Explore

Search

January 28, 2026 4:38 am

ଆରମ୍ଭ ହେଲା ଗୋପାଳପୁର ବେଳାଭୂମି ମହୋତ୍ସବ : ପଲ୍ଲୀଶ୍ରୀ ମେଳା ସହ ଜମୁଛି ସାଂସ୍କୃତିକ କାର୍ଯ୍ୟକ୍ରମ

ବ୍ରହ୍ମପୁର : ଆଜିଠୁ ଆରମ୍ଭ ହେଲା ଗୋପାଳପୁର ବେଳାଭୂମି ମହୋତ୍ସବ। ଚକମକ ଆଲୁଅରେ ସଜେଇ ହୋଇଛି ଗୋପାଳପୁର ବେଳାଭୂମି । ଏହି ଗୋପାଳପୁର ବେଳାଭୂମି ମହୋତ୍ସବର ପ୍ରଥମ ଦିନରେ ରାଜ୍ୟପାଳ ମହାମହିମ ଡ଼. ହରି ବାବୁ କମ୍ଭମପତି ଯୋଗଦେଇ ସମୁଦ୍ର ଆଳତି କରିବାସହ ମହୋତ୍ସବର ଉଦଘାଟନ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଗୋପାଳପୁର ବେଳାଭୂମି ମହୋତ୍ସବ । ମହୋତ୍ସବକୁ ଉପଭୋଗ କରିବା ପାଇଁ ଗୋପାଳପୁର ବେଳାଭୂମିରେ ଜମିଥିଲା ଦର୍ଶକଙ୍କ ଭିଡ । ଏହାକୁ ଦେଖିବା ପାଇଁ କେବଳ ଓଡିଶା ନୁହେଁ ଓଡିଶା ବାହାରୁ ଆସିଛନ୍ତି ଶହଶହ ପର୍ଯ୍ୟଟକ । ସେପଟେ ମହୋତ୍ସବରେ ପର୍ଯ୍ୟଟକଙ୍କୁ ସବୁଠୁ ଅଧିକ ଆକୃଷ୍ଟ କରିଛି ପଲ୍ଲୀଶ୍ରୀ ମେଳା । ଯେଉଁଠାରେ ଜମିଛି ଖୁବ ଭିଡ।

ହାତବୁଣା ଘରୋଇ ସାମଗ୍ରୀ ଠୁ ନେଇ ପୋଷାକ, ସାଜସଯା ଜିନିଷ, ଘରକରଣା ସାମଗ୍ରୀ, ବିଭିନ୍ନ ପ୍ରକାରର ମସଲା ଭଳି ନାନା ଜିନିଷ ଦେଖିବାକୁ ଓ କିଣିବାକୁ ଜମିଛି ଲୋକଙ୍କ ଖଚାଖଚ ଭିଡ। ମହୋତ୍ସବକୁ ଅଧିକ ଆକର୍ଷଣ କରିବା ପାଇଁ ପଲ୍ଲୀଶ୍ରୀ ମେଳା ସହ ସ୍ୱାଦିଷ୍ଟ ଭୋଜନର ଷ୍ଟଲ, ଘରେ ପ୍ରସ୍ତୁତ ସାମଗ୍ରୀ ଓ ସ୍ଥାନୀୟ ରୁଚିକର ଖାଦ୍ୟପଦାର୍ଥକୁ ନେଇ ଗୋପାଳପୁର ବେଳାଭୂମିରେ ଦେଖିବାକୁ ମିଳୁଛି ଭିଡ଼। ଖାଦ୍ୟପ୍ରେମୀଙ୍କ ପାଇଁ ବିଭିନ୍ନ ପ୍ରକାର ଷ୍ଟଲରେ ଲମ୍ବା ଲାଇନ ଲାଗି ରହିଛି । ଏହା ସହ ଆଜିଠୁ ଦୁଲୁକୁଛି ଗୋପାଳପୁର ବେଳାଭୂମି ମହୋତ୍ସବ।

ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ସହ ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ ବିଭିନ୍ନ ସାଂସ୍କୃତିକ ଓ ସାହିତ୍ୟିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଲୋକନୃତ୍ୟ, ଲୋକସଙ୍ଗୀତ, ଜନଜାତୀୟ କଳା–ସଂସ୍କୃତିର ଆକର୍ଷଣୀୟ ପ୍ରଦର୍ଶନ ସହ ହସ୍ତଶିଳ୍ପ ପ୍ରଦର୍ଶନୀ ମହୋତ୍ସବକୁ ଆହୁରି ମହକାଇବ।

ଏହି ମହୋତ୍ସବ ମାଧ୍ୟମରେ ଗୋପାଳପୁରର ପାରମ୍ପରିକ ଐତିହ୍ୟ ଓ ସାଂସ୍କୃତିକ ପରିଚୟ ନୂଆ ଆକାରରେ ପ୍ରକାଶ ପାଇବ। ଉଲ୍ଲେଖନୀୟ ଯେ, ପୂର୍ବରୁ ଗୋପାଳପୁର ବେଳାଭୂମି ମହୋତ୍ସବ ଜାନୁଆରୀ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ କିଛି କାରଣରୁ ମହୋତ୍ସବର ତାରିଖରେ ପରିବର୍ତ୍ତନ କରାଯାଇଛି ।

ନୂଆ ନିଷ୍ପତ୍ତି ଅନୁସାରେ, ଗୋପାଳପୁର ବେଳାଭୂମି ମହୋତ୍ସବ ଜାନୁଆରୀ ୨୭ ତାରିଖ ଅର୍ଥାତ ଆଜିଠାରୁ ଆରମ୍ଭ ହୋଇଛି ଏବଂ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score