Explore

Search

February 11, 2026 3:25 pm

ମତ୍ସ୍ୟଜୀବୀଙ୍କ ପାଇଁ ଖୁସି ଖବର : ପ୍ରସ୍ତୁତି ହେବ ହାଇଜେନିକ ଶୁଖୁଆ, ମାଛ ଆଚାର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ମତ୍ସ୍ୟଜୀବୀମାନଙ୍କ ପାଇଁ ଏକ ଖୁସିର ଖବର। ଆଗାମୀ ଦିନରେ ମତ୍ସ୍ୟଜୀବୀଙ୍କୁ ନୂଆ ବଜାର ସୁଯୋଗ ଦେବାସହ ହାଇଜେନିକ ପରିବେଶରେ ଶୁଖୁଆ, ମାଛ ଆଚାର ଓ ଅନ୍ୟାନ୍ୟ ମତ୍ସ୍ୟ ଉତ୍ପାଦ ପ୍ରସ୍ତୁତି ପାଇଁ ଏକ ଅତ୍ୟାଧୁନିକ ବ୍ୟବସ୍ଥା ହେବାକୁ ଯାଉଛି ।

ମାଣ୍ଡିଆପଲ୍ଲୀ ସ୍ଥିତ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ନିର୍ମିତ ଇନକ୍ୟୁବେସନ ସେଣ୍ଟର ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହା କାର୍ଯ୍ୟକ୍ଷମ ହେଲେ ପୂର୍ବଭଳି ଦୂଷିତ ପରିବେଶରେ ଶୁଖୁଆ ପ୍ରସ୍ତୁତିର ଆବଶ୍ୟକତା ରହିବ ନାହିଁ ଏବଂ ମତ୍ସ୍ୟଜୀବୀମାନେ ଆର୍ଥିକ ଭାବେ ବେଶ ଉପକୃତ ହେବେ ।

ଏହି ଇନକ୍ୟୁବେସନ ସେଣ୍ଟରରେ ଗୋଟିଏ ସ୍ଥାନରେ ୫ଟି ମତ୍ସ୍ୟ ପ୍ରକ୍ରିୟାକରଣ ୟୁନିଟ ସ୍ଥାପିତ କରାଯାଇଛି । ଅତ୍ୟାଧୁନିକ ଯନ୍ତ୍ରପାତି ମାଧ୍ୟମରେ ଉତ୍ପାଦ ପ୍ରସ୍ତୁତି ସହିତ ଏହା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ପ୍ରାୟୋଗିକ ଶିକ୍ଷା ପାଇଁ ମଧ୍ୟ ଉପକାରୀ ହେବ ବୋଲି ଆଶା କରାଯାଉଛି ।

ମତ୍ସ୍ୟଜୀବୀଙ୍କ ଆର୍ଥିକ ଉନ୍ନତି ଓ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଫର୍ମାଲାଇଜେସନ ଅଫ ମାଇକ୍ରୋ ଫୁଡ ପ୍ରୋସେସିଂ ଏଣ୍ଟରପ୍ରାଇଜେସ (PMFME) ଯୋଜନା ଅଧୀନରେ ପ୍ରାୟ ୧ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟରେ ଏହି କୋଠା ନିର୍ମାଣ କରାଯାଇଛି । ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ସ୍ଥାପନ ସହ ବିଦ୍ୟୁତ ସଂଯୋଗ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି । ତଥାପି କିଛି ଆନୁଷଙ୍ଗିକ ସମସ୍ୟା କାରଣରୁ ଏପର୍ଯ୍ୟନ୍ତ ସେଣ୍ଟର କାର୍ଯ୍ୟକ୍ଷମ ହୋଇପାରିନଥିଲା।

ବର୍ତ୍ତମାନ ସେଣ୍ଟରକୁ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନିଆଯାଇଛି। ପ୍ରଥମ ୟୁନିଟରେ ସାମୁଦ୍ରିକ ମାଛରୁ ହାଇଜେନିକ ଶୁଖୁଆ ପ୍ରସ୍ତୁତି ହେବ ଯାହା ଦେଶର ବିଭିନ୍ନ ରାଜ୍ୟ ସହ ବିଦେଶକୁ ମଧ୍ୟ ରପ୍ତାନି କରାଯାଇପାରିବ। ଦ୍ୱିତୀୟ ୟୁନିଟରେ ‘ଫିସ୍ ପିଲେଟିଂ’ ବ୍ୟବସ୍ଥା ରହିଛି, ଯେଉଁଠାରେ ମାଛର କଣ୍ଟା ଅଲଗା କରି କେବଳ ମାଂସାଳ ଅଂଶ ମିଳିବ।

ତୃତୀୟ ୟୁନିଟରେ ମାଛଗୁଣ୍ଡ (ଫିସ୍ ପାଉଡର) ପ୍ରସ୍ତୁତ କରାଯିବ, ଯାହାରେ ଥିବା ଓମେଗା-୩ ପୋଷକତତ୍ତ୍ୱ ବିଭିନ୍ନ ପୁଷ୍ଟିକର ଖାଦ୍ୟ ସାମଗ୍ରୀରେ ବ୍ୟବହାର ହୋଇପାରିବ। ଚତୁର୍ଥ ୟୁନିଟରେ ମାଛ ଆଚାର ପ୍ରସ୍ତୁତି ହେବାସହ ପଞ୍ଚମ ୟୁନିଟରେ ୨୦ ଡିଗ୍ରୀ ସେଲସିୟସ ତାପମାତ୍ରାର ଏକ ଶୀତଳ ଭଣ୍ଡାର ବ୍ୟବସ୍ଥା ରହିଛି।

ଏଠାରେ ମାଛକୁ ଦୀର୍ଘ ସମୟ ସତେଜ ରଖିବାସହ ଦୂରସ୍ଥାନକୁ ପଠାଇବା ପାଇଁ ସ୍ୱତନ୍ତ୍ର ବାହନ ବ୍ୟବସ୍ଥା ମଧ୍ୟ ରହିବ। ଏହାସହ ପ୍ରସ୍ତୁତ ପ୍ରତ୍ୟେକ ଉତ୍ପାଦର ଗୁଣମାନ ପରୀକ୍ଷା ପାଇଁ ଏକ ସ୍ୱତନ୍ତ୍ର ବୈଜ୍ଞାନିକ ଲ୍ୟାବ ମଧ୍ୟ ଉପଲବ୍ଧ ରହିଛି।

ଏହି ଇନକ୍ୟୁବେସନ ସେଣ୍ଟର କାର୍ଯ୍ୟକ୍ଷମ ହେଲେ ଆଖପାଖ ଅଞ୍ଚଳର ମତ୍ସ୍ୟଜୀବୀମାନଙ୍କ ସହିତ ଛାତ୍ରଛାତ୍ରୀମାନେ ମଧ୍ୟ ବ୍ୟାପକ ଭାବେ ଲାଭାନ୍ୱିତ ହେବେ ବୋଲି କର୍ତ୍ତୃପକ୍ଷ ଆଶା ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଏଠାରେ ପ୍ରସ୍ତୁତ ମତ୍ସ୍ୟ ଉତ୍ପାଦ ଦକ୍ଷିଣ ଓଡ଼ିଶା ସହ ସମଗ୍ର ଭାରତରେ ଉପଲବ୍ଧ ହେବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score