Explore

Search

March 10, 2026 12:38 am

ଶହେ ଦିନ ପୂରଣ କଲା ‘ବାଲ୍ୟ ବିବାହ ମୁକ୍ତ ଅଭିଯାନ’ : ରାଜ୍ୟରେ ବ୍ୟାପକ ସଚେତନତା

ଭୁବନେଶ୍ୱର : ରାଜ୍ୟରେ ବାଲ୍ୟ ବିବାହ ବିରୋଧୀ ସଚେତନତା ବଢ଼ାଇବା ପାଇଁ ଚାଲିଥିବା ‘ବାଲ୍ୟ ବିବାହ ମୁକ୍ତ ଅଭିଯାନ’ ଶହେ ଦିନର ସଫଳ ଯାତ୍ରା ପୂରଣ କରିଛି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହି ଅଭିଯାନ ନୂତନ ମାଇଲଷ୍ଟୋନ ଛୁଇଁଛି । ଶିଶୁ ଅଧିକାର ସୁରକ୍ଷା ପାଇଁ କାମ କରୁଥିବା ‘ଜଷ୍ଟ ରାଇଟସ ଫର ଚିଲ୍ଡ୍ରେନ’ ସଂଗଠନ ପକ୍ଷରୁ ଏହାକୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପରିଚାଳନା କରାଯାଉଛି।

ଅଭିଯାନ ମାଧ୍ୟମରେ ବାଲ୍ୟ ବିବାହ ମୁକ୍ତ ଓଡ଼ିଶାର ବାର୍ତ୍ତା ନେଇ ସଚେତନତା ଯାତ୍ରା ରାଜ୍ୟର ହଜାର ହଜାର ଗ୍ରାମକୁ ପହଞ୍ଚିଛି । ଏପର୍ଯ୍ୟନ୍ତ ୧୬ ହଜାରରୁ ଅଧିକ ଗ୍ରାମରେ ପ୍ରଚାର କାର୍ଯ୍ୟକ୍ରମ ହୋଇଥିବା ବେଳେ ପ୍ରାୟ ୧୭ ଲକ୍ଷରୁ ଅଧିକ ଲୋକଙ୍କ ମଧ୍ୟରେ ବାଲ୍ୟ ବିବାହ ବିରୋଧୀ ସଚେତନତା ସୃଷ୍ଟି କରାଯାଇଛି। ଏହି ଅଭିଯାନ ସମୟରେ ସଚେତନତା ରଥ ପ୍ରାୟ ୫୦ ହଜାର କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିଛି।

ଦେଶବ୍ୟାପୀ ଭାବେ ବାଲ୍ୟ ବିବାହକୁ ନିରୋଧ କରିବା ପାଇଁ ଭାରତ ସରକାର ଆରମ୍ଭ କରିଥିବା ୧୦୦ ଦିନିଆ ସଚେତନତା କାର୍ଯ୍ୟକ୍ରମର ଅଂଶ ଭାବେ ଏହି ପ୍ରୟାସ ଚାଲିଛି। ସାରା ଦେଶରେ ୫୦୦ରୁ ଅଧିକ ‘ବାଲ୍ୟ ବିବାହ ମୁକ୍ତି ରଥ’ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ରଥ ଯାତ୍ରା ସମୟରେ ସ୍କୁଲ, କଲେଜ, ଗ୍ରାମସଭା, ଧାର୍ମିକ ସ୍ଥଳ ଓ ଐତିହାସିକ ପରିସରରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଶୋଭାଯାତ୍ରା, ପଥନାଟକ, ଶପଥ ଗ୍ରହଣ କାର୍ଯ୍ୟକ୍ରମ ଓ ସାଂସ୍କୃତିକ ପ୍ରଦର୍ଶନ ମାଧ୍ୟମରେ ଲୋକମାନଙ୍କୁ ବାଲ୍ୟ ବିବାହର କୁଫଳ ବିଷୟରେ ସଚେତନ କରାଯାଇଛି।

ଏପର୍ଯ୍ୟନ୍ତ ୩ ହଜାରରୁ ଅଧିକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ୧୮୦୦ରୁ ଅଧିକ ସ୍କୁଲ ଓ କଲେଜରେ ଏହାର ପ୍ରଚାର ହୋଇଛି। ସେହିପରି ୧୨୦୦ରୁ ଅଧିକ ଧାର୍ମିକ ସ୍ଥଳରେ ମଧ୍ୟ ଏହି ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା ଅଭିଯାନରେ ହଜାର ହଜାର ଛାତ୍ରଛାତ୍ରୀ, ଶିକ୍ଷକ ଓ ଧାର୍ମିକ ନେତାମାନେ ଯୋଗଦେଇଥିଲେ।

ସରକାରୀ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ବାଲ୍ୟ ବିବାହର ହାର ଜାତୀୟ ହାର ତୁଳନାରେ କମ୍ ଥିଲେ ମଧ୍ୟ କେତେକ ଜିଲ୍ଲାରେ ଏହା ଚିନ୍ତାଜନକ ଅବସ୍ଥାରେ ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସଚେତନତା ଓ ସମାଜିକ ସହଭାଗୀତା ମାଧ୍ୟମରେ ବାଲ୍ୟ ବିବାହ ରୋକିବା ଉପରେ ଜୋର ଦିଆଯାଉଛି।

ସଂଗଠନର ତଥ୍ୟ ଅନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ କେବଳ ଓଡ଼ିଶାରେ ପ୍ରାୟ ୧୫ ହଜାରରୁ ଅଧିକ ବାଲ୍ୟ ବିବାହ ରୋକାଯାଇଛି। ଏହି ପ୍ରୟାସ ରାଜ୍ୟକୁ ବାଲ୍ୟ ବିବାହ ମୁକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନ୍ତବ୍ୟ କରାଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score