ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ପ୍ରେମୀଙ୍କ ଅପେକ୍ଷାରେ ପଡ଼ିଲା ପୂର୍ଣ୍ଣବିରାମ । ଦେଶର ସବୁଠୁ ଲୋକପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ‘ଇଣ୍ଡିଆନ ପ୍ରିମିୟର ଲିଗ’ (ଆଇପିଏଲ)ର ୧୯ତମ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଏହି ବହୁ ପ୍ରତୀକ୍ଷିତ ଲିଗର ଆଂଶିକ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଆଇପିଏଲ–୧୯ର ରୋମାଞ୍ଚକର ମୁକାବିଲା ଆରମ୍ଭ ହେବାକୁ ଯାଉଛି।
ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚରେ ଗତବର୍ଷର ଚାମ୍ପିୟନ ‘ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ’ (ଆରସିବି) ଏବଂ ରନର୍ସ-ଅପ ‘ସନରାଇଜର୍ସ ହାଇଦ୍ରାବାଦ’ (ଏସଆରଏଚ୍) ମଧ୍ୟରେ ଟକ୍କର ହେବ। ନିଜ ଘରୋଇ ମାଟିରେ ଚାମ୍ପିୟନ ଭାବେ ଅଭିଯାନ ଆରମ୍ଭ କରିବାକୁ ଆରସିବି ଉତ୍ସୁକ ଥିବା ବେଳେ, ହାଇଦ୍ରାବାଦ ଦଳ ଗତ ସଂସ୍କରଣର ପରାଜୟର ପ୍ରତିଶୋଧ ନେବାକୁ ମନସ୍ଥ ରହିଛି।
ଉଲ୍ଲେଖନୀୟ ଯେ, ଗତବର୍ଷ ଆରସିବି ପ୍ରଥମଥର ପାଇଁ ଆଇପିଏଲ ଟ୍ରଫି ଜିତିବା ପରେ ବେଙ୍ଗାଲୁରୁରେ ଏକ ବିଜୟ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ସେହି ସମୟରେ ଅଧିକ ଭିଡ଼ ହେବାରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇ କିଛି ଲୋକ ଆହତ ହୋଇଥିଲେ । ଏହାପରେ ବେଙ୍ଗାଲୁରୁରେ ଆଇପିଏଲ ମ୍ୟାଚ ଆୟୋଜନ ନେଇ ପ୍ରଶ୍ନ ଉଠିଥିଲା। ତଥାପି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରି ବିସିସିଆଇ ପୁଣିଥରେ ଏଠାରେ ଉଦଘାଟନୀ ମ୍ୟାଚ କରିବାକୁ ସିଦ୍ଧାନ୍ତ ନେଇଛି ।
ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ ପୂରା ଟୁର୍ଣ୍ଣାମେଣ୍ଟର ସୂଚୀ ଘୋଷଣା କରାଯାଇନାହିଁ । ପ୍ରଥମ ପର୍ଯ୍ୟାୟରେ କେବଳ ୨୦ଟି ମ୍ୟାଚର କାର୍ଯ୍ୟସୂଚୀ ଜାରି କରାଯାଇଛି, ଯାହା ମାର୍ଚ୍ଚ ୨୮ରୁ ଏପ୍ରିଲ ୧୨ ପର୍ଯ୍ୟନ୍ତ ଖେଳାଯିବ। ଦେଶର ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ ଓ କେରଳରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବାକି ମ୍ୟାଚ ଗୁଡ଼ିକର ସୂଚୀ ପରେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।
ଏହି ସଂସ୍କରଣରେ ଆରସିବି ଉପରେ ସମସ୍ତଙ୍କ ଦୃଷ୍ଟି ରହିବ, କାରଣ ସେମାନେ ନିଜ ଟାଇଟଲ୍କୁ ସୁରକ୍ଷିତ ରଖିବାକୁ ପଡ଼ିଆକୁ ଓହ୍ଲାଇବେ। ଅନ୍ୟପଟେ, ଆଇପିଏଲ ଇତିହାସର ସବୁଠାରୁ ସଫଳ ଦଳ ‘ମୁମ୍ବାଇ ଇଣ୍ଡିଆନ୍ସ’ ଓ ‘ଚେନ୍ନାଇ ସୁପର କିଙ୍ଗସ’ ମଧ୍ୟ ନିଜର ଷଷ୍ଠ ଟାଇଟଲ ଜିତିବା ଲକ୍ଷ୍ୟରେ ମୈଦାନକୁ ନମିବେ। ଏହି ଦୁଇ ଦଳ ଏପର୍ଯ୍ୟନ୍ତ ୫-୫ ଥର ଚାମ୍ପିୟନ ହୋଇ ସାରିଛନ୍ତି।
କ୍ରିକେଟର ଏହି ମହାଉତ୍ସବକୁ ନେଇ ଖେଳାଳିମାନଙ୍କୁ ଆରମ୍ଭ କରି ପ୍ରଶଂସକମାନେ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଭାରି ଉତ୍ସାହ ଦେଖିବାକୁ ମିଳୁଛି । ନିର୍ବାଚନ ମଧ୍ୟରେ ଆଇପିଏଲର ଏହି ରୋମାଞ୍ଚ କେମିତି ରଙ୍ଗ ଦେଖାଏ, ସେଥିପାଇଁ ସମସ୍ତଙ୍କ ନଜର ରହିଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
