ଭୁବନେଶ୍ୱର : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ଉନ୍ନତି ଆଣିବା ଲକ୍ଷରେ ରାଜ୍ୟ ସରକାର ନେଇଛନ୍ତି ବଡ ପଦକ୍ଷେପ । ଏନେଇ ସମର୍ପିତ ହୋଇଛି ୨୫୦ ନୂଆ ଆମ୍ବୁଲାନ୍ସ । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଆଜି ଆମ୍ବୁଲାନ୍ସ ସେବାର ଦ୍ୱିତୀୟ ପର୍ଯ୍ୟାୟରେ ୨୫୦ଟି ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି ।
ଏହି ନୂଆ ଆମ୍ବୁଲାନ୍ସ ଗୁଡ଼ିକ ଆଧୁନିକ ଜୀବନରକ୍ଷା ଉପକରଣ ସହ ସଜ୍ଜିତ ଥିବାରୁ ଆପାତକାଳୀନ ସ୍ଥିତିରେ ରୋଗୀଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ପାରିବ । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି ।
ଏଣିକି ରାଜ୍ୟର ପ୍ରତ୍ୟେକ ବ୍ଲକରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଏବଂ ସେଠାରୁ କଟକ ସ୍ଥିତ ବଡ ମେଡିକାଲକୁ ନିରନ୍ତର ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଯିବ । ଏହି ବ୍ୟବସ୍ଥା ଦ୍ୱାରା ଗୁରୁତର ରୋଗୀମାନେ ସମୟମତେ ଉନ୍ନତ ଚିକିତ୍ସା ସୁବିଧା ପାଇପାରିବେ ଏବଂ ଆପାତକାଳୀନ ସ୍ଥିତିରେ ଜୀବନରକ୍ଷା ସମ୍ଭାବନା ବଢ଼ିବ । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ମାଇଲଷ୍ଟୋନ ଭାବେ ଦେଖାଯାଉଛି।
୪୨୮ ନୂଆ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା
ଏହି ପରିକଳ୍ପନା ଅଧୀନରେ ସର୍ବମୋଟ ୪୨୮ଟି ନୂଆ ଆମ୍ବୁଲାନ୍ସ ସେବା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଯୋଡ଼ାଯାଇଛି ।ଏହାର ପ୍ରଥମ ପର୍ଯ୍ୟାୟରେ ଗତ ୨୩ ଡିସେମ୍ବରରେ ୧୫୦ଟି ଆମ୍ବୁଲାନ୍ସକୁ ସେବାରେ ନିୟୋଜିତ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଆଜି ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ୨୫୦ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି ।
ସରକାରୀ ସୂତ୍ର ଅନୁଯାୟୀ, ଏହି ସମସ୍ତ ଆମ୍ବୁଲାନ୍ସ ସେବା ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପ୍ରାୟ ୧୧୧ କୋଟି ଟଙ୍କା ବିନିଯୋଗ କରିଛନ୍ତି । ଏହାଦ୍ୱାରା ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ଆହୁରି ସୁଗମ ଓ ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି ।
ବର୍ତ୍ତମାନ ସାରା ରାଜ୍ୟରେ ୮୬୬ଟି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଚାଲୁଛି । ସେପଟେ ଗର୍ଭବତୀ ମହିଳା ଏବଂ ଅସୁସ୍ଥ ଶିଶୁମାନଙ୍କ ପାଇଁ ‘ଜନନୀ ଏକ୍ସପ୍ରେସ୍’ ନାଁରେ ଆଉ ୫୦୦ଟି ସ୍ୱତନ୍ତ୍ର ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଛି । ଏହି ଆମ୍ବୁଲାନ୍ସ ସେବାଗୁଡ଼ିକ ରାଜ୍ୟବାସୀଙ୍କ ପାଇଁ ଏକ ଜୀବନରେଖା ଭାବେ କାମ କରୁଛି ବୋଲି ସରକାର କହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କହିଛନ୍ତି, ସ୍ୱଳ୍ପ ସମୟ ଭିତରେ ରୋଗୀଙ୍କୁ ଯେପରି ହସ୍ପିଟାଲରେ ପହଞ୍ଚାଇ ତାଙ୍କୁ ନିରୋଗ କରି ହେବ ସେଥିପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏନେଇ ଆମ୍ବୁଲାନ୍ସ ସେବାକୁ ଅଧିକ ସୁଦୃଢ଼ ଏବଂ କାର୍ଯ୍ୟକ୍ଷମ କରିବା ଉପରେ ଧ୍ୟାନ ଦିଆଯାଉଛି । ଏଣୁ ରାଜ୍ୟର ସବୁ ବ୍ଲକରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ ମେଡିକାଲ ପର୍ଯ୍ୟନ୍ତ ନିରନ୍ତର ଆମ୍ବୁଲାନ୍ସ ସେବା ଜାରି ରଖିବାକୁ ସରକାର ପଦକ୍ଷେପ ନେଉଥିବା କହିଛନ୍ତି ।
ଏୟାରଷ୍ଟ୍ରିପ୍ରେ ଆପାତକାଳୀନ ଚିକିତ୍ସା
ରାଜ୍ୟର ଆପାତକାଳୀନ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ସରକାର ଏବେ ଏୟାରଷ୍ଟ୍ରିପ ଓ ବିମାନବନ୍ଦରକୁ ମଧ୍ୟ ଆମ୍ବୁଲାନ୍ସ ସେବାର ଅନ୍ତର୍ଭୁକ୍ତ କରୁଛନ୍ତି। ବିମାନ ଯୋଜନା ମାଧ୍ୟମରେ ରାଉରକେଲା ଓ ଜୟପୁର ପରି ଏୟାରଷ୍ଟ୍ରିପ ଗୁଡ଼ିକରେ ଆମ୍ବୁଲାନ୍ସ ସୁବିଧା ଉପଲବ୍ଧ କରାଯିବା ନେଇ ସରକାରୀସ୍ତରରେ କାମ ଚାଲିଛି।
ବର୍ତ୍ତମାନ ରାଜ୍ୟର ବିଭିନ୍ନ ବିମାନବନ୍ଦର ପାଇଁ ୫ଟି ଆଡଭାନ୍ସଡ୍ ଲାଇଫ୍ ସପୋର୍ଟ (ALS) ଆମ୍ବୁଲାନ୍ସ ସେବାରେ ନିୟୋଜିତ ରହିଛି। ଏଥିସହିତ ଝାରସୁଗୁଡା ସ୍ଥିତ କ୍ୟାନ୍ସର ହସ୍ପିଟାଲ ପାଇଁ ଅଲଗାଭାବେ ୨ଟି ALS ଆମ୍ବୁଲାନ୍ସ ଚାଲୁ ରହିଛି ।
ସରକାରୀ ସୂଚନା ଅନୁଯାୟୀ, ସାରା ରାଜ୍ୟରେ ଆମ୍ବୁଲାନ୍ସ ସେବା ମାଧ୍ୟମରେ ପ୍ରତିଦିନ ହାରାହାରି ୫ ହଜାରରୁ ଅଧିକ ରୋଗୀଙ୍କୁ ସରକାରୀ ହସ୍ପିଟାଲଗୁଡ଼ିକୁ ପହଞ୍ଚାଯାଉଛି । ଏହି ବିସ୍ତୃତ ବ୍ୟବସ୍ଥା ଦ୍ୱାରା ଆପାତକାଳୀନ ସ୍ଥିତିରେ ଚିକିତ୍ସା ସେବା ଆହୁରି ତ୍ୱରିତ ଓ ସୁଗମ ହେବ ବୋଲି ଆଶା କରାଯାଉଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
