Explore

Search

February 18, 2026 10:50 pm

ମାଟିତଳୁ ଉଠୁଛି ‘ସୁନାର ଫସଲ’: ସ୍ୱାସ୍ଥ୍ୟ ପାଇଁ ବେଶ ଲାଭକାରୀ କନ୍ଦମୂଳ

ବୌଦ୍ଧ : ଓଡିଶାର ଅନେକ ଅଞ୍ଚଳରେ କନ୍ଦମୂଳକୁ “ସୁନାର ଫସଲ” ବୋଲି କୁହାଯାଏ । ଲାଲ ରଙ୍ଗର ଏହି ମିଠା ଯୁକ୍ତ ଫଳ ସଦୃଶ କନ୍ଦମୂଳ ଖାଦ୍ୟ ଭାବେ ଯେପରି ସ୍ୱାଦିଷ୍ଟ, ସେପରି ଚାଷୀଙ୍କ ପାଇଁ ଆର୍ଥିକ ଭାବେ ମଧ୍ୟ ଲାଭକାରୀ। ଅଳ୍ପ ଖର୍ଚ୍ଚ ଓ କମ ପରିଶ୍ରମରେ ଭଲ ଉତ୍ପାଦନ ମିଳୁଥିବାରୁ ଏହାକୁ ଏବେ ଲାଭଜନକ ଚାଷ ଭାବେ ଦେଖାଯାଉଛି ।

ବୌଦ୍ଧ ଜିଲ୍ଲାର ସଦରବ୍ଲକ ଅନ୍ତର୍ଗତ ମନୁପାଲି ପଞ୍ଚାୟତର ଡିଗି ଗ୍ରାମ ସହ କନାପଡା, ଶୁଆପାବୁଲି, ମହୁଲି ଓ ସାହୁପଡ଼ା ଭଳି ଆଖପାଖ ଗ୍ରାମରେ ପ୍ରାୟ ୧୦୦ ହେକ୍ଟର ଜମିରେ କନ୍ଦମୂଳ ଚାଷ କରାଯାଉଛି । ଏଠାରେ ଶତାଧିକ ଚାଷୀ ଏକତ୍ରିତ ହୋଇ ଜୈବିକ ପଦ୍ଧତିରେ ଚାଷ କରି ସଫଳତାର ନୂଆ ଦିଗ ଖୋଲିଛନ୍ତି।

ଧାନ ଚାଷ ଶେଷ ହେବା ପରେ ଅତିରିକ୍ତ ଆୟ ଲକ୍ଷ୍ୟରେ ଚାଷୀମାନେ ଅସମତଳ ଜମିକୁ ସମତଳ କରି ପ୍ରସ୍ତୁତ କରନ୍ତି। ହଳ ଓ ଲଙ୍ଗଳ ସାହାଯ୍ୟରେ ମାଟିକୁ ଭଲଭାବେ ଚାଷ କରି ଚାରା ରୋପଣ କରାଯାଏ। ପ୍ରାକୃତିକ ସାର ଓ ଜୈବିକ ପଦ୍ଧତିରେ ଚାଷ କରାଯାଇଥିବାରୁ ମାଟିର ଉର୍ବରତା ରହିଥାଏ । ଫେବୃଆରୀ ମାସରେ ମାଟି ଖୋଳି କନ୍ଦମୂଳ ଉତ୍ପାଦନ କରାଯାଏ, ଯାହା ଚାଷୀଙ୍କୁ ଭଲ ଆର୍ଥିକ ଫଳ ଦେଇଥାଏ ।

ଚାଷୀମାନଙ୍କ କହିବା ଅନୁଯାୟୀ, ଏହି ଚାଷ ପାଇଁ ବିଶେଷ ପାଣିର ଆବଶ୍ୟକତା ନଥାଏ ଓ କୌଣସି ରାସାୟନିକ ଔଷଧ ବ୍ୟବହାର କରିବାକୁ ପଡ଼େନି। ବଜାରରେ ଏହି ମିଠା ଯୁକ୍ତ କନ୍ଦମୂଳର ଚାହିଦା ଭଲ ଥିବା ସତ୍ତ୍ୱେ, କେବେ କେବେ ଦର କମ୍ ରହିଥାଏ, ଯାହା ଚାଷୀଙ୍କୁ କ୍ଷତିର ସମ୍ମୁଖୀନ କରାଏ।

ତଥାପି, ଜୈବିକ ପଦ୍ଧତି ଅନୁସରଣ କରି ଚାଷ କରିବାରୁ ଉତ୍ପାଦନମାନ ସୁଧାରିଛି ଓ ଗ୍ରାମ ଅର୍ଥନୀତିରେ ସକାରାତ୍ମକ ପ୍ରଭାବ ପଡ଼ିଛି। ଗତ କିଛି ବର୍ଷ ଧରି ବୌଦ୍ଧ ଜିଲ୍ଲାର ଅନେକ ଚାଷୀ ଏହି ଫସଲ ପ୍ରତି ଆଗ୍ରହ ଦେଖାଇ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେଉଛନ୍ତି।

ଚାଷୀମାନଙ୍କ ଦାବି, ଯଦି ସରକାରୀ ସ୍ତରରେ ଯଥୋଚିତ ସହାୟତା, ନ୍ୟୁନତମ ମୂଲ୍ୟ ଓ ସୁଚିନ୍ତିତ ବଜାର ବ୍ୟବସ୍ଥା ହୋଇପାରେ, ତେବେ କନ୍ଦମୂଳ ଚାଷ ଆହୁରି ବ୍ୟାପକ ରୂପ ନେବ। ଏହା ମାଟିତଳୁ ଉଠୁଥିବା ସୁନାର ଫସଲ ଭାବେ ଗ୍ରାମୀଣ ଅର୍ଥନୀତିକୁ ଆହୁରି ସଶକ୍ତ କରିପାରିବ।

ସ୍ୱାସ୍ଥ୍ୟ ପାଇଁ ଲାଭକାରୀ କନ୍ଦମୂଳ ଆଳୁ :

ମିଠା ଆଳୁ ବା କନ୍ଦମୂଳ କେବଳ ରୁଚିକର ଖାଦ୍ୟ ନୁହେଁ, ଏହା ଅନେକ ଆବଶ୍ୟକ ପୋଷକତତ୍ତ୍ୱରେ ଭରିଥିବା ଏକ ସ୍ୱାସ୍ଥ୍ୟକର ଫସଲ। ଶୀତ ଋତୁରେ ଶରୀରକୁ ଉଷ୍ଣତା ଓ ଶକ୍ତି ଯୋଗାଇବାରେ ଏହା ବିଶେଷ ଭୂମିକା ନିଭାଏ। ଏଥିରେ ଫାଇବର, ଭିଟାମିନ୍–ଏ, ଭିଟାମିନ୍–ସି, ପୋଟାସିୟମ୍ ଓ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥାଏ, ଯାହା ଶରୀରକୁ ସୁସ୍ଥ ଓ ସକ୍ତିଶାଳୀ ରଖିଥାଏ । କନ୍ଦମୂଳରେ ଥିବା ଭିଟାମିନ୍–ଏ ଓ ସି ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରେ। ନିୟମିତ ସେବନ ଥଣ୍ଡା, କାଶ ଓ ଋତୁକାଳୀନ ସଂକ୍ରମଣରୁ ସୁରକ୍ଷା ଦେଇପାରେ । ଏଥିରେ ଥିବା ପ୍ରାକୃତିକ କାର୍ବୋହାଇଡ୍ରେଟ୍ ଶରୀରକୁ ଦୀର୍ଘସମୟ ଶକ୍ତି ଯୋଗାଇଥାଏ। ଶୀତ ଦିନରେ ଅଳସୁଆ ଲାଗିଲେ ମିଠା ଆଳୁ ଏକ ଉତ୍ତମ ଶକ୍ତି ଉତ୍ସ ହୋଇପାରେ । କନ୍ଦମୂଳରେ ଥିବା ପୋଟାସିୟମ୍ ରକ୍ତଚାପକୁ ସମତୋଳ ରଖିବାରେ ସାହାଯ୍ୟ କରେ। ଏହା ହୃଦୟକୁ ସୁସ୍ଥ ରଖିବାରେ ଉପକାରୀ ବୋଲି ପରିଚିତ।

କମ୍ କ୍ୟାଲୋରୀ ଓ ଅଧିକ ଫାଇବର ଥିବାରୁ ଏହା ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୁରା ରଖେ। ଏଥିରେ ଅତ୍ୟଧିକ ସୁଗାର ନଥିବାରୁ ଓଜନ ନିୟନ୍ତ୍ରଣରେ ଉପକାରୀ । କନ୍ଦମୂଳର କାର୍ବୋହାଇଡ୍ରେଟ ଧୀରେ ହଜମ ହୁଏ, ଯାହାରୁ ରକ୍ତରେ ଶର୍କରା ସ୍ତର ହଠାତ ବଢ଼ିଯାଏ ନାହିଁ । ତଥାପି ଡାକ୍ତରୀ ପରାମର୍ଶ ଅନୁଯାୟୀ ସୀମିତ ପରିମାଣରେ ସେବନ କରିବା ଉଚିତ । ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଏହା ଶରୀରର କୋଷଗୁଡ଼ିକୁ ସୁରକ୍ଷା କରେ ଓ ବୟସ ବୃଦ୍ଧିର ପ୍ରଭାବକୁ କମାଇଥାଏ। ନିୟମିତ ଓ ସମତୋଳ ଭାବେ କନ୍ଦମୂଳ ଖାଇଲେ ହଜମ ପ୍ରକ୍ରିୟା ସୁଧାରେ ଓ ସମଗ୍ର ସ୍ୱାସ୍ଥ୍ୟ ଉନ୍ନତ ହୁଏ । ମିଠା ଆଳୁ କେବଳ ଏକ ସାଧାରଣ ଫସଲ ନୁହେଁ; ଏହା ଶୀତ ଋତୁରେ ସ୍ୱାସ୍ଥ୍ୟର ରକ୍ଷକ ଭାବେ ପରିଚିତ। ତଥାପି ଯେକୌଣସି ଖାଦ୍ୟ ପରି ଏହାକୁ ମଧ୍ୟ ସୀମିତ ଓ ସମତୋଳ ପରିମାଣରେ ସେବନ କରିବା ଉଚିତ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score