ନୂଆଦିଲ୍ଲୀ : ସମସ୍ତ ସ୍କୁଲରେ ଛାତ୍ରୀମାନଙ୍କୁ ମାଗଣା ସାନିଟାରି ପ୍ୟାଡ ଯୋଗାଇଦେବାକୁ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି । ମାଗଣା ସାନିଟାରି ପ୍ୟାଡ ପ୍ରଦାନ ସଠିକ ଭାବେ ହେଉଛି କି ନାହିଁ, ସେଥିପାଇଁ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାରଙ୍କୁ ନିୟମିତ ତଦାରଖ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହ ସ୍କୁଲ ଗୁଡ଼ିକରେ ସ୍ୱଚ୍ଛତା ଓ ସୁରକ୍ଷାକୁ ଧ୍ୟାନରେ ରଖି, ପୁଅ ଓ ଝିଅଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ ନିର୍ମାଣ ନିଶ୍ଚିତ କରିବାକୁ ମଧ୍ୟ ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ପିରିୟଡ ବା ମାସିକ ଋତୁସ୍ରାବ ସ୍ୱାସ୍ଥ୍ୟର ଅଧିକାର ଅଟେ ଏବଂ ଏହା ସମ୍ବିଧାନରେ ଦିଆଯାଇଥିବା ମୌଳିକ ଅଧିକାରର ଅଂଶ। ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଓ ମର୍ଯ୍ୟାଦା ସୁରକ୍ଷା ପାଇଁ ସମସ୍ତ ସ୍କୁଲରେ ଆବଶ୍ୟକ ସୁବିଧା ଯୋଗାଇଦେବା ଅତ୍ୟାବଶ୍ୟକ ବୋଲି କୋର୍ଟ କହିଛନ୍ତି।
ଏଥିସହ ସର୍ବୋଚ୍ଚ ନ୍ୟାୟାଳୟ ଘରୋଇ ସ୍କୁଲ ଗୁଡ଼ିକୁ ମଧ୍ୟ କଡା ଚେତାବନୀ ଜାରି କରିଛନ୍ତି। ଯେଉଁ ଘରୋଇ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ ନିର୍ମାଣ ହୋଇନାହିଁ ଓ ଛାତ୍ରୀମାନଙ୍କୁ ମାଗଣା ସାନିଟାରି ପ୍ୟାଡ ବଣ୍ଟନରେ ବିଫଳ ହେଉଛନ୍ତି, ସେମାନଙ୍କ ମାନ୍ୟତା ରଦ୍ଦ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ସ୍କୁଲରେ ଥିବା ଶୌଚାଳୟ ଓ ଆଗାମୀଦିନରେ ନିର୍ମାଣ ହେବାକୁ ଥିବା ନୂଆ ଶୌଚାଳୟର ଡିଜାଇନ ଏପରି ଭାବେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଥିରେ ଛାତ୍ରଛାତ୍ରୀଙ୍କ ଗୋପନୀୟତା ସମ୍ପୂର୍ଣ୍ଣ ଭାବେ ସୁନିଶ୍ଚିତ ହେବ ।
ସେହିପରି ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ସୁବିଧାଜନକ ବ୍ୟବସ୍ଥା କରିବାକୁ ମଧ୍ୟ ଡିଜାଇନରେ ବିଶେଷ ଗୁରୁତ୍ୱ ଦେବାକୁ କୁହାଯାଇଛି । ସେଥିପାଇଁ ଶୌଚାଳୟ ଗୁଡ଼ିକରେ ସର୍ବଦା ସାବୁନ ଓ ସ୍ୱଚ୍ଛ ପାଣିର ଉପଲବ୍ଧତା ନିଶ୍ଚିତ କରିବାକୁ ସମ୍ପର୍କିତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
