Explore

Search

March 18, 2026 8:35 pm

ଅଚଳ ହୋଇ ପଡିଛି ବ୍ରହ୍ମପୁର ‘ସୁଭଦ୍ରା ଶକ୍ତି ବଜାର’

ବ୍ରହ୍ମପୁର : ଉଦଘାଟନକୁ ପୁରିଲା ମାସେ । ତଥାପି କାର୍ଯ୍ୟକ୍ଷମ ହୋଇ ପାରିନି ବ୍ରହ୍ମପୁର ସୁଭଦ୍ରା ଶକ୍ତି ବଜାର । ସ୍ୱୟଂସହାୟକ ଗୋଷ୍ଠୀ (SHG) ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ସହ ତାଙ୍କ ଉତ୍ପାଦିତ ସାମଗ୍ରୀ ପାଇଁ ସ୍ଥାୟୀ ବଜାର ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ସୁଭଦ୍ରା ଶକ୍ତି ବଜାର’ ଯୋଜନାକୁ ତ୍ୱରାନ୍ୱିତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସହରର ଟାଟାବେଞ୍ଜ ଛକ ନିକଟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଆଧୁନିକ ବଜାର କମ୍ପ୍ଲେକ୍ସ ନିର୍ମାଣ ସମ୍ପନ୍ନ ହୋଇଛି ।

ଗତ ଜାନୁଆରୀ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭର୍ଚୁଆଲ ମାଧ୍ୟମରେ ଏହି ପ୍ରକଳ୍ପର ଉଦଘାଟନ କରିଥିଲେ। କିନ୍ତୁ ଉଦଘାଟନର ପ୍ରାୟ ଏକ ମାସ ବିତି ଯାଇଥିଲେ ମଧ୍ୟ ବଜାରଟି ପୂର୍ଣ୍ଣ ଭାବେ ଚାଲୁ ହୋଇପାରିନାହିଁ, ଯାହାକୁ ନେଇ ସ୍ଥାନୀୟ ମହଲରେ ଅସନ୍ତୋଷ ଦେଖାଦେଇଛି ।

ସୂଚନା ଅନୁଯାୟୀ, କମାପଲ୍ଲୀ ଛକ ଓ ଟାଟାବେଞ୍ଜ ଛକ ମଧ୍ୟରେ ଅବସ୍ଥିତ ଏହି ବଜାରରେ ଦୁଇ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହୋଇଛି । ମୋଟ ୨୪ଟି ଦୋକାନଘର ସହିତ ବିଭିନ୍ନ ଆଉଟଲେଟ ବ୍ୟବସ୍ଥା ରହିଛି । ପ୍ରତ୍ୟେକ ମହଲାରେ ୮ଟି କରି ଦୋକାନ ରହିବ ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ଦୋକାନର ଆୟତନ ପ୍ରାୟ ୫୫ ବର୍ଗମିଟର ରଖାଯାଇଛି ।

ଏହାସହିତ ୨୪୬ ବର୍ଗମିଟର ଜାଗାରେ ‘ସୁଭଦ୍ରା ଶକ୍ତି କାଫେ’ ସ୍ଥାପିତ ହୋଇଛି । ଯେଉଁଠାରେ ଏକ ସମୟରେ ପ୍ରାୟ ୪୦ ଜଣ ବସି ଖାଦ୍ୟ ଉପଭୋଗ କରିପାରିବେ। ଏଠାରେ ଏସଏଚଜି ମହିଳାମାନଙ୍କ ତିଆରି ବିଭିନ୍ନ ଖାଦ୍ୟ ପଦାର୍ଥ ଓ ଘରୋଇ ଉତ୍ପାଦ ବିକ୍ରି ହେବାର ବ୍ୟବସ୍ଥା ରହିଛି।

ବଜାର ପ୍ରାଙ୍ଗଣରେ ୧୦୦ଟି ଦୁଇଚକିଆ ଯାନ ପାଇଁ ପାର୍କିଂ ସୁବିଧା, ବୈଠକ ଓ ସାମାଜିକ କାର୍ଯ୍ୟକ୍ରମ ପାଇଁ ଅଲଗା ଜାଗା ମଧ୍ୟ ବିକଶିତ କରାଯାଇଛି। ପ୍ରାୟ ଏକ ଏକର ଜମିରେ ଏହି ସମ୍ପୂର୍ଣ୍ଣ ପ୍ରକଳ୍ପ ଗଢ଼ି ଉଠିଛି।

ତଥାପି, ଏପର୍ଯ୍ୟନ୍ତ ବଜାରଟି କାର୍ଯ୍ୟକ୍ଷମ ନହେବାରୁ ଡିଆରଡିଏ ପକ୍ଷରୁ ଶୀଘ୍ର ପଦକ୍ଷେପ ନେଇ ଏହାକୁ ଚାଲୁ କରିବା ଦାବି ଜୋରଦାର ହେଉଛି । ଅଚଳ ହୋଇ ପଡିଛି ବ୍ରହ୍ମପୁର ‘ସୁଭଦ୍ରା ଶକ୍ତି ବଜାର’ । ଅନ୍ୟପକ୍ଷରେ, ମୀନାକ୍ଷୀନଗରରେ ଥିବା ଏହିପରି ଆଉ ଗୋଟିଏ ‘ସୁଭଦ୍ରା ଶକ୍ତି ବଜାର’ ମାଧ୍ୟମରେ ବିଭିନ୍ନ ଉତ୍ପାଦ, ବିଶେଷକରି ଆଚାର, ବ୍ରହ୍ମପୁର ସହ ଅନ୍ୟାନ୍ୟ ଜିଲ୍ଲାକୁ ଯୋଗାଣ ହେଉଥିବା ସୂଚନା ମିଳିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score