ନୂଆଦିଲ୍ଲୀ : ଇରାନରେ ସରକାର ବିରୋଧୀ ଆନ୍ଦୋଳନ ଦିନକୁ ଦିନ ଭୟାବହ ରୂପ ନେଉଛି। ରାଜଧାନୀ ତେହରାନ ସହିତ ସମଗ୍ର ଦେଶରେ ଗୁରୁବାର ବିଳମ୍ବିତ ରାତିରୁ ଭୟଙ୍କର ଅଶାନ୍ତି ଦେଖାଦେଇଛି । ଗତ ୧୨ ଦିନ ଧରି ଚାଲିଥିବା ପ୍ରତିବାଦ ଏବେ ସରକାର ପାଇଁ ଗଭୀର ଚ୍ୟାଲେଞ୍ଜ ହୋଇଉଠିଛି।
ପରିସ୍ଥିତି ନିୟନ୍ତ୍ରଣରୁ ବାହାରକୁ ଯିବା ପରେ ସରକାର ସମଗ୍ର ଇରାନରେ ମୋବାଇଲ ଫୋନ୍ ଓ ଇଣ୍ଟରନେଟ ସେବା ବନ୍ଦ କରିଦେଇଛନ୍ତି । ତେହରାନ ସମେତ ୧୦୦ରୁ ଅଧିକ ସହରରେ ହିଂସାତ୍ମକ ପ୍ରଦର୍ଶନ, ପୋଡ଼ାଜଳା ଓ ଲୁଟପାଟ ଘଟଣା ସାମ୍ନାକୁ ଆସିଛି। ରାସ୍ତାକୁ ଓହ୍ଲାଇ ଆସିଥିବା ଉତ୍ତ୍ୟକ୍ତ ଜନତା ସରକାରୀ କାର୍ଯ୍ୟାଳୟ, ପାର୍କିଂ ହୋଇଥିବା କାର ଓ ବାଇକକୁ ଜାଳି ଦେଇଛନ୍ତି । ସେହିପରି ଅନେକ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ଜାଳି ଦେଇଛନ୍ତି ।
ସୂଚନା ଅନୁସାରେ, ଏହି ଆନ୍ଦୋଳନରେ ବର୍ତ୍ତମାନ ସୁଦ୍ଧା ୪୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨୬୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ମୁଦ୍ରାସ୍ଫୀତି, ବଢ଼ୁଥିବା ଦରଦାମ ଓ ଟଙ୍କାର ମୂଲ୍ୟହ୍ରାସକୁ ନେଇ ସାଧାରଣ ଲୋକଙ୍କ ଅସନ୍ତୋଷ ଏବେ ଖୋଲା ଆକ୍ରୋଶରେ ପରିଣତ ହୋଇଛି । ପ୍ରଦର୍ଶନକାରୀମାନେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ପଦତ୍ୟାଗ ଦାବି କରୁଛନ୍ତି।
ତେହରାନରେ ପରିସ୍ଥିତି ଅତ୍ୟନ୍ତ ସଙ୍କଟପୂର୍ଣ୍ଣ :
ନିର୍ବାସନରେ ଥିବା କ୍ରାଉନ ପ୍ରିନ୍ସ ରେଜା ପହଲବି ଜନସାଧାରଣଙ୍କୁ ରାତି ୮ଟାରେ ରାସ୍ତାକୁ ଓହ୍ଲାଇ ଆସି ପ୍ରତିବାଦ କରିବାକୁ ଆହ୍ୱାନ ଦେଇଥିଲେ। ଏହାପରେ ତେହରାନ ଓ ଆଖପାଖ ଅଞ୍ଚଳରେ ବିଶାଳ ଜନସମାଗମ ହୋଇଥିଲା। “ଏକଛତ୍ରବାଦୀ ଶାସନ ଶେଷ ହେବ” ଓ “ପହଲବି ଫେରିବେ” ଭଳି ସ୍ଲୋଗାନରେ ସହର ଦୁଲକିଉଠିଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଇରାନ ସରକାର ସମଗ୍ର ଦେଶର ଏୟାରସ୍ପେସ ମଧ୍ୟ ବନ୍ଦ କରିଦେଇଥିବା ସୂଚନା ମିଳିଛି ।
ଆମେରିକାର ଚେତାବନୀ ଓ ସମର୍ଥନ :
ଇରାନର ହିଂସାତ୍ମକ ପରିସ୍ଥିତିକୁ ନେଇ ଆମେରିକା କଡା ମନୋଭାବ ଗ୍ରହଣ କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖାମେନି ସରକାରକୁ ଚେତାବନୀ ଦେଇ କହିଛନ୍ତି, ପ୍ରଦର୍ଶନକାରୀଙ୍କ ଉପରେ ଗୁଳିଚାଳନ କିମ୍ବା ହତ୍ୟା ଘଟିଲେ ଆମେରିକା କଠୋର ପଦକ୍ଷେପ ନେବ । ସେତେବେଳେ ଆମେରିକା କାହାକୁ କ୍ଷମା ଦେବନି ବୋଲି ଆଗୁଆ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
