ଅହମ୍ମଦାବାଦ : ରବିବାର ରାତିରେ ଉତ୍ସବମୁଖର ହୋଇ ଉଠିଥିଲା ନରେନ୍ଦ୍ର ମୋଦି ଷ୍ଟାଡିୟମ । ଆଉ ଏହି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇତିହାସ ଦୋହରାଇଥିଲା ଟିମ ଇଣ୍ଡିଆ । ଟି–୨୦ ବିଶ୍ୱକପ ୨୦୨୬ରେ ଭାରତର ଐତିହାସିକ ବିଜୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବେ ଚର୍ଚ୍ଚାରେ । ଏନେଇ ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜ ପ୍ରତିକ୍ରିୟାରେ କହିଛନ୍ତି ଦଳର ସମସ୍ତ ଖେଳାଳିଙ୍କ ଅଦମ୍ୟ ପ୍ରୟାସ ସଫଳତାର ମୂଳ କାରଣ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ବଡ଼ ବ୍ୟବଧାନରେ ପରାସ୍ତ କରି ଭାରତ ତୃତୀୟଥର ପାଇଁ ଟି–୨୦ ବିଶ୍ୱ ଚାମ୍ପିଅନ ହୋଇଛି ।
ଏହି ବିଜୟ ସହ ଭାରତ ବିଶ୍ୱ କ୍ରିକେଟରେ ଏକ ନୂଆ ମାଇଲଷ୍ଟୋନ ସୃଷ୍ଟି କରିଛି। ପୂର୍ବରୁ ୨୦୦୭ ଓ ୨୦୨୪ରେ ବିଶ୍ୱକପ ଜିତିଥିବା ଭାରତ ଏବେ ୨୦୨୬ରେ ତୃତୀୟଥର ଏହି ପ୍ରତିଷ୍ଠିତ ଟ୍ରଫି ଜିତିବାରେ ସଫଳ ହୋଇଛି । ଯାହାର ଗୋଟିଏ କାରଣ କେବଳ ସମସ୍ତ ଖେଳାଳିଙ୍କ ଅଦମ୍ୟ ପ୍ରୟାସ ଓ ଦଳର ଏକତା।
ମ୍ୟାଚ ପରେ ପୁରସ୍କାର ବିତରଣୀ ଉତ୍ସବରେ କଥାହେବା ବେଳେ ସୂର୍ଯ୍ୟକୁମାର ଯାଦବ କହିଥିଲେ ଯେ, ଏହି ସଫଳତା ଦଳର ସମସ୍ତଙ୍କ ଏକତା ଓ କଠିନ ପରିଶ୍ରମର ଫଳ। ସେ କହିଥିଲେ ଯେ ଗତ ଦୁଇ ବର୍ଷ ଧରି ଟିମ ଇଣ୍ଡିଆ ନିରନ୍ତର ଭାବେ ଭଲ କ୍ରିକେଟ ଖେଳୁଥିଲା ଏବଂ ସେହି ଧାରା ଏହି ବିଶ୍ୱକପରେ ମଧ୍ୟ ଜାରି ରହିଥିଲା।
ସୂର୍ଯ୍ୟକୁମାର କହିଥିଲେ ଯେ, ଅଧିନାୟକତ୍ୱର ଦାୟିତ୍ୱ ମିଳିବା ପରେ ସେ ଦଳର ମଧ୍ୟରେ ସକାରାତ୍ମକ ପରିବେଶ ଓ ଜିତିବାର ମନୋଭାବକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ। ବିସିସିଆଇ ପକ୍ଷରୁ ତାଙ୍କୁ ଯେ ଭରସା ଦିଆଯାଇଥିଲା, ସେଥିପାଇଁ ସେ କୃତଜ୍ଞତା ମଧ୍ୟ ପ୍ରକାଶ କରିଥିଲେ।
ସେହିପରି ଦଳର ଷ୍ଟାର ବୋଲର ଜସପ୍ରୀତ ବୁମ୍ରାଙ୍କୁ ନେଇ ସୂର୍ଯ୍ୟକୁମାର ବିଶେଷ ପ୍ରଶଂସା କରିଥିଲେ। ତାଙ୍କ କହିବା ଅନୁଯାୟୀ, ବୁମ୍ରା ଏମିତି ଜଣେ ବୋଲର ଯେଉଁମାନେ ଏକ ପିଢ଼ିରେ ଗୋଟେଥର ଜନ୍ମ ନେଇଥାନ୍ତି। ମ୍ୟାଚର ଯେକୌଣସି ପରିସ୍ଥିତିରେ ସେ ଦଳକୁ ସଠିକ ଦିଗରେ ନେବାର କ୍ଷମତା ରଖନ୍ତି।
ବୁମ୍ରା କେବଳ ଦଳର ନୁହେଁ, ସମଗ୍ର ଦେଶର ଗର୍ବ ଏବଂ ତାଙ୍କୁ ‘ଜାତୀୟ ସମ୍ପତ୍ତି’ ବୋଲି କୁହାଯାଇପାରେ। ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ସମୟରେ ତାଙ୍କ ବୋଲିଂ ଭାରତର ବିଜୟକୁ ସହଜ କରିଥିଲା।
ସାରାଦେଶରେ ଭାରତର ଏହି ବିଜୟକୁ ନେଇ ଖେଳପ୍ରେମୀମାନଙ୍କ ମଧ୍ୟରେ ଭାରି ଉତ୍ସାହ ଦେଖିବାକୁ ମିଳିଛି। ଟିମ ଇଣ୍ଡିଆର ଏହି ସଫଳତା ଭାରତୀୟ କ୍ରିକେଟ ଇତିହାସରେ ଆଉ ଏକ ସ୍ମରଣୀୟ ଅଧ୍ୟାୟ ଯୋଗ କରିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
