖ୍ୟମନ୍ତ୍ରୀ ମେଡିକାଲ ପ୍ରଶାସନକୁ ସମସ୍ତ ଆହତଙ୍କୁ ଉଚ୍ଚମାନଙ୍କ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ସମସ୍ତ ହସ୍ପିଟାଲରେ ଅଗ୍ନିନିର୍ବାପଣ ବ୍ୟବସ୍ଥାକୁ ଶକ୍ତ କରିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷର ବଜେଟରେ ଏଥିପାଇଁ ୩୨୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ଆଗାମୀ ବଜେଟରେ ଆଉ ୪୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯିବ। ଏହାସହ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗ୍ନିନିର୍ବାପଣ ବ୍ୟବସ୍ଥାକୁ ତୁରନ୍ତ ଶକ୍ତ କରି ହସ୍ପିଟାଲକୁ ସମ୍ପୂର୍ଣ୍ଣ ଭାବେ ଫାୟାର କମ୍ପ୍ଲାଏଣ୍ଟ କରିବା ପାଇଁ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଦୁଃଖଦ ଘଟଣା ପରେ ମେଡିକାଲ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡା କରାଯାଇଥିବା ବେଳେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳାଇଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
