Explore

Search

March 31, 2026 1:00 am

ହାଣ୍ଡିଆ ହେବ ପୁଷ୍ଟିକର ପାନୀୟ

ଭୁବନେଶ୍ୱର : ହାଣ୍ଡିଆ ହେବ ପୁଷ୍ଟିକର ପାନୀୟ । ଆଦିବାସୀ ସମୁଦାୟର ପାରମ୍ପରିକ ପାନୀୟ ‘ହାଣ୍ଡିଆ’କୁ ଏବେ ନୂଆ ରୂପ ଦେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏହାକୁ କେବଳ ନିଶାଜାତ ପାନୀୟ ଭାବେ ନୁହେଁ, ବରଂ ଏକ ପୁଷ୍ଟିକର ଓ ସ୍ୱାସ୍ଥ୍ୟକର ପାନୀୟ ଭାବେ ପରିଚୟ କରାଇବାକୁ ବୈଜ୍ଞାନିକମାନେ ଉଦ୍ୟମ ଆରମ୍ଭ କରିଛନ୍ତି ।

ଆଇସିଏଆର-ସିଆରଆରଆଇ (ICAR-CRRI) ପକ୍ଷରୁ ଚାଲିଥିବା ଗବେଷଣାରେ ହାଣ୍ଡିଆର ପୁଷ୍ଟିମୂଲ୍ୟ ଓ ଉପକାରିତା ଉପରେ ସକାରାତ୍ମକ ଫଳାଫଳ ମିଳିଛି । ଏହାକୁ ସାଧାରଣ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ଏବେ ଏହାର ମାନ ନିର୍ଦ୍ଧାରଣ, ସଂରକ୍ଷଣ ସମୟ ଓ ଆଧୁନିକ ପ୍ୟାକେଜିଂ ପ୍ରଣାଳୀ ଉପରେ ଗଭୀର ଅନୁସନ୍ଧାନ ଚାଲିଛି ।

୨୦୨୫ ଅକ୍ଟୋବରରୁ ଆରମ୍ଭ ହୋଇଥିବା ଏହି ଗବେଷଣା ପୂର୍ବରୁ ବୈଜ୍ଞାନିକ ଦଳ ରାଜ୍ୟର ବିଭିନ୍ନ ଆଦିବାସୀ ଅଞ୍ଚଳକୁ ଯାଇ ବ୍ୟାପକ ସର୍ଭେ କରିଥିଲେ। ସେଠାରୁ ହାଣ୍ଡିଆ ପ୍ରସ୍ତୁତିର ପାରମ୍ପରିକ ପଦ୍ଧତି, ବ୍ୟବହୃତ କଞ୍ଚାମାଲ ଓ ଦୈନିକ ଜୀବନରେ ଏହାର ଭୂମିକା ବିଷୟରେ ତଥ୍ୟ ସଂଗ୍ରହ କରାଯାଇଛି ।

ବିଶେଷକରି ଏକ ପାରମ୍ପରିକ ମିଶ୍ରଣ, ଯାହା ବିଭିନ୍ନ ଔଷଧୀୟ ଗଛପତ୍ର ଓ ମୂଳରୁ ପ୍ରସ୍ତୁତ, ତାହାର ନମୁନା ମଧ୍ୟ ସଂଗ୍ରହ କରାଯାଇଛି । ଏହି ହାଣ୍ଡିଆର ଫର୍ମେଣ୍ଟେସନ ପ୍ରକ୍ରିୟାର ମୂଳ ଅଂଶ ବୋଲି ଗଣାଯାଏ । ସର୍ଭେରୁ ଜଣାପଡ଼ିଛି ଯେ, ଆଦିବାସୀମାନେ ପ୍ରାୟତଃ ଚାଉଳରୁ ହାଣ୍ଡିଆ ପ୍ରସ୍ତୁତ କରନ୍ତି ଓ ବିଭିନ୍ନ ପ୍ରଜାତିର ଚାଉଳ ବ୍ୟବହାର କରି ଏହା ତିଆରି କରିପାରିବାର ସମ୍ଭାବନା ରହିଛି । ସେମାନଙ୍କ ଅନୁଭବ ଅନୁଯାୟୀ, ହାଣ୍ଡିଆ ଶରୀରକୁ ଥଣ୍ଡା ରଖିବା ସହ ପାଚନକ୍ରିୟାକୁ ସହଜ କରେ ଓ ଶରୀରରେ ଜଳ ସମତୁଳନ ରକ୍ଷା କରେ ।

ବର୍ତ୍ତମାନ ବୈଜ୍ଞାନିକମାନେ ହାଣ୍ଡିଆର ଗୁଣଗତମାନ ବଢ଼ାଇବା ଉପରେ କାମ କରୁଛନ୍ତି। ବିଶେଷକରି ପରିମାଣ ଓ ଆଲକୋହଲ ମାତ୍ରାକୁ ନିୟନ୍ତ୍ରଣ କରି ସ୍ୱାସ୍ଥ୍ୟକର ମାନଦଣ୍ଡ ନିର୍ମାଣ ଉଦ୍ଦେଶ୍ୟ ରହିଛି । ସେଥିପାଇଁ ସାଧାରଣ ତାପମାତ୍ରାରେ ଏହାର ଷ୍ଟୋରେଜ ସମୟ ବଢ଼ାଇବା ନେଇ ମଧ୍ୟ ଗବେଷଣା ଚାଲିଛି ।

ସରକାରୀ ମାନ୍ୟତା ଓ ମାନଦଣ୍ଡ ନିର୍ଦ୍ଧାରଣ ପରେ ‘ହାଣ୍ଡିଆ’ ଏକ ପାରମ୍ପରିକ ପାନୀୟରୁ ଆଗକୁ ବଢ଼ି ସାଧାରଣ ବଜାରରେ ପ୍ୟାକେଟ ଆକାରରେ ଉପଲବ୍ଧ ହେବାର ସମ୍ଭାବନା ରହିଛି ।

ବୈଜ୍ଞାନିକମାନଙ୍କ ମତାନୁସାରେ, ଯଦି ସଠିକ ମାନଦଣ୍ଡ ରଖାଯାଏ, ତେବେ ‘ହାଣ୍ଡିଆ’ ଏକ ଲୋକପ୍ରିୟ ପୁଷ୍ଟିକର ପାନୀୟ ଭାବେ ନୂଆ ପରିଚୟ ପାଇପାରିବ । ଯାହା ଆଦିବାସୀ ପରମ୍ପରାକୁ ଆଧୁନିକ ମଞ୍ଚରେ ଆଣିବାରେ ସହାୟକ ହେବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score