ବ୍ରହ୍ମପୁର : ସୃଜନଶୀଳତା ଓ ସ୍ଥାୟୀ ଚିନ୍ତାଧାରାର ଅଦ୍ଭୁତ ମିଶ୍ରଣ ଦେଖାଇଛନ୍ତି ବ୍ରହ୍ମପୁରର ଯୁବ ଡିଜାଇନର । ସିଲ୍କ ସିଟିର ଏକ ଘରୋଇ ଫ୍ୟାଶନ ଟେକ୍ନୋଲୋଜି ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନେ ଟେଲରିଂ ଦୋକାନରୁ ପରିତ୍ୟକ୍ତ ପୋଷାକ ବ୍ୟବହାର କରି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଏକ ପୋଟ୍ରେଟ (ପ୍ରତିକୃତି) ତିଆରି କରିଛନ୍ତି । ୬ ଫୁଟ ଲମ୍ବା ଓ ୫ ଫୁଟ ଓସାରର ଏହି ପୋଟ୍ରେଟକୁ ବ୍ରହ୍ମପୁର ବିଧାୟକ ଏବଂ ବିଜେପି ଜିଲ୍ଲା ସଭାପତି ମିଳିତ ଭାବରେ ଉନ୍ମୋଚନ କରିଛନ୍ତି । ଆଉ ଏହାପରେ ସବୁଠି ଚର୍ଚ୍ଚା ପାଲଟିଛନ୍ତି ବ୍ରହ୍ମପୁରର ଏହି ଯୁବ ଡିଜାଇନରମାନେ ।
ବ୍ରହ୍ମପୁର ସ୍ଥିତ ଜେଡି ଇନଷ୍ଟିଚ୍ୟୁଟ ଅଫ ଫ୍ୟାଶନ ଟେକ୍ନୋଲୋଜିର ବିଦ୍ୟାର୍ଥୀମାନେ ‘Fabric of Respect’ ନାମରେ ଏହି ପୋଟ୍ରେଟକୁ ପ୍ରସ୍ତୁତ କରିଛନ୍ତି । ପ୍ରାୟ ୧୫ ଦିନ ଧରି ଦୈନିକ ୮ରୁ ୧୦ ଘଣ୍ଟା ଅନବରତ ପରିଶ୍ରମ କରିଛନ୍ତି ପ୍ରତିଷ୍ଠାନର ଛାତ୍ରଛାତ୍ରୀ ।
ମୋଟ ୨୨ ଜଣ ବିଦ୍ୟାର୍ଥୀ ପ୍ରତିଦିନ ପ୍ରାୟ ୧୦ ଘଣ୍ଟା ପରିଶ୍ରମ କରି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଏହି ପୋଟ୍ରେଟକୁ ତିଆରି କରିଛନ୍ତି । ନିଜ ହାତରେ ଛୁଞ୍ଚି ସୂତା ଧରି ଏହାକୁ ସିଲେଇ କରିଥିଲେ । ତେବେ ଏହି ପୋଟ୍ରେଟରେ କୌଣସି ପେଷ୍ଟ କିମ୍ବା ରାସାୟନିକ ପଦାର୍ଥ ବ୍ୟବହାର ନକରି ପରିତ୍ୟକ୍ତ ପୋଷାକରୁ ତିଆରି କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଏହି ପୋଟ୍ରେଟ । କପଡ଼ା ଖଣ୍ଡ ସଂଗ୍ରହ, କାଟିବା, ରଙ୍ଗ ଚୟନ କରିବା ଏବଂ ସିଲାଇ କରିବା ପାଇଁ ସେମାନଙ୍କୁ ଚାରୋଟି ଗୋଷ୍ଠୀରେ ବିଭକ୍ତ କରାଯାଇଥିଲା ବୋଲି ପ୍ରତିଷ୍ଠାନର ମୁଖ୍ୟ ଶ୍ରୀଯୁକ୍ତ ଆଶିଷ ସାବତ କହିଛନ୍ତି ।
ଛାତ୍ରମାନେ ସହରର ବିଭିନ୍ନ ଟେଲରିଂ ଦୋକାନ ବୁଲି ପ୍ରାୟ ୨୦ କିଲୋଗ୍ରାମ ପରିତ୍ୟକ୍ତ ପୋଷାକ ସଂଗ୍ରହ କରିଥିଲେ। ଏହାପରେ ସେମାନେ ଏହାକୁ ଏକ ପୃଷ୍ଠଭୂମି କପଡ଼ା ଉପରେ ସାବଧାନତାର ସହିତ କାଟି ସିଲାଇ କରିଥିଲେ । ଖାଲି ସେତିକି ନୁହେଁ ସାଧାରଣ କପଡ଼ା ସହ ସମ୍ବଲପୁରୀ ବସ୍ତ୍ରର ବ୍ୟବହାର ଏହି କଳାକୃତିକୁ ଆହୁରି ବିଶେଷତା ଦେଇଛି । ତେବେ ଏହା କେବଳ ଏକ କଳାକୃତି ନୁହେଁ ।
ଅନ୍ୟପକ୍ଷରେ ଏହି ପୋଟ୍ରେଟକୁ ଆଗାମୀ ଦିନରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇବାର ଯୋଜନା ମଧ୍ୟ ରଖିଛନ୍ତି ଫ୍ୟାଶନ ଟେକ୍ନୋଲୋଜି ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନେ । ଯୁବପୀଢ଼ିଙ୍କ ଏପରି ସୃଜନଶୀଳ ଚିନ୍ତାଧାରା ଓ ପରିବେଶ ପ୍ରତି ଦାୟିତ୍ୱବୋଧର ଏହି ପ୍ରୟାସ ସମାଜ ପାଇଁ ଏକ ନୂଆ ପ୍ରେରଣା ହୋଇ ଉଠିଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
