Explore

Search

March 5, 2026 8:31 pm

ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଭୁବନେଶ୍ୱର: ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳ ପ୍ରାୟ ୯ଟା ସମୟରେ ଡାକ୍ତରମାନଙ୍କ ପରାମର୍ଶ ଅନୁସାରେ ତାଙ୍କୁ ଏୟାର୍ ଆମ୍ବୁଲାନ୍ସ ମାଧ୍ୟମରେ ଦିଲ୍ଲୀକୁ ପଠାଯାଇଥିବା ସୂଚନା ମିଳିଛି।

କିଛି ଦିନ ପୂର୍ବରୁ ହୃଦସମ୍ବନ୍ଧୀୟ ସମସ୍ୟା ଦେଖାଦେବା ପରେ ସେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ। ସେଠାରେ ଡାକ୍ତରମାନେ ତାଙ୍କୁ ନିରୀକ୍ଷଣରେ ରଖି ବିଭିନ୍ନ ପରୀକ୍ଷା କରିଥିଲେ। ପରୀକ୍ଷାରେ ତାଙ୍କର କରୋନାରୀ ଧମନୀ ରୋଗ (CAD) ଏବଂ ଟ୍ରିପଲ୍ ଭେସେଲ୍ ଡିଜିଜ୍ (TVD) ଥିବା ଚିହ୍ନଟ ହୋଇଥିଲା।

ସୂଚନା ଅନୁସାରେ, ଗତ ମଙ୍ଗଳବାର ସନ୍ଧ୍ୟାରେ ସୁରେଶ ପୂଜାରୀଙ୍କ ଛାତିରେ ହଠାତ ଭୟଙ୍କର ଯନ୍ତ୍ରଣା ଅନୁଭବ ହୋଇଥିଲା । ପରେ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କାର୍ଡିଓଥୋରାସିକ ଆଣ୍ଡ ଭାସ୍କୁଲାର ସର୍ଜରୀ (CTV) ଆଇସିୟୁରେ ରଖାଯାଇଥିଲା।

ଏମ୍ସର ଏକ ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କ ସ୍ବାସ୍ଥ୍ୟ ଉପରେ ନିରନ୍ତର ନଜର ରଖିଥିଲେ ଏବଂ ଆବଶ୍ୟକ ଯାଞ୍ଚ ପରୀକ୍ଷା ମଧ୍ୟ କରାଯାଇଥିଲା। ବର୍ତ୍ତମାନ ସୁରେଶ ପୂଜାରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ତଥାପି ଅଧିକ ଉନ୍ନତ ଚିକିତ୍ସା ଓ ପରବର୍ତ୍ତୀ ଚିକିତ୍ସା ପ୍ରକ୍ରିୟା ପାଇଁ ଡାକ୍ତରମାନଙ୍କ ପରାମର୍ଶରେ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

୧୯୬୦ ମସିହା ୨୯ ଜୁଲାଇରେ ସୁରେଶ କୁମାର ପୂଜାରୀଙ୍କ ଜନ୍ମ ହୋଇଥିଲା । ସେ ଓଡ଼ିଶାର ଜଣେ ପରିଚିତ ରାଜନେତା ଓ ପେଶାରେ ଆଇନଜୀବୀ । ଏହାସହ ସେ ଭାରତୀୟ ଜନତା ପାର୍ଟି (ବିଜେପି)ର ସକ୍ରିୟ ନେତା ଭାବେ ପରିଚିତ । ବର୍ତ୍ତମାନ ଓଡ଼ିଶା ସରକାରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି।

ସମ୍ବଲପୁର ଜିଲ୍ଲାର ନିବାସୀ ସୁରେଶ ପୂଜାରୀ ଦୀର୍ଘଦିନ ଧରି ରାଜନୀତିରେ ସକ୍ରିୟ ରହିଆସିଛନ୍ତି । ସେ ପୂର୍ବରୁ ସାଂସଦ ଭାବେ କାମ କରିଥିବା ସହିତ ବିଜେପିର ଓଡ଼ିଶା ରାଜ୍ୟ ଅଧ୍ୟକ୍ଷ ଭାବରେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି।

ତାଙ୍କର ରାଜନୈତିକ ଜୀବନ ଛାତ୍ର ଆନ୍ଦୋଳନରୁ ଆରମ୍ଭ ହୋଇ ଧୀରେଧୀରେ ରାଜ୍ୟ ଓ ଜାତୀୟ ସ୍ତରରେ ବିସ୍ତାର ପାଇଛି। କଲେଜ ଜୀବନରେ ସେ ୧୯୮୦ ମସିହାରେ ଛାତ୍ର ସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ଏବଂ ସେଥିଠାରୁ ଛାତ୍ର ଆନ୍ଦୋଳନ, କୃଷକ ଆନ୍ଦୋଳନ ଓ ଟ୍ରେଡ୍ ୟୁନିଅନ ଆନ୍ଦୋଳନରେ ସକ୍ରିୟ ଭାଗ ନେଇ ନେତୃତ୍ୱ ଦେଇଥିଲେ।

ରାଜନୀତି ସହିତ ସେ ସାମାଜିକ କ୍ଷେତ୍ରରେ ମଧ୍ୟ ନିଜ ଅବଦାନ ରଖିଛନ୍ତି। ‘ୟୁବ ଉଦୟନ୍’ ଏବଂ ‘ଉତ୍ସର୍ଗ’ ପରି ସାମାଜିକ ସଂଗଠନ ସହିତ ସେ ଜଡିତ ରହିବା ସହ ଏହାର ପ୍ରତିଷ୍ଠାତା ଓ ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ତାଙ୍କର ଦୀର୍ଘ ରାଜନୈତିକ ଅନୁଭବ ଓ ସାମାଜିକ ସେବା ପାଇଁ ସେ ଓଡ଼ିଶାର ରାଜନୀତିରେ ଏକ ପରିଚିତ ନାମ ଭାବେ ପରିଗଣିତ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score