Explore

Search

February 19, 2026 12:43 am

ସଉରା ଆର୍ଟ ସାଜିବ ରୋଜଗାରର ମାଧ୍ୟମ, ନୂଆ ଦିଗ ପାଇବେ ଯୁବପୀଢ଼ି

ବ୍ରହ୍ମପୁର : ହାତରେ ତୂଳି, ସାମ୍ନାରେ ପ୍ରସ୍ତୁତ ବିଭିନ୍ନ ରଙ୍ଗର ଥାଳି । କେହି ଏକାଗ୍ର ମନୋଯୋଗରେ କ୍ୟାନଭାସ ଉପରେ ରେଖା ଟାଣୁଛନ୍ତି, ଆଉ କେଉଁଠି ହ୍ୟାଣ୍ଡମେଡ ପେପର ଓ କପଡ଼ା ଉପରେ ଉଦ୍ଭାସିତ ହେଉଛି ଅଦ୍ଭୁତ ସଉରା ଚିତ୍ରକଳାର ଅଲୌକିକ ଆକୃତି । ଏହା କୌଣସି ପ୍ରତିଯୋଗିତାର ଦୃଶ୍ୟ ନୁହେଁ, ବରଂ ଆଦିବାସୀ ପାରମ୍ପରିକ କଳାର ସୁରକ୍ଷା ଓ ପ୍ରସାର ପାଇଁ ଆୟୋଜିତ ଏକ ପ୍ରଶିକ୍ଷଣ ଶିବିରର ଚିତ୍ର ।

ଏହି ଶିବିରରେ ଛାତ୍ରଛାତ୍ରୀମାନେ ଆଦିବାସୀ ସମ୍ପ୍ରଦାୟର ପ୍ରାଚୀନ ସଉରା ଆର୍ଟ ବିଷୟରେ ପ୍ରାକ୍ତିକ ଶିକ୍ଷା ଗ୍ରହଣ କରୁଛନ୍ତି । ପ୍ରଶିକ୍ଷଣ ପରେ ସେମାନେ ନିଜେ ନିଜେ ଏହି ଚିତ୍ରକଳାକୁ ଅଭ୍ୟାସ କରି ସୃଜନଶୀଳତାର ପରିଚୟ ଦେଉଛନ୍ତି । ପାରମ୍ପରିକ ଆକୃତି, ପ୍ରାକୃତିକ ଚିହ୍ନ, ଦେବଦେବୀଙ୍କ ରୂପ ଓ ଦୈନନ୍ଦିନ ଜୀବନର ଚିତ୍ରଣ ସବୁକିଛି ସଉରା ଚିତ୍ରର ମୂଳ ଆକର୍ଷଣ।

ବର୍ତ୍ତମାନ ସମୟରେ ଯୁବପିଢ଼ୀ ପାଇଁ ଚାକିରି ସୁଯୋଗ ସୀମିତ ହୋଇପଡ଼ିଥିବାବେଳେ ଏପରି ପାରମ୍ପରିକ କଳା ନୂଆ ଆଶା ସୃଷ୍ଟି କରିଛି। ସଉରା ଚିତ୍ରକଳାକୁ ଆଧାର କରି ଗ୍ରିଟିଂ କାର୍ଡ, ହ୍ୟାଙ୍ଗିଂପୋଷ୍ଟର, ପୋଷାକ ଓ ବିଭିନ୍ନ ହସ୍ତଶିଳ୍ପ ପଦାର୍ଥ ପ୍ରସ୍ତୁତ କରାଯାଇ ବଜାରରେ ବିକ୍ରୟ କରାଯାଉଛି। ଅନଲାଇନ ମାଧ୍ୟମ ମଧ୍ୟ ଏହି କଳାକୁ ଜାତୀୟ ଓ ଆନ୍ତର୍ଜାତୀୟ ପରିଚିତି ଦେଉଛି ।

ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀମାନଙ୍କ କହିବା ଅନୁଯାୟୀ, ସଉରା ଆର୍ଟ କେବଳ ଏକ ଚିତ୍ରକଳା ନୁହେଁ, ଏହା ହେଉଛି ଆମ ସଂସ୍କୃତିର ପରିଚୟ । ଯଦି ସଠିକ ମାର୍ଗଦର୍ଶନ ଓ ବଜାର ସୁଯୋଗ ମିଳେ, ତେବେ ଏହା ଆଗାମୀ ଦିନରେ ଆତ୍ମନିର୍ଭରତାର ଏକ ଶକ୍ତିଶାଳୀ ମାଧ୍ୟମ ହୋଇପାରିବ।

ଏହିପରି ପଦକ୍ଷେପ ଦ୍ୱାରା ଆଦିବାସୀ କଳାର ସୁରକ୍ଷା ହେଉଥିବାବେଳେ, ଅନ୍ୟପଟେ ଯୁବପିଢ଼ୀ ପାଇଁ ନୂତନ ରୋଜଗାରର ଦ୍ୱାର ମଧ୍ୟ ଖୋଲି ଯାଉଛି । ସଉରା ଆର୍ଟ ଆଜି ପାରମ୍ପରିକତାକୁ ଧାରଣ କରି ଆଧୁନିକତା ସହ ହାତ ମିଳାଇ ଆଗକୁ ବଢ଼ୁଛି।

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀ ଆଜି କେବଳ ପୁସ୍ତକୀୟ ଶିକ୍ଷାରେ ସୀମିତ ରହି ନାହାଁନ୍ତି ବରଂ ସମାଜ ଓ ସଂସ୍କୃତି ସହିତ ଜଡିତ ମୂଲ୍ୟବୋଧକୁ ଆଗକୁ ନେବା ପାଇଁ ନୂଆ ପଦକ୍ଷେପ ନେଇଛନ୍ତି। ଆଧୁନିକତାର ପ୍ରଭାବରେ ଧୀରେ ଧୀରେ ଅନ୍ଧକାରକୁ ଯାଉଥିବା ଆଦିବାସୀ କଳା, ସଂସ୍କୃତି ଓ ପାରମ୍ପରିକ ଚିତ୍ରକଳାକୁ ପୁନଃଜୀବନ ଦେବାକୁ ସେମାନେ ଆଗୁଆ ହୋଇଛନ୍ତି ।

ବିଶେଷ କରି ସଉରା ସମ୍ପ୍ରଦାୟର ପ୍ରାଚୀନ ଚିତ୍ରଶୈଳୀକୁ ସାରା ରାଜ୍ୟ ଓ ଦେଶରେ ପରିଚିତ କରିବା ଲକ୍ଷ୍ୟରେ ଛାତ୍ରଛାତ୍ରୀମାନେ କାର୍ଯ୍ୟଶାଳା, ପ୍ରଦର୍ଶନୀ ଓ ପ୍ରଶିକ୍ଷଣ ଶିବିର ଆୟୋଜନ କରୁଛନ୍ତି । ସରଳ ରେଖା ଓ ପ୍ରାକୃତିକ ପ୍ରତୀକରେ ଗଢ଼ି ଉଠିଥିବା ସଉରା କଳା କେବଳ ଚିତ୍ର ନୁହେଁ, ଏହା ଆଦିବାସୀ ଜୀବନ ଓ ଆସ୍ଥାର ଜୀବନ୍ତ ଦଲିଲ।

ଛାତ୍ରଛାତ୍ରୀମାନଙ୍କ କହିବା ଅନୁଯାୟୀ, ଯଦି ଏହି ପାରମ୍ପରିକ କଳାକୁ ଆଧୁନିକ ବଜାର ସହିତ ଯୋଡ଼ାଯାଏ, ତେବେ ଏହା ରୋଜଗାରର ଏକ ଶକ୍ତିଶାଳୀ ମାଧ୍ୟମ ହୋଇପାରିବ । ହ୍ୟାଣ୍ଡମେଡ ପେପର୍, କପଡ଼ା, ଗୃହ ସଜା ସାମଗ୍ରୀ ଓ ଡିଜିଟାଲ ପ୍ଲାଟଫର୍ମରେ ସଉରା ଚିତ୍ରକଳାକୁ ଆଣି ନୂତନ ପୀଢ଼ି ପାଇଁ ସ୍ବାବଲମ୍ବନର ରାସ୍ତା ଖୋଲିବା ଉଦ୍ୟମ ଚାଲିଛି।

ଏହି ପ୍ରୟାସ ମାଧ୍ୟମରେ ସଉରା କଳାକୁ ଆହୁରି ଜନାଦୃତ କରିବା ସହିତ ଏହାକୁ ଆର୍ଥିକ ସଶକ୍ତିକରଣର ଆଧାର ଭାବେ ଗଢ଼ିଉଠାଇବା ଲକ୍ଷ୍ୟ ରହିଛି । ପାରମ୍ପରିକତା ଓ ଆଧୁନିକତାର ସମନ୍ୱୟ ଦ୍ୱାରା ଭବିଷ୍ୟତକୁ ରଙ୍ଗୀନ କରିବାର ସ୍ବପ୍ନ ନେଇ ଆଗେଇ ଚାଲିଛନ୍ତି ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟର ଯୁବପୀଢ଼ି ।

ସଉରା ଆର୍ଟ କ’ଣ ?

ଓଡ଼ିଶାର ଆଦିବାସୀ ସଂସ୍କୃତିରେ ସଉରା ଚିତ୍ରକଳା ଏକ ବିଶେଷ ସ୍ଥାନ ଦଖଲ କରିଛି । ବିଶେଷତଃ ରାୟଗଡା ଜିଲ୍ଲାରେ ଏହି ପାରମ୍ପରିକ କଳାର ପ୍ରଚଳନ ଅଧିକ ଦେଖିବାକୁ ମିଳେ । ସଉରା ଜନଜାତିଙ୍କ ଦୈନନ୍ଦିନ ଜୀବନ, ଆସ୍ଥା ଓ ପ୍ରକୃତି ସହିତ ସମ୍ପର୍କ ଏହି ଚିତ୍ରକଳାରେ ସୁସ୍ପଷ୍ଟ ଭାବେ ପ୍ରକାଶ ପାଏ।

ବିଶେଷକରି ଲାଞ୍ଜିଆ ସଉରା ସମ୍ପ୍ରଦାୟ ନିଜ ଘରର କାନ୍ଥରେ ପାରମ୍ପରିକ ଭାବରେ ଏହି ଚିତ୍ର ଅଙ୍କନ କରିଥାନ୍ତି । ଏହି ଚିତ୍ରରେ ଚାଷବାସ, ଶିକାର, ଫସଲ ଅମଳ, ପାହାଡ଼-ପର୍ବତ, ପଶୁପକ୍ଷୀ, ନୃତ୍ୟ-ଗୀତ, ବିବାହ ଓ ଆଦିବାସୀ ଜୀବନର ବିଭିନ୍ନ ପର୍ବପର୍ବାଣୀ ଅଙ୍କା ହୋଇଥାଏ।

ସଉରା ଭାଷାରେ ଏହି ଚିତ୍ରକଳାକୁ ‘ଇଡିତାଲ’ ବୋଲି କୁହାଯାଏ। ନୂତନ ଘର ନିର୍ମାଣ ସମୟରେ କିମ୍ବା କୌଣସି ଶୁଭ ଅବସରରେ ଘରର କାନ୍ଥରେ ଇଡିତାଲ ଅଙ୍କନ କରିବା ପରମ୍ପରାର ଏକ ଅଂଶ। ଏହାକୁ ଶୁଭ ଓ ସମୃଦ୍ଧିର ପ୍ରତୀକ ଭାବେ ଦେଖାଯାଏ। କେତେକ ସ୍ଥାନରେ ଏହାକୁ ଝୋଟି ଶୈଳୀ ସହିତ ମିଳିତ ଭାବରେ ମଧ୍ୟ ଦେଖିବାକୁ ମିଳେ।

ସଉରା ଆର୍ଟ କେବଳ ଚିତ୍ରକଳା ନୁହେଁ, ଏହା ଏକ ସଂସ୍କୃତିକ ଐତିହ୍ୟ ଓ ଆଦିବାସୀ ଜୀବନର ଦଲିଲ। ଆଜିର ଦିନରେ ଏହି ପାରମ୍ପରିକ ଶୈଳୀ ଆଧୁନିକ କ୍ୟାନଭାସ ଓ ହସ୍ତଶିଳ୍ପ ସାମଗ୍ରୀ ମାଧ୍ୟମରେ ନୂତନ ପରିଚୟ ପାଇବାରେ ସଫଳ ହେଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score