ଭୁବନେଶ୍ୱର : ସମୃଦ୍ଧ ହେବ ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅର୍ଥନୀତି । ଆମେରିକା ବଜାରରେ ବଢ଼ିବ ଓଡ଼ିଶାର ସାମୁଦ୍ରିକ ଖାଦ୍ୟର ଚାହିଦା । ଭାରତ ଉପରୁ ଆମେରିକା ଏବେ ଟାରିଫ କମାଇବା ପରେ ଓଡ଼ିଶାକୁ ମିଳିଛି ଫାଇଦା। ଆମେରିକା, ଭାରତ ଉପରୁ ଟାରିଫ କମାଇଛି । ଆଉ ଯାହାର ଲାଭ ମିଳିଛି ଓଡ଼ିଶାକୁ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତ ଆମେରିକା ବାଣିଜ୍ୟ ଚୁକ୍ତି ଓଡ଼ିଶା ପାଇଁ ନୂତନ ସମ୍ଭାବନା ଓ ବ୍ୟାପକ ସୁଯୋଗ ନେଇ ଆସିଛି । ଏହି ଚୁକ୍ତିର ପ୍ରଭାବରେ ରାଜ୍ୟର ସାମୁଦ୍ରିକ ଖାଦ୍ୟ ଅର୍ଥନୀତି ଅଧିକ ସୁଦୃଢ଼ ଓ ସମୃଦ୍ଧ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି ।
ଶୁଳ୍କ ହ୍ରାସ ପରେ ଆମେରିକାର ବିଶାଳ ବଜାରରେ ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ପ୍ରତି ଚାହିଦା ବୃଦ୍ଧି ପାଇବାର ପ୍ରବଳ ସମ୍ଭାବନା ରହିଛି । ଏହାର ସକାରାତ୍ମକ ପ୍ରଭାବରେ ଉପକୂଳ ଅଞ୍ଚଳର ମାଛଧରା ଏବଂ ସାମୁଦ୍ରିକ ଖାଦ୍ୟ ସହ ଜଡିତ ଲୋକମାନଙ୍କର ଜୀବନଜୀବିକାରେ ସ୍ପଷ୍ଟ ଉନ୍ନତି ଆସିବ ବୋଲି ଆଶା ବ୍ୟକ୍ତ କରାଯାଇଛି ।
ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ନୂତନ ବାଣିଜ୍ୟ ଚୁକ୍ତି ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅର୍ଥନୀତିକୁ ଏକ ନୂଆ ପରିଚୟ ଦେବ । ଶୁଳ୍କ ହ୍ରାସ ଯୋଗୁଁ ଆମେରିକା ବଜାରରେ ଓଡ଼ିଶାର ଚିଙ୍ଗୁଡ଼ି, ମାଛ ଓ ସାମୁଦ୍ରିକ ଖାଦ୍ୟର ଚାହିଦା ବୃଦ୍ଧି ପାଇବ ।
ଏହାଦ୍ୱାରା ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ମତ୍ସ୍ୟଜୀବୀ ଓ ଚାଷୀମାନଙ୍କ ଆୟ ବୃଦ୍ଧି ପାଇବା ସହ ରାଜ୍ୟ ‘ବ୍ଲୁ-ଇକୋନୋମି’ର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଦୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଉଲ୍ଲେଖ କରିଛନ୍ତି।
ସେ କହିଛନ୍ତି ଯେ, ଦୁଇ ଦିନ ପୂର୍ବେ ଟ୍ରମ୍ପ ସରକାର ପାରସ୍ପରିକ ଟାରିଫକୁ ୨୫ ପ୍ରତିଶତରୁ କମାଇ ୧୮ ପ୍ରତିଶତ କରିଛନ୍ତି । ଏହାସହିତ ଋଷରୁ ତୈଳ ଆମଦାନୀକୁ ନେଇ ଲଗାଯାଇଥିବା ଅତିରିକ୍ତ ୧୫ ପ୍ରତିଶତ ଟାରିଫକୁ ମଧ୍ୟ ଆମେରିକା ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିନେଇଛି ।
ଏହି ସମସ୍ତ ପଦକ୍ଷେପକୁ ମିଳାଇ ଦେଖିଲେ, ଆମେରିକା ପକ୍ଷରୁ ଟାରିଫରେ ମୋଟ ୩୨ ପ୍ରତିଶତ ହ୍ରାସ ଘଟିଥିବା ସ୍ପଷ୍ଟ ହୁଏ, ଯାହା ଓଡ଼ିଶା ସହିତ ଦେଶର ସାମୁଦ୍ରିକ ଖାଦ୍ୟ ଓ ବ୍ୟାପାର କ୍ଷେତ୍ର ପାଇଁ ଏକ ବଡ଼ ସକାରାତ୍ମକ ସଙ୍କେତ ବୋଲି ମନା ଯାଉଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
