ବ୍ରହ୍ମପୁର : ପାଟ ଶାଢ଼ୀ କଥା ପଡିଲେ ପ୍ରଥମେ ଆଗକୁ ଆସେ ବ୍ରହ୍ମପୁର ପାଟ । ଯାହାର ସୌନ୍ଦର୍ଯ୍ୟ ଓ କାରିଗରୀ କାମକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚାରେ ରୁହେ। ରାଜ୍ୟଠୁ ନେଇ ବିଦେଶରେ ସବୁଠି ସମସ୍ତଙ୍କ ପସନ୍ଦ ବ୍ରହ୍ମପୁର ପାଟ । ହେଲେ ଏହି ବ୍ରହ୍ମପୁର ପାଟ ଶାଢ଼ୀ ଏବେ ତାର ସତ୍ତା ହରାଉଛି । ଧୀରେ ଧୀରେ ହଜିବାକୁ ବସିଲାଣି ବ୍ରହ୍ମପୁର ପାଟ । ଆଉ ଏହାରି ଭିତରେ ବ୍ରହ୍ମପୁର ପାଟ ଶାଢ଼ୀକୁ ଯୁବପିଢ଼ି ଏକାଠି ହୋଇ ଆଧୁନିକତାର ଛାପ ଦେଇ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଅଣ୍ଟା ଭିଡିଛନ୍ତି ।
ସେ ବାହାବ୍ରତ ହେଉ କି ପାର୍ଟି ଫଙ୍କସନ ପ୍ରାୟ ପ୍ରତ୍ୟେକ ଓଡ଼ିଆ ପରିବାରରେ ଏକ ସମୟରେ ଅବଶ୍ୟ ଖୋଜା ପଡୁଥିଲା ବ୍ରହ୍ମପୁରୀ ପାଟ ଶାଢ଼ୀ । ପାରମ୍ପରିକ ମହକ ସହିତ ଆଧୁନିକ ଷ୍ଟାଇଲର ଅନନ୍ୟ ଚମକ ଥିବାରୁ ଏହି ଶାଢ଼ୀ ଓଡ଼ିଆ ନାରୀଙ୍କ ପସନ୍ଦର ଶୀର୍ଷରେ ଥିଲା।
କିନ୍ତୁ ସମୟ ସହିତ ଏହି ପାଟ ଶାଢ଼ୀର ପ୍ରଚାର ପ୍ରସାର କମିଯାଇଥିବାରୁ ତାହା ଧୀରେ ଧୀରେ ନିଜ ପରିଚୟ ହରାଇବାକୁ ଲାଗିଛି । ଆଧୁନିକତାର ସ୍ପର୍ଶରେ ପୂର୍ବ ଗୌରବର ଆକର୍ଷଣ ମଳିନ ହୋଇପଡ଼ିଛି।
ତଥାପି ସେଇ ପୁରୁଣା ମହକ ଓ ସେଇ ଚମକକୁ ପୁଣିଥରେ ଫେରାଇ ଆଣିବା ପାଇଁ ଏବେ ସମୟ ଆସିଛି। ବ୍ରହ୍ମପୁରୀ ପାଟ ସିଲ୍କର ଗୌରବମୟ ପରମ୍ପରାକୁ ନୂଆ ପିଢି ସହିତ ପରିଚୟ କରାଇବା ଉଦ୍ଦେଶ୍ୟରେ ‘ଲାବଣ୍ୟ’ ପକ୍ଷରୁ ପ୍ରଥମ ପଦକ୍ଷେପ ଗ୍ରହଣ କରାଯାଇଛି।
ବୈଷୟିକ ଶିକ୍ଷାନୁଷ୍ଠାନରେ ପଢୁଥିବା ଯୁବପିଢିଙ୍କ ମଧ୍ୟରେ ଆଧୁନିକ ଶିକ୍ଷା ସହ ପାଟବସ୍ତ୍ରର ପାରମ୍ପରିକ ମୂଲ୍ୟ ଓ ଚିନ୍ତାଧାରାକୁ ଜାଗ୍ରତ କରିବା ପାଇଁ ଏହି ଉଦ୍ୟମ ଆରମ୍ଭ ହୋଇଛି ।
ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଲାଗିଥାଏ ବରହମପୁରୀ ପାଟ
ବ୍ରହ୍ମପୁର ପାଟର ଧାର୍ମିକ ମହତ୍ତ୍ୱ ଯେପରି ଅତୁଳନୀୟ । ସେହିପରି ଆଧୁନିକ ପୀଢ଼ି ମଧ୍ୟରେ ଏହା ପ୍ରତି ଆଦର ଆଜି ବି ଅତୁଟ ରହିଛି । ସଂସ୍କୃତି ଗବେଷକ ତଥା ‘ଆମେସବୁ’ ଅନୁଷ୍ଠାନର ନିର୍ଦ୍ଦେଶକଙ୍କ ମତାନୁସାରେ, ବ୍ରହ୍ମପୁର ପାଟର ଐତିହ୍ୟ ଶ୍ରୀମନ୍ଦିର ସହ ଗଭୀର ଭାବେ ଜଡିତ । ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ବ୍ରହ୍ମପୁର ପାଟ ଲାଗୁଥିବା ପରମ୍ପରା ଏହାର ପବିତ୍ରତାକୁ ପ୍ରମାଣିତ କରେ । ଏହାସହିତ ବିଦେଶ ଭୂମି ରେଙ୍ଗୁନରେ ମଧ୍ୟ ବ୍ରହ୍ମପୁର ପାଟର ଉପସ୍ଥିତି ଥିବା ଐତିହାସିକ ସୂଚନା ମିଳେ।
ଫ୍ୟାଶନ ଦୃଷ୍ଟିକୋଣରୁ ଦେଖିଲେ ମଧ୍ୟ ବ୍ରହ୍ମପୁର ପାଟ ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିଛି । ହିନ୍ଦୀ ଚଳଚ୍ଚିତ୍ର ‘ଭିଗି ପଲକେଁ’ରେ ଅଭିନେତ୍ରୀ ସ୍ମିତା ପାଟିଲ ବ୍ରହ୍ମପୁର ପାଟ ପରିଧାନ କରି ଏହାକୁ ଜାତୀୟ ମଞ୍ଚରେ ପରିଚିତ କରାଇଥିଲେ । ଏହା ସ୍ପଷ୍ଟ କରେ ଯେ, ପରମ୍ପରା ଓ ଆଧୁନିକତାର ସମିଳନୀରେ ବ୍ରହ୍ମପୁର ପାଟ ଆଜି ବି ସମୟୋପଯୋଗୀ।
ବ୍ରହ୍ମପୁର ପାଟର ଡିଜାଇନ ଯେପରି ଆକର୍ଷଣୀୟ, ପିନ୍ଧିଲେ ସେପରି ରୂଚିଶୀଳ ଓ ମନୋହର ଦିଶେ । କିନ୍ତୁ ସାମ୍ପ୍ରତିକ ସମୟରେ ବ୍ରହ୍ମପୁର ପାଟର ଅସ୍ତିତ୍ୱ ଧୀରେଧୀରେ ସଙ୍କଟରେ ପଡୁଛି । ଏକ ସମୟ ଥିଲା, ଯେତେବେଳେ ବ୍ରହ୍ମପୁରରେ ପାଟଶାଢ଼ୀ ବୁଣିବା ପାଇଁ ପ୍ରାୟ ୫୦୦ ଟି ତନ୍ତ ସକ୍ରିୟ ଥିଲା। ଆଜି ସେହି ସଂଖ୍ୟା ହ୍ରାସ ପାଇ ମାତ୍ର ୫୦ରେ ସୀମିତ ହୋଇପଡ଼ିଛି, ଯାହା ପାଟ ବୁଣକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
ଏପରି ପରିସ୍ଥିତିରେ ବ୍ରହ୍ମପୁର ପାଟର ପାରମ୍ପରିକ ମହକ ଓ ପୁରୁଣା ଗୌରବକୁ ପୁନଃ ଫେରାଇ ଆଣିବାର ଆଶା ଜାଗ୍ରତ କରିଛି ‘ଲାବଣ୍ୟ’ । ଯୁବପିଢ଼ି, ବିଶେଷକରି ବୈଷୟିକ ଅନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଯଦି ପାଟବସ୍ତ୍ର ପରିଧାନ କରନ୍ତି, ତେବେ ସେଥିରୁ ସମାଜ ଉପରେ ଏକ ସକାରାତ୍ମକ ପ୍ରଭାବ ପଡ଼ିବ । ଏହି ଧାରଣାକୁ ନେଇ ‘ଲାବଣ୍ୟ’ ପକ୍ଷରୁ ଏକ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି ।
ବ୍ରହ୍ମପୁରୀ ପାଟ କେବଳ ଏକ ପୋଷାକ ନୁହେଁ । ଏହା ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ସିଲ୍କ ବୁଣକାର ସମୁଦାୟଙ୍କର ଅସ୍ମିତାର ପରିଚୟ । ଏହି ସନ୍ଦେଶକୁ ସାଧାରଣ ଲୋକଙ୍କ ପାଖକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରଥମଥର ପାଇଁ ରେଶମ ସହର ବ୍ରହ୍ମପୁରରେ ଆୟୋଜିତ ହୋଇଥିଲା ପାରମ୍ପରିକ ଭାରତୀୟ ବସ୍ତ୍ରର ବିଶେଷ ପ୍ରଦର୍ଶନୀ ‘ଲାବଣ୍ୟ’। ଯାହା ମାଧ୍ୟମରେ ଯୁବପିଢ଼ି ବ୍ରହ୍ମପୁରୀ ପାଟ ଲୋକଲୋଚନକୁ ଆଣିପାରିଲେ ଓ ଆଗକୁ ଏହାର ପ୍ରଚାର ଓ ପ୍ରସାର କରିବାକୁ ଅଣ୍ଟା ଭିଡିଛନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
