Explore

Search

September 1, 2025 6:20 pm

Genres

ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ଗଞ୍ଜାମର ଅବଦାନ ଅତୁଳନୀୟ : ଖଣି ଓ ଇସ୍ପାତ ମନ୍ତ୍ରୀ

ଓଡ଼ିଶାର ସର୍ବପ୍ରଥମ ପୌରପରିଷଦ ରୂପେ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ପାଳନ କରିଛି ୧୫୮ତମ ସ୍ବାୟତ୍ତ ଶାସନ ଦିବସ l ସ୍ଥାନୀୟ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆ ଠାରେ ବିଏମ୍‌ସି ପକ୍ଷରୁ ଆୟୋଜିତ ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ଆୟୋଜିତ ପୁରସ୍କାର ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଗଦେଇ ନିଜ ଅଭିଭାଷଣ ମାଧ୍ୟମରେ ଏହା କହିଥିଲେ ଯେ “ବ୍ରହ୍ମପୁର ମାଟିର ସ୍ବତନ୍ତ୍ରତା ରହିଛି। ଏଠାରୁ ଉତ୍କଳ ସମ୍ମିଳନୀର ମୂଳଦୁଆ ପଡ଼ିଥିବା ବେଳେ ଏଠାରୁ ପ୍ରଥମ ଛାପା କାରଖାନ ଯାଇ ପ୍ରଥମ ଖବରକାଗଜ ବାହାରିଥିଲା। ରାଜ୍ୟ ରାଜନୀତିରେ ମଧ୍ୟ ବ୍ରହ୍ମପୁର ସହରର ଅବଦାନ କମ୍ ନୁହେଁ। ରାଜ୍ୟ ରାଜନୀତିକୁ ପରିଚାଳିତ କରୁଥିବା ଗଞ୍ଜାମ ଜିଲ୍ଲା ସବୁବେଳେ ବ୍ରହ୍ମପୁର ଉପରେ ନିର୍ଭର କରେ l

ସହରର ଦ୍ରୁତ ବିକାଶ ପାଇଁ ଗ୍ରେଟର୍‌ ବ୍ରହ୍ମପୁର ଗଠନ କରି ଛତ୍ରପୁର, ଗୋପାଳପୁରକୁ ସାମିଲ କରି ବିକାଶ ଧାରାକୁ ତ୍ବରାନ୍ବିତ କରିବାକୁ ହେବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଅନୁଦାନ ଆସିଲେ ମଧ୍ୟ ସହରରେ ସ୍ଥାନାଭାବ ଯୋଗୁଁ ତାହା ବାସ୍ତବ ରୂପ ନେଇପାରୁନାହିଁ। ସହର ତଳି ଅଞ୍ଚଳକୁ ବିଏମ୍‌ସିରେ ସାମିଲ କରି ସହରର ବିକାଶ ସମ୍ଭବନାକୁ ଉଜ୍ଜ୍ବଳ କରିବାକୁ ପଡ଼ିବ ବୋଲି” ମନ୍ତ୍ରୀ ଶ୍ରୀ ଜେନା କହିଥିଲେ । କେବଳ ମୌଳିକ ସମସ୍ୟା ମଧ୍ୟରେ ସୀମିତ ନରହି ସାମଗ୍ରିକ ବିକାଶ ପ୍ରତି ଆମ ସମସ୍ତଙ୍କର ନୈତିକ ଦାୟିତ୍ଵ ରହିବା ଆବଶ୍ୟକ ବୋଲି କହିଥିଲେ ।

ମେୟର ସଂଘମିତ୍ରା ଦଳେଇ ଅଧ୍ୟକ୍ଷତା କରି ସହରର ବିକାଶ ନେଇ ସମସ୍ତଙ୍କ ସହଯୋଗ କାମନା କରିଥିବା ବେଳେ କମିସନର ପ୍ରଥମେଶ ଅରବିନ୍ଦ ରାଜସିର୍କେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ କେ.ଅନୀଲ କୁମାର, ଦକ୍ଷିଣାଞ୍ଚଳ ରାଜସ୍ବ କମିସନର ସଂଗ୍ରାମ ମହାପାତ୍ର ସହରର ଇତିହାସ ସଂପର୍କରେ ମତଦେଇ ଗଞ୍ଜାମ ଜିଲ୍ଲା ସବୁବେଳେ ରାଜ୍ୟକୁ ଦିଗ୍‌ଦର୍ଶନ ଦେଇ ଆସିଛି। ଗଞ୍ଜାମ ଜିଲ୍ଲା ଦୁର୍ବଳ ହେଲେ ରାଜ୍ୟ ପାଇଁ କାଳ ବୋଲି ପୂର୍ବରୁ ଯେଉଁମାନେ କହୁଥିଲେ ସେଥିରେ ସତ୍ୟତା ରହିଛି ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଉତ୍ସବର ଆଭିମୁଖ୍ୟ ସଂପର୍କରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅତିଥିମାନେ ସହରର ବିକାଶ ନେଇ ପ୍ରାୟ ୧୫କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଉଦ୍‌ଘାଟନ ସହ ଶିଳାନ୍ୟାସ କରିଥିଲେ।

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଫେସର ବିଷ୍ଣୁଚରଣ ଚୌଧୁରୀ, ଡ.ମନ୍ମଥ ପାଢ଼ୀ, ଡା. ନିହାର ରଞ୍ଜନ ସାହୁ, ଡ. ସୂଚନା ପାଢ଼ୀ ଡ. ବିଧୁପ୍ରଭା ରଥ, ଶରତ ଚନ୍ଦ୍ର ସ୍ବାଇଁ, ସତ୍ୟନାରାୟଣ ପାତ୍ର, ସୁକାନ୍ତ ପାତ୍ର, ଚିତ୍ରସେନ ବାରିକଙ୍କୁ ବିଏମ୍‌ସି ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏହାଛଡ଼ା ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ବିଜେତା ସହ ଉପବିଜେତାଙ୍କୁ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ କାର୍ଯ୍ୟରତ କର୍ମଚାରୀଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ଅଶୋକ ଶୁକ୍ଳ, ସାଂସଦ ପ୍ରତିନିଧି ବାଳକୃଷ୍ଣ ସାମନ୍ତରା, ଅର୍ବାନ ବ୍ୟାଙ୍କ୍ ସଭାପତି ଆର୍.ମୁରଲୀ ମୋହନଙ୍କ ସମେତ ସମସ୍ତ କର୍ପୋରେଟର ମଞ୍ଚାସୀନ ଥିବା ବେଳେ ଡେପୁଟି ମେୟର ଇ.ବିବେକ ରେତ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ଯପକ୍ଷରେ ପ୍ରେସ କ୍ଲବ ସଦସ୍ୟଙ୍କ ପକ୍ଷରୁ ପରିବେଷିତ ହୋଇଥିବା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ”ଜଗା ତତେ ମୋ ରାଣ” ଦର୍ଶକଙ୍କ ମନ ମୋହିଥିଲା l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score