ମୁମ୍ବାଇ: ଅରିଜିତ ସିଂହ କଲେ ବଡ଼ ଘୋଷଣା । ପ୍ଲେ ବ୍ୟାକ ସିଙ୍ଗିଙ୍ଗରୁ ନେଲେ ସନ୍ନ୍ୟାସ । ଅରିଜିତ ସିଂହଙ୍କ ଘୋଷଣାରେ ଭାବୁକ ହେଲେ ଫ୍ୟାନ୍ସ । ଆଉ ଶୁଭିବନି ଅରିଜିତ ସିଂହଙ୍କ ସ୍ୱର । ଆଉ ସିନେମାରେ ଗୀତ ଗାଇବେନି ଗାୟକ ଅରିଜିତ ସିଂହ । ବଲିଉଡର ସବୁଠାରୁ ଲୋକପ୍ରିୟ ଓ ସଫଳ ଗାୟକମାନଙ୍କ ମଧ୍ୟରେ ଅରିଜିତ ସିଂହଙ୍କ ନାମ ସବୁଠି ଆଗରେ ରହେ । ତାଙ୍କ ସ୍ୱର ଓ ଗୀତ ଗୁଡ଼ିକ ଶ୍ରୋତାମାନଙ୍କ ହୃଦୟକୁ ସର୍ବଦା ସ୍ପର୍ଶ କରିଆସୁଛି। ହେଲେ ନୂତନ ବର୍ଷର ଆରମ୍ଭରେ ଅରିଜିତ କରିଥିବା ଏକ ଘୋଷଣା ତାଙ୍କ ପ୍ରଶଂସକମାନଙ୍କୁ ଭାବପ୍ରବଣ କରିଦେଇଛି ।
ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହି ଲୋକପ୍ରିୟ ଗାୟକ କହିଛନ୍ତି ଯେ ସେ ଆଉ ପ୍ଲେ ବ୍ୟାକ ସିଙ୍ଗର ଭାବେ ନୂତନ କୌଣସି କାର୍ଯ୍ୟ ଗ୍ରହଣ କରିବେ ନାହିଁ। ତାଙ୍କ ଏହି ନିଷ୍ପତ୍ତି ଶୁଣି ଫ୍ୟାନମାନେ ଆଶ୍ଚର୍ଯ୍ୟ ହୋଇ ପଡ଼ିଛନ୍ତି।
ଅରିଜିତଙ୍କ ଏହି ଘୋଷଣା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଏହାସହ ପ୍ରଶଂସକମାନେ ତାଙ୍କ ସ୍ୱରକୁ ମିସ୍ କରିବେ ବୋଲି ଭାବପ୍ରକାଶ କରୁଛନ୍ତି।
ଗାୟକ ଅରିଜିତ ସିଂହ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଭାବପ୍ରବଣ ଶବ୍ଦରେ ତାଙ୍କ ନିଷ୍ପତ୍ତି ସେୟାର କରିଛନ୍ତି । ସେ ଲେଖିଛନ୍ତି, “ସମସ୍ତଙ୍କୁ ନୂତନ ବର୍ଷର ଅନେକ ଶୁଭେଚ୍ଛା । ବର୍ଷକାଳ ଧରି ଆପଣମାନଙ୍କର ଅସୀମ ପ୍ରେମ ଓ ସମର୍ଥନ ପାଇଁ ମୁଁ ହୃଦୟର ଗଭୀରରୁ କୃତଜ୍ଞ । ଏହି ଅବସରରେ ମୁଁ ଏକ ଘୋଷଣା କରୁଛି ଯେ ଆଉ ପ୍ଲେ ବ୍ୟାକ ଗାୟକ ଭାବେ କୌଣସି ନୂତନ କାର୍ଯ୍ୟ ଗ୍ରହଣ କରିବି ନାହିଁ । ଏଠାରେ ମୁଁ ଏହି ଅଧ୍ୟାୟକୁ ସମାପ୍ତ କରୁଛି। ଏହା ମୋ ପାଇଁ ଏକ ଅତ୍ୟନ୍ତ ସୁନ୍ଦର ଯାତ୍ରା ଥିଲା।
ଅରିଜିତ ସିଂହ ଭାରତୀୟ ସଙ୍ଗୀତ ଜଗତର ଏକ ବଡ ସଙ୍ଗୀତଜ୍ଞ ବୋଲି ବିବେଚନା କରାଯାଏ । ତାଙ୍କ ସ୍ୱରରେ କେବଳ ରୋମାଣ୍ଟିକ ଗୀତ ନୁହେଁ, ଅନେକ ଇମୋସନାଲ ଗୀତ ସହ ଦେଶାତ୍ମବୋଧକ ଗୀତ ଗୁଡ଼ିକ ନିଜସ୍ୱ ଶୈଳୀରେ ସଜାଇ ଦର୍ଶକଙ୍କ ମନକୁ ସ୍ପର୍ଶ କରିଛନ୍ତି । ଭିନ୍ନ ଭିନ୍ନ ସଂଗୀତ ଶୈଳୀରେ ତାଙ୍କ ସଫଳ ପ୍ରସ୍ତୁତି ଶ୍ରୋତାମାନଙ୍କ ମଧ୍ୟରେ ଏକ ଅଦ୍ୱିତୀୟ ସ୍ଥାନ ଦେଇଛି ।
ଫିଲ୍ମ ଆଶିକି-୨ରେ “ତୁମ୍ ହି ହୋ” ଗୀତ ଗାଇବା ପରେ ଅରିଜିତଙ୍କ କ୍ୟାରିଅରରେ ଏକ ବଡ ସଫଳତା ଆସିଥିଲା। ସେ ହିନ୍ଦୀ, ବଙ୍ଗଳା, ତାମିଲ, ତେଲୁଗୁ, ମରାଠୀ ଏବଂ କନ୍ନଡ ଭାଷାରେ ଗୀତ ଗାଇଛନ୍ତି । ଆଜି ପର୍ଯ୍ୟନ୍ତ ଗାୟକ ଅରିଜିତ ସିଂହ ୩୦୦ରୁ ଅଧିକ ଫିଲ୍ମରେ ନିଜର କଣ୍ଠସ୍ୱର ଦେଇଛନ୍ତି । ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଫିଲ୍ମଫେୟାର ପୁରସ୍କାର ସମେତ ଅନେକ ସମ୍ମାନ ମିଳିଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
