କୋରାପୁଟ: କୋରାପୁଟ ନାଁ ଉଚ୍ଚାରଣ ହେଲେ ପ୍ରାକୃତିକ ସୌନ୍ଦର୍ଯ୍ୟ, ଜଙ୍ଗଲ, ପାହାଡ଼ ଓ ଜନଜାତୀୟ ସଂସ୍କୃତି ସହ ହାତ ତିଆରି ଶିଳ୍ପ ସାମଗ୍ରୀର ଚିତ୍ର ଆଖି ଆଗରେ ଆସିଯାଏ । ଏହି ସମସ୍ତ ଚର୍ଚ୍ଚା ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି କୋରାପୁଟ ଜିଲ୍ଲାର ହାତବୁଣା କୋଟପାଡ଼ ଶାଢ଼ୀ । କେବଳ ଯେ ରାଜ୍ୟ ନୁହେଁ ଦେଶ ଓ ବିଦେଶରେ ମଧ୍ୟ ଏହି ଦେଶୀ ପୋଷାକ ଏବେ ଫ୍ୟାସନ ଟ୍ରେଣ୍ଡ ଭାବେ ଉଭା ହୋଇଛି ।
ନରମ ବୁଣାଣି, ସହଜ ପିନ୍ଧାଣି ଓ ପ୍ରାକୃତିକ ରଙ୍ଗର ସମନ୍ୱୟ କୋଟପାଡ଼ ଶାଢ଼ୀ ଅନ୍ୟ ସମସ୍ତ ଶାଢ଼ୀ ଠାରୁ ଭିନ୍ନ ଦେଖିବାକୁ ମିଳେ । ଏହାର ବୁଣା ପ୍ରଣାଳୀ ଏତେ ସୁକୌଶଳରେ ହୋଇଥାଏ ଯେ, ଦେଖିବା ମାତ୍ରେ ସମସ୍ତଙ୍କର ଆଖି ଲାଖି ଯାଏ। ଏପରିକି ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ କୋଟପାଡ଼ ଅଞ୍ଚଳରେ ଶାଢ଼ୀ ବୁଣାଯାଉଥିବା ସ୍ଥାନ ନିକଟରେ ଅଟକି ଏହି ପ୍ରକ୍ରିୟାକୁ ଆଗ୍ରହର ସହ ଦେଖନ୍ତି।
କୋଟପାଡ଼ ଶାଢ଼ୀର ପ୍ରମୁଖ ଉତ୍ପାଦନ କେନ୍ଦ୍ର କୋଟପାଡ଼ରୁ ପ୍ରାୟ ୧୫ କିଲୋମିଟର ଦୂରେ ଅବସ୍ଥିତ ଡଙ୍ଗରିଗୁଡ଼ା ଗାଁରେ ରହିଛି । ଏଠାରେ ବସବାସ କରୁଥିବା ମିରଗାଁନ ସମ୍ପ୍ରଦାୟର ତନ୍ତି ପରିବାର ଏହି ଶାଢ଼ୀ ତିଆରି କରନ୍ତି । ପିଢ଼ି ପରେ ପିଢ଼ି ଧରି ଏହି ପାରମ୍ପରିକ ହସ୍ତଶିଳ୍ପକୁ ସଂରକ୍ଷିତ କରି ଆସୁଛନ୍ତି । ସମ୍ପୂର୍ଣ୍ଣ ହାତ ତିଆରି ଓ ପୁରାତନ ପ୍ରଣାଳୀରେ ବୁଣାଯାଉଥିବା ଏହି ଶାଢ଼ୀରେ ବ୍ୟବହୃତ ସମସ୍ତ ରଙ୍ଗ ପ୍ରାକୃତିକ ଉତ୍ସରୁ ପ୍ରସ୍ତୁତ ହୁଏ।
ଗୋଟିଏ କୋଟପାଡ଼ ଶାଢ଼ୀ ତିଆରି ପାଇଁ ଦୁଇଜଣ କାରିଗରଙ୍କୁ ପ୍ରାୟ ୬ରୁ ୭ ଦିନ ସମୟ ଲାଗିଥାଏ। ଯତ୍ନ ସହ ବ୍ୟବହାର କଲେ ଏହି ଶାଢ଼ୀ ୩୦ ବର୍ଷରୁ ଅଧିକ ସମୟ ଚାଲିଥାଏ ବୋଲି କାରିଗରମାନେ କହନ୍ତି। ଶାଢ଼ୀର ଗୁଣମାନ ଓ ବୁଣାଣି ଅନୁସାରେ ଏହାର ମୂଲ୍ୟ ସାଧାରଣତଃ ୧୦ ହଜାରରୁ ଆରମ୍ଭ କରି ୩୦ ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ରହୁଛି ।
ଶାଢ଼ୀ ପ୍ରସ୍ତୁତି ପାଇଁ ବରଗଡ଼ ଜିଲ୍ଲାରୁ କଟନ ସୂତା ଓ ଛତିଶଗଡ଼ର ବସ୍ତର ଅଞ୍ଚଳରୁ ଟସର ସୂତା ଆଣାଯାଏ। ରଙ୍ଗ ପ୍ରସ୍ତୁତିରେ ଆଲ ଗଛର ଚେର, ଗୋବର, ହରିଡ଼ା, ବାହାଡ଼ା, ପାଉଁଶ ଭଳି ପ୍ରାକୃତିକ ସାମଗ୍ରୀ ବ୍ୟବହୃତ ହୁଏ । ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସମାପ୍ତ କରି ଗୋଟିଏ ଶାଢ଼ୀ ପ୍ରସ୍ତୁତି ପାଇଁ ପ୍ରାୟ ଏକ ମାସ ସମୟ ଲାଗିଯାଏ।
ପୂର୍ବେ କୋଟପାଡ଼ ଶାଢ଼ୀକୁ ଲାଲ ବୋରି, ସୁନ୍ଦରମଣୀ ଧୋତି, କୋବୋରି ପାଟ ଭଳି ନାମରେ ଚିହ୍ନଟ କରାଯାଉଥିଲା। ବର୍ତ୍ତମାନ ଏହାକୁ ମିରଗାଁନ ପାଟ, ସୁନ୍ଦରମଣୀ ପାଟ, ମିରଗାଁନ ଟସର ସିଲ୍କ ଶାଢ଼ୀ ଭଳି ନୂଆ ନାମରେ ବଜାରକୁ ଆଣାଯାଉଛି।
ବର୍ତ୍ତମାନ ଏହି ଶାଢ଼ୀ ଦେଶ ସହିତ ଆମେରିକା, ଜାପାନ, ଫ୍ରାନ୍ସ, ଇଟାଲୀ ଓ ଜର୍ମାନୀ ଭଳି ବିଦେଶୀକୁ ମଧ୍ୟ ରପ୍ତାନି ହେଉଛି । ମିରଗାଁନ ସମ୍ପ୍ରଦାୟର ପ୍ରାୟ ୮୦ଟି ପରିବାର ଏବେ ଏହି କୌଳିକବୃତ୍ତି ସହ ଜଡ଼ିତ ଥିବା ବେଳେ, ୧୫ରୁ ୨୦ ଜଣ କାରିଗର ଉଚ୍ଚମାନର ଶାଢ଼ୀ ପ୍ରସ୍ତୁତିରେ ନିପୁଣ ଅଛନ୍ତି ।
ହସ୍ତତନ୍ତ ବୟନ ଶିଳ୍ପ ବିଭାଗ ପକ୍ଷରୁ କାରିଗରମାନଙ୍କୁ ସହାୟତା ଓ ପ୍ରଶିକ୍ଷଣ ଯୋଗାଯାଉଛି। ନିଜ କୌଳିକ ବୃତ୍ତିକୁ ସଂରକ୍ଷଣ କରିବାସହ ଓଡ଼ିଶାର ହସ୍ତତନ୍ତ ଶିଳ୍ପକୁ ବିଶ୍ୱଦରବାରରେ ପରିଚୟ ଦେଉଥିବା କୋଟପାଡ଼ ଶାଢ଼ୀ ଆଜି ଗୌରବର ପ୍ରତୀକ ହୋଇଉଠିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
