ବ୍ରହ୍ମପୁର : ବ୍ରହ୍ମପୁର ସହରରେ ରନ୍ଧନ ଗ୍ୟାସ ଯୋଗାଣ ଓ ମୂଲ୍ୟ ବୃଦ୍ଧିକୁ ନେଇ ଖାଉଟିମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ଅନ୍ତର୍ଜାତୀୟ ପରିସ୍ଥିତି ଓ ଯୁଦ୍ଧ ଆଶଙ୍କାର ପ୍ରଭାବରେ ରନ୍ଧନ ଗ୍ୟାସର ଦର ବଢ଼ିଥିବା ସହିତ ଖାଇବା ତେଲର ମୂଲ୍ୟରେ ମଧ୍ୟ ବୃଦ୍ଧି ଦେଖାଯାଉଛି । ଏହାର ପ୍ରଭାବ ସିଧାସଳଖ ଭାବରେ ସାଧାରଣ ଖାଉଟିଙ୍କ ହାଣ୍ଡିଶାଳ ଉପରେ ପଡ଼ୁଛି।
ହଠାତ ଗ୍ୟାସ ସିଲିଣ୍ଡର ଓ ରନ୍ଧନ ତେଲର ଦର ବଢ଼ିବାରୁ ଘରୋଇ ବଜେଟ ଅସନ୍ତୁଳିତ ହେବାର ଆଶଙ୍କା ଜନ୍ମ ନେଇଛି । ବ୍ରହ୍ମପୁର ବାସିନ୍ଦାମାନେ ଏହି ପରିସ୍ଥିତିରେ ସୁଧାର ଆଣିବା ପାଇଁ ସରକାରଙ୍କୁ ତତ୍କାଳ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।
ଗ୍ୟାସ ଯୋଗାଣକୁ ନେଇ ଚିନ୍ତା
ମଧ୍ୟପ୍ରାଚ୍ୟରେ ଚାଲୁଥିବା ଅସ୍ଥିର ପରିସ୍ଥିତି ଦେଶର ଇନ୍ଧନ ଯୋଗାଣ ଉପରେ ପ୍ରଭାବ ପକାଇଥିବା ବୋଲି କୁହାଯାଉଛି । ଏହାର ପ୍ରଭାବ ଧୀରେ ଧୀରେ ବିଭିନ୍ନ ରାଜ୍ୟରେ ଦେଖାଯାଉଥିବା ବେଳେ ବ୍ରହ୍ମପୁର ସହରରେ ମଧ୍ୟ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଓ ଯୋଗାଣ ସମସ୍ୟା ନେଇ ଆଲୋଚନା ଚାଲିଛି। ବଜାରରେ ପର୍ଯ୍ୟାପ୍ତ ଗ୍ୟାସ ସିଲିଣ୍ଡର ଉପଲବ୍ଧ ନହେବା ନେଇ ଖାଉଟିମାନେ ଆଶଙ୍କା ପ୍ରକାଶ କରୁଛନ୍ତି।
ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗାଣ ବିଭାଗ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଉଛି ଓ କଳାବଜାରିକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି।
ସରକାରୀ ହସ୍ତକ୍ଷେପ ଦାବି
ଗ୍ୟାସ ସିଲିଣ୍ଡର ଦର ହଠାତ୍ ବୃଦ୍ଧି ହେବାରୁ ସାଧାରଣ ଖାଉଟିମାନେ ବେଶି ପ୍ରଭାବିତ ହେଉଛନ୍ତି । କେତେକ ଲୋକ ଅଧିକ ପରିମାଣରେ ସିଲିଣ୍ଡର ବୁକିଂ କରି ମଜୁତ କରିବାରୁ ପରିସ୍ଥିତି ଆଉ ଜଟିଳ ହେଉଛି । ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ମଜୁତ ଥିଲେ ମଧ୍ୟ କଳାବଜାରିକୁ କଠୋର ଭାବେ ରୋକିବା ଆବଶ୍ୟକ ବୋଲି ସେ କହିଛନ୍ତି। ସେହିପରି ହୋଟେଲ ଓ ଅନ୍ୟାନ୍ୟ ବ୍ୟବସାୟିକ ସଂସ୍ଥାରେ କମର୍ସିଆଲ ଗ୍ୟାସ ଅଭାବ ଦୂର କରିବାକୁ ସରକାର ପଦକ୍ଷେପ ନେବା ଆବଶ୍ୟକ ବୋଲି ମଧ୍ୟ ଦାବି କରାଯାଇଛି।
ଯୋଗାଣ ବିଭାଗର ସ୍ପଷ୍ଟୀକରଣ
ଅନ୍ୟପଟେ ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ ବ୍ରହ୍ମପୁର ସହରରେ ଗୋଦାମ ଠାରୁ ଡିଷ୍ଟ୍ରିବ୍ୟୁଟର ପଏଣ୍ଟ ପର୍ଯ୍ୟନ୍ତ ଗ୍ୟାସ ସିଲିଣ୍ଡର ଯୋଗାଣ ସାଧାରଣ ଭାବେ ଚାଲିଛି । କଳାବଜାରି ହେବାକୁ ନଦେବା ଓ ଖାଉଟିମାନଙ୍କୁ ବୁକିଂ ସମୟରେ ଅସୁବିଧା ନହେବା ପାଇଁ ବିଶେଷ ନଜର ରଖାଯାଉଛି । ଏସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରାଯାଇଛି ବୋଲି ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅବିନାଶ କୁମାର ସୂଚନା ଦେଇଛନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
