ଭୁବନେଶ୍ୱର : ରାଜ୍ୟରେ ସମୁଦାୟ ଭିତ୍ତିକ ପର୍ଯ୍ୟଟନକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ଭୁବନେଶ୍ୱରର ଏକ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ ହୋଇଛି । ଏହି ପୋର୍ଟାଲକୁ ଉଦଘାଟନ କରି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତି ପରିଡ଼ା କହିଛନ୍ତି ଯେ, ଏହା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଦିଗ ଦେବା ସହ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ଆର୍ଥିକ ସୁଯୋଗ ସୃଷ୍ଟି କରିବ ।
ଏହି ପୋର୍ଟାଲର ଶୁଭାରମ୍ଭ ସହିତ ‘ଓଡ଼ିଶା ହୋମଷ୍ଟେ କର୍ମଶାଳା’ ମଧ୍ୟ ଆୟୋଜିତ ହୋଇଥିଲା । କର୍ମଶାଳାର ଉଦ୍ଦେଶ୍ୟ ହେଲା ହୋମଷ୍ଟେ ସମ୍ପର୍କିତ ଅଂଶୀଦାରମାନଙ୍କୁ ସଚେତନ କରିବା ଓ ‘ଓଡ଼ିଶା ହୋମଷ୍ଟେ ସ୍କିମ ୨୦୨୫’ କୁ ସଫଳଭାବେ କାର୍ଯ୍ୟକାରୀ କରିବା ।
ସମାବେଶକୁ ସମ୍ବୋଧିତ କରି ଉପ-ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ହୋମଷ୍ଟେ କେବଳ ପର୍ଯ୍ୟଟକଙ୍କ ପାଇଁ ରହିବା ବ୍ୟବସ୍ଥା ନୁହେଁ, ଏହା ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଆତିଥ୍ୟର ଏକ ଅନନ୍ୟ ଅନୁଭୂତି ଦେଇଥାଏ । ‘ଗୋ-ହୋମଷ୍ଟେ’ ପୋର୍ଟାଲ ମାଧ୍ୟମରେ ହୋମଷ୍ଟେ ମାଲିକମାନେ ସହଜରେ ନିବନ୍ଧନ, ପରିଚାଳନା ଓ ପ୍ରଚାର କରିପାରିବେ, ଯାହାର ଫଳରେ ବ୍ୟବସାୟରେ ସ୍ୱଚ୍ଛତା ଓ ସୁବିଧା ବଢ଼ିବ।
ସେ ଆହୁରି କହିଥିଲେ ଯେ, ଏହି ପଦକ୍ଷେପ ମାଧ୍ୟମରେ ଗ୍ରାମାଞ୍ଚଳର ପରିବାର, ମହିଳା ଓ ସ୍ଥାନୀୟ ଉଦ୍ୟୋଗୀମାନେ ପର୍ଯ୍ୟଟନ ମାଧ୍ୟମରେ ଆର୍ଥିକ ଭାବେ ସଶକ୍ତ ହେବେ। ଏହା ରାଜ୍ୟ ସରକାରଙ୍କ ଅନ୍ତର୍ଭୁକ୍ତ ବିକାଶ ଦୃଷ୍ଟିକୋଣ ସହ ସମଞ୍ଜସ।
କର୍ମଶାଳାରେ ହୋମଷ୍ଟେ ଯୋଜନା ସମ୍ପର୍କିତ ବିଭିନ୍ନ ନିର୍ଦ୍ଦେଶାବଳୀ ଉପରେ ଉପସ୍ଥାପନା କରାଯାଇଥିଲା। ବୈଷୟିକ ଦଳ ପକ୍ଷରୁ ‘ଗୋ-ହୋମଷ୍ଟେ’ ପୋର୍ଟାଲର କାର୍ଯ୍ୟପ୍ରଣାଳୀ ଉପରେ ଡେମୋ ଦିଆଯାଇଥିଲା। ସେଥିପାଇଁ ‘ହୋମଷ୍ଟେଜ ଅଫ ଇଣ୍ଡିଆ’ ଓ ‘ସ୍ୱନିର ୱାଇଲ୍ଡରନେସ ହୋମଷ୍ଟେ’ର ପ୍ରତିନିଧିମାନେ ବିଶେଷଜ୍ଞ ଅଧିବେଶନରେ ଯୋଗଦେଇ ଅନୁଭବ ସେୟାର କରିଥିଲେ।
ଏହାସହିତ ଅଭିଜ୍ଞ ହୋମଷ୍ଟେ ମାଲିକମାନଙ୍କ ସହ ପ୍ୟାନେଲ ଆଲୋଚନା ହୋଇଥିଲା, ଯେଉଁଠାରେ ସେମାନେ ସଫଳତାର କାହାଣୀ ଓ ଶ୍ରେଷ୍ଠ ପରିଚାଳନା ପ୍ରଣାଳୀ ବିଷୟରେ ମତାମତ ରଖିଥିଲେ।
କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ସମସ୍ତ ଅଧିକାରୀ, ଆର୍ଥିକ ସଂସ୍ଥାର ପ୍ରତିନିଧି ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହୋମଷ୍ଟେ ମାଲିକମାନେ ଉପସ୍ଥିତ ଥିଲେ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
