ଭୁବନେଶ୍ୱର : ଏଣିକି ରାଜ୍ୟର ଶିଳ୍ପାୟନ କେବଳ ପାରମ୍ପରିକ କ୍ଷେତ୍ରରେ ସୀମିତ ରହିବ ନାହିଁ । ଏହା ନୂଆ ଯୁଗର ଶିଳ୍ପ ଓ ଆଧୁନିକ ପ୍ରଯୁକ୍ତି ଆଧାରିତ କ୍ଷେତ୍ରରେ ବିକଶିତ ହେବ । ରାଜ୍ୟରେ ଚାଲିଥିବା ଶିଳ୍ପାୟନର ଧାରା ଏବେ ଏକ ନୂଆ ମୋଡ ନେଇଛି । ପାରମ୍ପରିକ ଶିଳ୍ପ ପରିବର୍ତ୍ତେ ସରକାର ଏବେ ଆଇଟି, ଇଲେକ୍ଟ୍ରୋନିକ୍ସ, ଗ୍ରୀନ ଏନର୍ଜି, ଷ୍ଟାର୍ଟଅପ ଓ ଅନ୍ୟାନ୍ୟ ଟେକ୍ନୋଲୋଜି ଭିତ୍ତିକ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ।
ଏହାଦ୍ୱାରା ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହେବା ସହ ଦେଶ-ବିଦେଶର ନିବେଶକଙ୍କ ପାଇଁ ବିସ୍ତୃତ ସୁଯୋଗ ସୃଷ୍ଟି ହୋଇଛି । ଶିଳ୍ପ କ୍ଷେତ୍ରରେ ଏହି ରୂପାନ୍ତରଣ ଓଡ଼ିଶାକୁ ଏକ ଆଧୁନିକ ନିବେଶ ଗନ୍ତବ୍ୟ ରୂପେ ଗଢ଼ି ତୋଳିବ ବୋଲି ଆଶା କରାଯାଉଛି ।
ଏହି ପରିବର୍ତ୍ତିତ ଶିଳ୍ପାୟନ ନୀତିକୁ ଆଧାର କରି ଓଡ଼ିଶାରେ ନିବେଶ ପାଇଁ ଏହା ଉପଯୁକ୍ତ ସମୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କହିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାର ନିବେଶକଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇବାକୁ ପ୍ରତିବଦ୍ଧ ।
ପୂର୍ବରୁ ରାଜ୍ୟର ଶିଳ୍ପ ନୀତି ପ୍ରଧାନତଃ ଇସ୍ପାତ, ଖଣି ଓ ଅନ୍ୟାନ୍ୟ ବୃହତ ଶିଳ୍ପକୁ କେନ୍ଦ୍ର କରିଥିଲା। ଖଣିଜ ସମ୍ପଦରେ ସମୃଦ୍ଧ ଓଡ଼ିଶାରେ ଦୀର୍ଘଦିନ ଧରି ଇସ୍ପାତ ଓ ଖଣି ଆଧାରିତ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠା ହୋଇଆସୁଥିଲା । କିନ୍ତୁ ସମୟର ପରିବର୍ତ୍ତନ ସହ ରାଜ୍ୟସରକାର ଏହି ଆଭିମୁଖ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି।
ବର୍ତ୍ତମାନ ରାଜ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳ ଆଧାରିତ, ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା ଓ ରୋଜଗାର ବଢ଼ାଇବାକୁ ସକ୍ଷମ ଶିଳ୍ପକୁ ପ୍ରାଥମିକତା ଦିଆଯାଉଛି । ଆଇଟି ଓ ଆଇଟିଇଏସ୍, ଏରୋସ୍ପେସ ଓ ପ୍ରତିରକ୍ଷା, ପୋଷାକ, ଧାତୁ ସମ୍ପର୍କିତ ଆନୁସଙ୍ଗିକ ଇଞ୍ଜିନିୟରିଂ ସାମଗ୍ରୀ, ପ୍ଲାଷ୍ଟିକ, ରସାୟନ, ପ୍ୟାକେଜିଂ, ଔଷଧ, ଡାକ୍ତରୀ ଉପକରଣ ଏବଂ ବାୟୋ-ଟେକ୍ନୋଲୋଜି ଭଳି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି କରାଯାଉଛି ।
ଏହି ସମସ୍ତ ଉଦୟମାନ ଶିଳ୍ପ ଆଗାମୀ ଦିନରେ ରାଜ୍ୟର ଅର୍ଥନୀତିକୁ ଅଧିକ ମଜବୁତ କରିବା ସହ ଯୁବକ-ଯୁବତୀଙ୍କ ପାଇଁ ବିଶାଳ ପରିମାଣରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।
ତେବେ ଗତ ଡିସେମ୍ବର ମାସରେ ହାଇଦ୍ରାବାଦରେ ଆୟୋଜିତ ନିବେଶକ ସମ୍ମିଳନୀ ଓ ସମ୍ପ୍ରତି କୋଲକତାରେ ଅନୁଷ୍ଠିତ ରୋଡ୍ ଶୋ ମାଧ୍ୟମରେ ରାଜ୍ୟ ସରକାରଙ୍କ ଶିଳ୍ପାୟନ ନୀତିରେ ଆସିଥିବା ରୂପାନ୍ତରଣ ସ୍ପଷ୍ଟ ଭାବେ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏହି ଦୁଇଟି ନିବେଶକ ସମ୍ମିଳନୀର ସଫଳ ଆୟୋଜନ କରାଯାଇଥିଲା ।
ଏହି ସମ୍ମିଳନୀ ଗୁଡ଼ିକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଗାମୀ କାଲିର ଆବଶ୍ୟକତା, ବଦଳୁଥିବା ବିଶ୍ୱ ଅର୍ଥନୀତି ଓ ନୂଆ ଅବସର ସହ ତାଳମେଳ ରଖି ଓଡ଼ିଶା ନିବେଶ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରାଜ୍ୟ ସରକାର ଶିଳ୍ପ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରି ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିକୁ ଲକ୍ଷ୍ୟ କରି ଆଗେଇଯାଉଛନ୍ତି। ଏହି ଦୁଇଟି ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ୬ଟି ପ୍ରମୁଖ କ୍ଷେତ୍ରର ନିବେଶକଙ୍କ ସହ ବିସ୍ତୃତ ଆଲୋଚନା କରି ଓଡ଼ିଶାର ନିବେଶ ସମ୍ଭାବନା, ନୀତିଗତ ସୁବିଧା ଓ ଆଗାମୀ ଯୋଜନା ସମ୍ପର୍କରେ ସ୍ପଷ୍ଟ ମତ ପ୍ରକାଶ କରିଥିଲେ।
ଓଡ଼ିଶାରେ ନିବେଶ ପାଇଁ ଶିଳ୍ପପତିମାନଙ୍କ ମଧ୍ୟରେ ଦେଖାଯାଉଥିବା ଆଗ୍ରହ ଏହା ସ୍ପଷ୍ଟ କରୁଛି ଯେ, ଶିଳ୍ପାୟନ କ୍ଷେତ୍ରରେ ରାଜ୍ୟରେ ହୋଇଥିବା ରୂପାନ୍ତରଣ ନିବେଶକଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ୱାସ ସୃଷ୍ଟି କରିଛି। ଏହି ବୃଦ୍ଧିଶୀଳ ନିବେଶ ପ୍ରବାହ ଦ୍ୱାରା ୨୦୩୬ ସୁଦ୍ଧା ‘ବିକଶିତ ଓଡ଼ିଶା’ ଏବଂ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଲକ୍ଷ୍ୟ ପୂରଣରେ ଓଡ଼ିଶା ଏକ ମୁଖ୍ୟ ଭୂମିକା ନିଭାଇବ ବୋଲି ଆଶା ପ୍ରକାଶ କରାଯାଉଛି।
ନୂଆ ଯୁଗର ଶିଳ୍ପ ବିକାଶ ପାଇଁ ରାଜ୍ୟ ସରକାର କଳ୍ପନାକୁ କାର୍ଯ୍ୟରୂପ ଦେବାଠାରୁ ଆରମ୍ଭ କରି ଉତ୍ପାଦନ, ପରିବହନ ଓ ବଜାର ସଂଯୋଗ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସହଯୋଗ ଯୋଗାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପାରାଦୀପ, ଗୋପାଳପୁର, ଧାମରା, ବାହୁଡ଼ା ଓ ସୁବର୍ଣ୍ଣରେଖା ବନ୍ଦର ସହିତ ରାଜ୍ୟ ଭିତରେ ଏବଂ ଦେଶର ପ୍ରମୁଖ ସହରଗୁଡ଼ିକୁ ସଂଯୋଗ କରୁଥିବା ବିମାନ ସେବା, ସଡ଼କ ଓ ରେଳ ଯାତାୟାତ ବ୍ୟବସ୍ଥା ଓଡ଼ିଶାକୁ ଶିଳ୍ପାୟନ ପାଇଁ ଏକ ବଳିଷ୍ଠ ଭିତ୍ତିଭୂମି ଯୋଗାଇଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
