ଭୁବନେଶ୍ୱର : ଆଜିଠାରୁ ଦେଶରେ ମାଗଣା କ୍ୟାନସର ଟୀକାକରଣ ଆରମ୍ଭ । ଏଥର କିଶୋରୀମାନଙ୍କ ପାଇଁ ସର୍ଭିକାଲ କ୍ୟାନ୍ସର ବିରୋଧୀ ଟୀକା ସରକାରଙ୍କ ପକ୍ଷରୁ ମାଗଣାରେ ଦିଆଯିବ। ସାରା ଦେଶରେ ଏହି ଟୀକାକରଣ କାର୍ଯ୍ୟକ୍ରମ ଆଜିଠାରୁ ଚାଲୁ ହୋଇଛି।
ସରକାରୀ ନିର୍ଦ୍ଦେଶିକା ଅନୁସାରେ ୧୪ ବର୍ଷ ପର୍ଯ୍ୟନ୍ତ ଝିଅମାନଙ୍କୁ ଗୋଟିଏ ଡୋଜ ଟୀକା ଦିଆଯିବ। ୧୪ ବର୍ଷରୁ ଅଧିକ ବୟସର କିଶୋରୀମାନଙ୍କୁ ତିନୋଟି ଡୋଜ ଦିଆଯିବ। ଏହି ସମ୍ପର୍କରେ ଭାରତ ସରକାର ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି।
୨୦୨୬-୨୭ ଆର୍ଥିକ ବର୍ଷରେ “ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ” ଆରମ୍ଭ ହେବ। ଏହି ଯୋଜନା ପାଇଁ ୩୧୧ କୋଟି ଟଙ୍କା ବ୍ୟୟ ହେବ। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଏହି ଅଭିଯାନ ମାଧ୍ୟମରେ ବିଭିନ୍ନ ପ୍ରକାର କର୍କଟ ରୋଗ ପ୍ରତିରୋଧ ଓ ଚିକିତ୍ସାରେ ଜୋର ଦିଆଯିବ।
HPV ଟୀକା ସର୍ଭିକାଲ କ୍ୟାନ୍ସର ପ୍ରତିରୋଧ ପାଇଁ ଦିଆଯାଉଛି। ପୂର୍ବରୁ ଏହି ଟୀକା କେବଳ ବେସରକାରୀ ହସ୍ପିଟାଲରେ ମିଳୁଥିଲା, କିନ୍ତୁ ଏବେ ସରକାରୀ ହସ୍ପିଟାଲରେ ମାଗଣାରେ ଉପଲବ୍ଧ ହେବ। ଯେଉଁ ସରକାରୀ ହସ୍ପିଟାଲରେ କୋଲ୍ଡ ଚେନ ବ୍ୟବସ୍ଥା ରହିଛି, ସେଠାରେ ଏହି ଟୀକା ଦିଆଯିବ।
ପ୍ରଥମ ପର୍ଯ୍ୟାୟରେ ମହିଳା ଜନସଂଖ୍ୟାର ପ୍ରାୟ ୧ ପ୍ରତିଶତଙ୍କୁ ଏହି ଟୀକା ଦିଆଯିବ। ପରେ ପର୍ଯ୍ୟାୟକ୍ରମେ ୪୦ ବର୍ଷ ପର୍ଯ୍ୟନ୍ତ ମହିଳାମାନଙ୍କୁ ଟୀକାକରଣ କରାଯିବ। ଓଡ଼ିଶାରେ ପ୍ରାୟ ୨.୫ ଲକ୍ଷ ମହିଳାଙ୍କୁ ଏହି ଟୀକା ଦେବା ଲକ୍ଷ୍ୟ ରହିଛି। ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ କହିଛନ୍ତି ଯେ, ସମସ୍ତ ଜିଲ୍ଲାକୁ ଟୀକା ପଠାଇ ଦିଆଯାଇଛି।
ସର୍ଭିକାଲ କ୍ୟାନ୍ସର, ଯାହାକୁ ଗର୍ଭାଶୟ ମୁଖ କ୍ୟାନ୍ସର ମଧ୍ୟ କୁହାଯାଏ, ମହିଳାମାନଙ୍କ ମଧ୍ୟରେ ଦେଖାଯାଉଥିବା ଗୁରୁତର ରୋଗ। ଏହା ଗର୍ଭାଶୟର ତଳ ଅଂଶ ସର୍ଭିକ୍ସରେ ଆରମ୍ଭ ହୁଏ। ମୁଖ୍ୟତଃ ହ୍ୟୁମାନ ପାପିଲୋମା ଭାଇରସ୍ (HPV) ସଂକ୍ରମଣ ଏହାର ପ୍ରଧାନ କାରଣ। ଅସୁରକ୍ଷିତ ଯୌନ ସମ୍ପର୍କ, ଅପରିଷ୍କାର ଜୀବନଶୈଳୀ, ଧୂମ୍ରପାନ ଓ ଅଳ୍ପ ବୟସରେ ବିବାହ ଯୋଗୁଁ ଏହି ରୋଗ ବଢିଥାଏ ।
ଏହି ରୋଗର ଆରମ୍ଭରେ ସାଧାରଣତଃ ସ୍ପଷ୍ଟ ଲକ୍ଷଣ ଦେଖାଯାଏ ନାହିଁ। କିନ୍ତୁ ରୋଗ ବଢ଼ିଲେ ଅସାମାନ୍ୟ ରକ୍ତସ୍ରାବ, ସମ୍ପର୍କ ପରେ ରକ୍ତସ୍ରାବ, ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣିଯୁକ୍ତ ବା ଦୁର୍ଗନ୍ଧ ଯୁକ୍ତ ସ୍ରାବ, ପେଟ ଓ କମରେ ବେଦନା ଭଳି ଲକ୍ଷଣ ଦେଖାଯାଇପାରେ । ଏମିତି ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଉଚିତ।
ପାପ୍ ସ୍ମିୟାର ଟେଷ୍ଟ ଓ HPV ଟେଷ୍ଟ ମାଧ୍ୟମରେ ଏହି ରୋଗକୁ ଆରମ୍ଭରୁ ଚିହ୍ନଟ କରାଯାଇପାରେ। ସମୟରେ ପରୀକ୍ଷା କରାଇଲେ ସଫଳ ଚିକିତ୍ସା ସମ୍ଭବ। ଟୀକାକରଣ ମଧ୍ୟ ଏହି ରୋଗ ପ୍ରତିରୋଧରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଉଛି। କିଶୋରୀ ଓ ଯୁବତୀମାନେ HPV ଟୀକା ନେଲେ ସର୍ଭିକାଲ କ୍ୟାନ୍ସର ଅନେକ ହାର କମିଯାଏ।
ସଚେତନତା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ସୁସ୍ଥ ଜୀବନଶୈଳୀ ଅନୁସରଣ କଲେ ସର୍ଭିକାଲ କ୍ୟାନ୍ସରକୁ ରୋକାଯାଇପାରେ। ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ସହିତ ଲଜ୍ଜାକୁ ପଛକୁ ରଖି ସମୟରେ ଚିକିତ୍ସା ନେବା ଅତ୍ୟାବଶ୍ୟକ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
