Explore

Search

January 15, 2026 11:19 pm

ମାଣ୍ଡିଆର ଗୌରବଗାଥା କହିବ ‘ଦ ମିଲେଟ୍ ଡାଏରୀ’

ଭୁବନେଶ୍ୱର: ମାଣ୍ଡିଆର ଔଷଧୀୟ ମୂଲ୍ୟ, ତାହାର ଐତିହାସିକ ପୃଷ୍ଠଭୂମି ଓ କଳିଙ୍ଗ ସଭ୍ୟତାର ଗୌରବକୁ କେନ୍ଦ୍ର କରି ଏକ ନୂଆ ଓ ଭିନ୍ନ ସ୍ୱାଦ ନେଇ ଆସୁଛି ଓଡ଼ିଆ ସିନେମା ‘ଦ ମିଲେଟ୍ ଡାଏରୀ’। ଗତକାଲି ଫିଲ୍ମର ଟିଜର ମୁକ୍ତିଲାଭ କରିବା ପରେ ଦର୍ଶକଙ୍କ ମଧ୍ୟରେ ଏହାକୁ ନେଇ ବିପୁଳ ଉତ୍ସାହ ଦେଖାଦେଇଛି।

ଭୁବନେଶ୍ୱରସ୍ଥିତ ପଦ୍ମଜା ହୋଟେଲରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଫିଲ୍ମର ଟିଜର ରିଲିଜ କରାଯାଇଥିଲା। ୧ ମିନିଟ ୫୫ ସେକେଣ୍ଡର ଏହି ଟିଜରରେ ଯୁଦ୍ଧ, ବଳିଦାନ, ରହସ୍ୟ ଓ ପ୍ରେମର ଦୃଶ୍ୟ ଦର୍ଶକଙ୍କୁ ଆକର୍ଷିତ କରୁଛି । ଆରମ୍ଭରେ ଯୁଦ୍ଧଭୂମିର ଦୃଶ୍ୟ ଥିବା ବେଳେ, ଶେଷ ଭାଗରେ ପ୍ରଭୁ ଜଗନ୍ନାଥଙ୍କ କୃପାକୁ ନେଇ ଥିବା ସଂଳାପ ଟିଜରକୁ ଆଧ୍ୟାତ୍ମିକ ଛାପ ଦେଇଛି ।

ଏହି ଫିଲ୍ମରେ ସିଦ୍ଧାନ୍ତ ମହାପାତ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଦ ଚରିତ୍ରରେ ନଜର ଆସୁଥିବା ବେଳେ, କୁନା ତ୍ରିପାଠୀ, ରାଜେଶ, ଅଭିଷେକ ପଣ୍ଡା ଓ ଶିବାନୀ ସଙ୍ଗୀତାଙ୍କ ଅଭିନୟ ଫିଲ୍ମକୁ ଆହୁରି ଶକ୍ତିଶାଳୀ କରିଛି। ଶିବାନୀ ଓ ଅଭିଷେକଙ୍କ ପ୍ରେମ କାହାଣୀ ଦର୍ଶକଙ୍କ ପାଇଁ ଏକ ବିଶେଷ ଆକର୍ଷଣ ହେବ ବୋଲି ଆଶା କରାଯାଉଛି।

ଇନଫାଇସନ ଏଣ୍ଟରଟେନମେଣ୍ଟ ପ୍ରେଜେଣ୍ଟ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ରାଜେନ୍ଦ୍ର ମହନ୍ତ ନିର୍ଦ୍ଦେଶନା ଦେଇଥିବା ବେଳେ, ସଙ୍ଗୀତ ନିର୍ଦ୍ଦେଶନାର ଦାୟିତ୍ୱ ନେଇଛନ୍ତି ପ୍ରେମ ଆନନ୍ଦ। ଚିତ୍ରନାଟ୍ୟ ଓ ସଂଳାପ ଦିଲ୍ଲୀପ ବିଶୋଇ ଓ ଉତ୍ତମ କୁମାର ଲେଖିଛନ୍ତି।

ନିର୍ମାତାଙ୍କ ମତାନୁସାରେ, ‘ଦ ମିଲେଟ୍ ଡାଏରୀ’ କେବଳ ଏକ ସିନେମା ନୁହେଁ, ଏହା କଳିଙ୍ଗର ମାଟି, ମାଣ୍ଡିଆ ଓ ଓଡ଼ିଆ ଆତ୍ମସମ୍ମାନର ଏକ ଜୀବନ୍ତ ଗାଥା। ଏହି ଫିଲ୍ମଟି ଆସନ୍ତା ୧୨ ଜୁନ ୨୦୨୬ ରେ ସିନେମା ଘରକୁ ଆସିବ । ଟିଜରକୁ ମିଳିଥିବା ଭଲ ପ୍ରତିକ୍ରିୟା ଦେଖି, ‘ଦ ମିଲେଟ ଡାଏରୀ’ ଓଡ଼ିଆ ସିନେମା ଇତିହାସରେ ଏକ ନୂଆ ମାଇଲଷ୍ଟୋନ ସୃଷ୍ଟି କରିବ ବୋଲି ଚର୍ଚ୍ଚା ଜୋର ଧରିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score