Explore

Search

February 18, 2026 4:46 am

ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେଶନ : ସେମିକଣ୍ଡକ୍ଟର ଶିଳ୍ପରେ ନୂତନ ପରିଚୟ ଗଢିବ ଓଡିଶା

ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଏହି ଅଧିବେଶନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତ କରି ଗୃହରେ ଉପସ୍ଥାପନ କରାଯାଇଛି । ରାଜ୍ୟର ଆର୍ଥିକ ଦିଗ ନିର୍ଦ୍ଦେଶ ଓ ଆଗାମୀ ବିକାଶ ଯୋଜନାକୁ ନେଇ ଏହି ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଉଛି ।

ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପତି ଗୃହକୁ ସମ୍ବୋଧିତ କରି ନିଜ ଅଭିଭାଷଣ ରଖିଥିଲେ। “ଜୟ ଜଗନ୍ନାଥ” ଉଚ୍ଚାରଣ କରି ସେ ଅଭିଭାଷଣ ଆରମ୍ଭ କରିଥିଲେ। ତାଙ୍କ ଉଦ୍ବୋଧନରେ ରାଜ୍ୟର ସମଗ୍ର ଉନ୍ନତି, ନୂତନ ଶିଳ୍ପନୀତି ଓ ଆର୍ଥିକ ସୁଦୃଢତା ଉପରେ ବିଶେଷ ଜୋର ଦିଆଯାଇଥିଲା।

ରାଜ୍ୟପାଳ କହିଥିଲେ ଯେ, ସମୃଦ୍ଧ ଓ ସ୍ୱାବଲମ୍ବୀ ଓଡିଶା ଗଠନ ପାଇଁ ସରକାର ପ୍ରତିବଦ୍ଧ । ଶିଳ୍ପ, କୃଷି, ଓ ସହରର ଉନ୍ନତିକରଣ କରିବା ପାଇଁ ଅନେକ ନୂତନ ପଦକ୍ଷେପ ଗ୍ରହଣ ହେଉଛି । କେନ୍ଦ୍ର ସରକାର ସହ ସମନ୍ୱୟରେ ବଡ଼ ପ୍ରକଳ୍ପ ଗୁଡିକ ରାଜ୍ୟକୁ ଆଣିବାରେ ପ୍ରୟାସ ଜାରି ରହିଛି । ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡିଶାକୁ ଆର୍ଥିକ ମାଧ୍ୟମରେ ଅଧିକ ସହଯୋଗ ମିଳୁଥିବାକୁ ସେ ଉଲ୍ଲେଖ କରିଥିଲେ।

୨୦୩୬ ମସିହାରେ ଓଡିଶା ଗଠନର ଶତବାର୍ଷିକୀ ପୂର୍ତ୍ତି ହେବାକୁ ଥିବା ବେଳେ, ସେହି ସମୟକୁ ଲକ୍ଷ୍ୟ କରି ଦୀର୍ଘମିଆଦି ବିକାଶ ରୋଡମ୍ୟାପ ପ୍ରସ୍ତୁତ ହୋଇଛି। ୨୦୩୬ ଓ ୨୦୪୭କୁ ଧ୍ୟାନରେ ରଖି ରାଜ୍ୟର ଶିଳ୍ପୀକରଣ, ଡିଜିଟାଲ ଉନ୍ନତି ଓ ରୋଜଗାର ସୃଷ୍ଟିକୁ ପ୍ରାଥମ୍ୟ ଦିଆଯାଇଛି। ଓଡିଶାକୁ ସେମିକଣ୍ଡକ୍ଟର ଉତ୍ପାଦନର ଏକ ମୁଖ୍ୟ କେନ୍ଦ୍ରରୂପେ ଗଢି ତୋଳିବା ପାଇଁ ମଧ୍ୟ ପ୍ରୟାସ ଚାଲିଛି ।

ରାଜ୍ୟ ସରକାର ଆଗାମୀ କିଛି ବର୍ଷ ମଧ୍ୟରେ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ମୂଳଗତ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ଧରିଛନ୍ତି । ବହୁମୁଖୀ ଦାରିଦ୍ର୍ୟ ହାରକୁ ୫ ପ୍ରତିଶତରେ ଆଣିବା, ମହିଳାମାନଙ୍କ ଶ୍ରମ ଅଂଶଗ୍ରହଣକୁ ୭୦ ପ୍ରତିଶତକୁ ବୃଦ୍ଧି କରିବା ଓ ରାଜ୍ୟରୁ ଅପପୃଷ୍ଟି ସହ ରକ୍ତହୀନତାକୁ ସମୂଳେ ଦୂର କରିବା ପାଇଁ ବିଶେଷ କାର୍ଯ୍ୟ ଯୋଜନା ତିଆରି ହୋଇଛି ।

ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଗ୍ରାମ ଓ ସହର ଉଭୟ କ୍ଷେତ୍ରରେ ଜୀବନମାନ ଉନ୍ନତି ପାଇଁ ନୂତନ ଯୋଜନା ଆରମ୍ଭ କରାଯିବ। ନାରୀ ସଶକ୍ତିକରଣକୁ ଆର୍ଥିକ ଓ ସାମାଜିକ ଦୁଇମୁଖୀ ଭାବରେ ଶକ୍ତିଶାଳୀ କରିବାରେ ଗୁରୁତ୍ୱ ଦିଆଯିବ। ସ୍ୱୟଂସହାୟକ ଗୋଷ୍ଠୀ, କୌଶଳ ବିକାଶ ଓ ଉଦ୍ୟମୀତାକୁ ପ୍ରୋତ୍ସାହନ ମାଧ୍ୟମରେ ମହିଳାମାନଙ୍କ ରୋଜଗାର ସୃଷ୍ଟି କରାଯିବ।

ସେହିପରି, ଶିଶୁ ଓ ମାତୃ ସ୍ୱାସ୍ଥ୍ୟକୁ କେନ୍ଦ୍ର କରି ପୋଷଣ ଯୋଜନାମାନଙ୍କୁ ଆହୁରି ମଜବୁତ କରାଯିବ। ଅପପୃଷ୍ଟି ଓ ରକ୍ତହୀନତା ନିୟନ୍ତ୍ରଣ ପାଇଁ ଗ୍ରାମସ୍ତରରେ ସଚେତନତା ଅଭିଯାନ ସହ ଚିକିତ୍ସା ସୁବିଧା ବିସ୍ତାର କରାଯିବାକୁ ଯୋଜନା ରହିଛି। ଏହା ସହିତ ରାସ୍ତା, ପାଣି, ବିଦ୍ୟୁତ ଓ ଡିଜିଟାଲ ସଂଯୋଗ ସହିତ ଭିତ୍ତିଭୂମିକୁ ସୁଦୃଢ କରିବାରେ ସରକାର ପ୍ରତିବଦ୍ଧ ରହିଛନ୍ତି।

ବିଧାନସଭାରେ ଏହି ସମସ୍ତ ଲକ୍ଷ୍ୟ ଓ ଯୋଜନା ଉପରେ ଆଲୋଚନା ଚାଲିଛି। ଗୁରୁବାର ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବାକୁ ଥିବା ବେଳେ, ଶୁକ୍ରବାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଗୃହରେ ଉପସ୍ଥାପନ କରିବେ।

ଆସନ୍ତା ବଜେଟରେ ଦାରିଦ୍ର୍ୟ ହ୍ରାସ, ରୋଜଗାର ବୃଦ୍ଧି, ସ୍ୱାସ୍ଥ୍ୟ ସେବା ସୁଧାର ଓ ଭିତ୍ତିଭୂମି ବିକାଶକୁ ନେଇ ଘୋଷଣା ହେବାର ଆଶା ରହିଛି । ଏହି ପରିପ୍ରେକ୍ଷୀରେ ଚାଲୁଥିବା ଅଧିବେଶନ ଶାସକ ଓ ବିରୋଧୀ ଦଳ ସହ ସମଗ୍ର ରାଜ୍ୟବାସୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି ।

ସେହିପରି ୨୦୪୭ ସୁଦ୍ଧା ରାଜ୍ୟର ମୁଣ୍ଡପିଛା ଆୟକୁ ୩୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଲକ୍ଷ୍ୟ ଧରାଯାଇଛି । ଏହାପାଇଁ ଶିଳ୍ପ ନିବେଶ, କୌଶଳ ବିକାଶକୁ ଗତିଶୀଳ କରାଯିବ। ସେହିପରି ସହରୀ ବିକାଶକୁ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ସ୍ମାର୍ଟ ସିଟି, ପାଣି ଯୋଗାଣ, ରାସ୍ତା ଓ ପରିବହନ ବ୍ୟବସ୍ଥାକୁ ସୁଦୃଢ କରି ନାଗରିକମାନଙ୍କ ଜୀବନମାନ ଉନ୍ନତ କରିବାରେ ପ୍ରୟାସ ଜାରି ରହିବ।

ଏହି ବଜେଟ ଅଧିବେଶନରେ ରାଜ୍ୟର ଆର୍ଥିକ ସ୍ଥିତି, ନୂତନ ଯୋଜନା ଓ ବିକାଶ ପଦକ୍ଷେପକୁ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି । ତେବେ ଆଗାମୀ ବର୍ଷ ପାଇଁ ଓଡିଶାର ବିକାଶ ଦିଗ ନିର୍ଣ୍ଣୟ କରିବାରେ ଏହି ଅଧିବେଶନ ନିର୍ଣ୍ଣାୟକ ଭୂମିକା ନେବ ବୋଲି ଆଶା କରାଯାଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score