Explore

Search

March 13, 2026 1:22 pm

ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟଫୋନ, ବଦଳିବ ଡ୍ରେସ କୋଡ : ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନାରୀ ସଶକ୍ତିକରଣକୁ ଆହୁରି ମଜବୁତ କରିବା ଦିଗରେ ରାଜ୍ୟ ସରକାର ନେଇଛନ୍ତି ଏକ ବଡ଼ ପଦକ୍ଷେପ। ମିଶନ ଶକ୍ତି ଯୋଜନାକୁ ନୂଆ ରୂପ ଦେବା ସହିତ ମହିଳାଙ୍କୁ ଡିଜିଟାଲ ଭାବେ ସଶକ୍ତ କରିବା ପାଇଁ ସରକାର ମିଶନ ଶକ୍ତି ମହିଳାଙ୍କୁ ସ୍ମାର୍ଟଫୋନ ପ୍ରଦାନ କରିବାକୁ ଯୋଜନା କରିଛନ୍ତି । ଏଭଳି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ ମହିଳାଙ୍କୁ ସ୍ମାର୍ଟଫୋନ ସହ ଆଇଡି କାର୍ଡ ମଧ୍ୟ ପ୍ରଦାନ କରାଯିବ। ଏହା ମାଧ୍ୟମରେ ସେମାନେ ସରକାରୀ ଯୋଜନା, ଡିଜିଟାଲ ସେବା ଓ ଆତ୍ମନିର୍ଭରତାର ସୁଯୋଗକୁ ଆହୁରି ସହଜରେ ପାଇପାରିବେ । ଏହା ସହିତ ରାଜ୍ୟର ୪୬ ହଜାର କମ୍ୟୁନିଟି ରିସୋର୍ସ ପର୍ସନ (ସିଆରପି) ମହିଳାଙ୍କୁ ସରକାର ପକ୍ଷରୁ ସ୍ମାର୍ଟଫୋନ ଯୋଗାଇ ଦିଆଯିବ। ଏହା ମାଧ୍ୟମରେ ସେମାନେ ତାଙ୍କର କାର୍ଯ୍ୟକୁ ଡିଜିଟାଲ ମାଧ୍ୟମରେ ଆହୁରି ସହଜ ଓ କ୍ଷମତାଶାଳୀ ଭାବେ କରିପାରିବେ ।

ସରକାରଙ୍କ ପକ୍ଷରୁ ଦିଆଯିବାକୁ ଥିବା ଏହି ସ୍ମାର୍ଟ ଫୋନ ଗୁଡ଼ିକରେ ‘ଲୋକସ୍’ ଆପ୍ ପୂର୍ବରୁ ଇନଷ୍ଟଲ କରାଯାଇଛି । ଏହି ଆପ୍ ମାଧ୍ୟମରେ ‘ଲକ୍ଷପତି ଦିଦି’ ଯୋଜନା ସମ୍ପର୍କିତ ସମସ୍ତ ତଥ୍ୟ ସଂରକ୍ଷିତ ରହିବ । ଯାହା କାର୍ଯ୍ୟ ପରିଚାଳନାକୁ ଆହୁରି ସୁଗମ କରିବ।

ଏହା ସହିତ ମିଶନ ଶକ୍ତି ମହିଳାଙ୍କର ଡ୍ରେସ କୋଡରେ ମଧ୍ୟ ପରିବର୍ତ୍ତନ ଅଣାଯିବ। ଆସନ୍ତା ଉତ୍କଳ ଦିବସରୁ ନୂଆ ଡ୍ରେସକୋଡ ଲାଗୁ ହେବ। ନୂଆ ଶାଢ଼ୀରେ ଓଡ଼ିଆ ଅସ୍ମିତା, ସଂସ୍କୃତି ଓ ପରମ୍ପରାର ସ୍ପଷ୍ଟ ଝଲକ ଦେଖିବାକୁ ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ପଦକ୍ଷେପ ମାଧ୍ୟମରେ ମିଶନ ଶକ୍ତି ମହିଳାମାନେ ଆର୍ଥିକ, ସାମାଜିକ ଓ ଡିଜିଟାଲ ଭାବେ ଆହୁରି ସଶକ୍ତ ହେବେ ବୋଲି ଆଶା କରାଯାଉଛି।

ମିଶନ ଶକ୍ତି ମହିଳାମାନଙ୍କ ପକ୍ଷରୁ ଦୀର୍ଘ ଦିନ ଧରି ଡ୍ରେସକୋଡ ପରିବର୍ତ୍ତନ ନେଇ ଦାବି ହୋଇ ଆସୁଥିଲା । ଏହି ଦାବିକୁ ଦୃଷ୍ଟିରେ ରଖି ସରକାର ଡ୍ରେସକୋଡ ବଦଳ କରିବାକୁ ସିଦ୍ଧାନ୍ତ ନେଇଛନ୍ତି । ନୂଆ ଡ୍ରେସକୋଡ ଆସନ୍ତା ଉତ୍କଳ ଦିବସରୁ ରାଜ୍ୟରେ ଲାଗୁ ହେବ। ତେବେ ମିଶନ ଶକ୍ତି ମହିଳାଙ୍କ ପାଇଁ ନିର୍ଦ୍ଧାରିତ ହେବାକୁ ଥିବା ଶାଢ଼ୀର ରଙ୍ଗ କେଉଁ ରଙ୍ଗର ହେବ, ସେଥିପାଇଁ ଏପର୍ଯ୍ୟନ୍ତ ସ୍ପଷ୍ଟ ଘୋଷଣା ହୋଇନାହିଁ ।

ଡ୍ରେସ କୋଡରେ ପରିବର୍ତ୍ତନ :

ବଦଳିବ ମିଶନ ଶକ୍ତି ମହିଳାଙ୍କ ଡ୍ରେସ କୋଡ । ମିଶନ ଶକ୍ତି ଗୋଷ୍ଠୀ ପାଇଁ ନୂଆ ଡ୍ରେସ କୋଡ ଆଣିବାକୁ ସରକାର ଯୋଜନା କରୁଛନ୍ତି । ଏହି ଡ୍ରେସ କୋଡ ମହିଳାଙ୍କ ଏକତା, ପରିଚୟ ଏବଂ ସ୍ୱାଭିମାନକୁ ପ୍ରତିବିମ୍ବିତ କରିବ ।

ଏହି ପଦକ୍ଷେପ ପଛରେ ସରକାରଙ୍କର ସ୍ପଷ୍ଟ ଉଦ୍ଦେଶ୍ୟ ରହିଛି । ସରକାର କହିଛନ୍ତି ଯେ, ଏହାର ପ୍ରମୁଖ ଲକ୍ଷ୍ୟ ହେଉଛି ମହିଳାମାନଙ୍କୁ ଡିଜିଟାଲ ଭାବେ ସଶକ୍ତ କରିବା। ସେମାନଙ୍କୁ ପ୍ରଯୁକ୍ତି ସହ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା । ଏହାସହ ଗ୍ରାମାଞ୍ଚଳରେ ସ୍ୱରୋଜଗାର ସୁଯୋଗ ସୃଷ୍ଟି କରିବା ମଧ୍ୟ ଏହାର ମୂଳ ଉଦ୍ଦେଶ୍ୟ।

ସରକାରଙ୍କର ଆଶା ରହିଛି ଯେ, ଏହି ପଦକ୍ଷେପ ମାଧ୍ୟମରେ ମହିଳାମାନେ ନିଜେ ନିଜେ ଉଦ୍ୟମ ଗଢ଼ିପାରିବେ ଓ ଗ୍ରାମୀଣ ଅର୍ଥନୀତିକୁ ଆହୁରି ଶକ୍ତିଶାଳୀ କରିପାରିବେ।

ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ଲକ୍ଷାଧିକ ମହିଳା ଏବେ ନୂଆ ପରିଚୟ, ନୂଆ ସମ୍ଭାବନା ଓ ନୂଆ ଆତ୍ମବିଶ୍ୱାସ ସହ ଆଗକୁ ବଢ଼ୁଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score