Explore

Search

February 28, 2026 4:22 pm

ବଜେଟରେ ଶିକ୍ଷାକୁ ମିଳିଲା ଗୁରୁତ୍ୱ : ୧,୩୯,୨୮୯.୪୫ କୋଟି ଟଙ୍କାର ହେବ ବ୍ୟୟବରାଦ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ କ୍ରମାଗତ ୯ମ ବଜେଟ ଉପସ୍ଥାପନ କରି ଶିକ୍ଷା କ୍ଷେତ୍ର ପାଇଁ ବଡ ଘୋଷଣା କରିଛନ୍ତି । ଯାହାକୁ ନେଇ ଆଗକୁ ଆହୁରି ସୁଦୃଢ ହେବ ଶିକ୍ଷାକ୍ଷେତ୍ର ବୋଲି ଆଶା କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବଜେଟରେ ମୋଟ ୧,୩୯,୨୮୯.୪୫ କୋଟି ଟଙ୍କାର ବ୍ୟୟବରାଦ ଘୋଷଣା କରିଛନ୍ତି । ଏହି ବ୍ୟୟବରାଦ ଗତ ଆର୍ଥିକ ବର୍ଷର ବଜେଟ ତୁଳନାରେ ୮.୨୭ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି ।

ବଜେଟରେ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ପାଇଁ ୮୩,୫୬୧.୪୧ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ପୂର୍ବବର୍ଷ ୨୦୨୫–୨୬ ଆର୍ଥିକ ବର୍ଷରେ ଏହି ବ୍ୟୟବରାଦ ୭୮,୫୭୨ କୋଟି ଟଙ୍କା ଥିବାବେଳେ, ଏବେ ଏଥିରେ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଦେଖାଯାଇଛି।

ସେହିପରି ଉଚ୍ଚ ଶିକ୍ଷା ବିଭାଗ ପାଇଁ ମଧ୍ୟ ପୂର୍ବ ବର୍ଷ ତୁଳନାରେ ୧୧.୨୮ ପ୍ରତିଶତ ଅଧିକ ଅର୍ଥ ବ୍ୟୟବରାଦ କରାଯାଇଛି। ୨୦୨୫–୨୬ ବଜେଟରେ ଏହି ବିଭାଗ ପାଇଁ ୫୦,୦୭୮ କୋଟି ଟଙ୍କା ରହିଥିବା ବେଳେ, ଚଳିତ ବଜେଟରେ ଅର୍ଥମନ୍ତ୍ରୀ ଏହାକୁ ୫୫,୭୨୪.୫୪ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ।

ଶିକ୍ଷା କ୍ଷେତ୍ରରେ ଏହି ବୃହତ ବ୍ୟୟ ବରାଦ ଦ୍ୱାରା ଦେଶର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଗୁଣାତ୍ମକ ଉନ୍ନତି ଆସିବ ବୋଲି ଆଶା କରାଯାଉଛି ।

ଶିକ୍ଷାକୁ ରୋଜଗାର ଓ ଉଦ୍ୟମୀତ୍ୱ ସହ ସଂଯୋଜନ କରିବା ଲକ୍ଷ୍ୟରେ ‘ଏଜୁକେସନ ଟୁ ଏମ୍ପ୍ଲଏମେଣ୍ଟ ଆଣ୍ଡ ଏଣ୍ଟରପ୍ରାଇଜେସ’ ନାମକ ଏକ ହାଇ–ପାୱାର ସ୍ଥାୟୀ କମିଟି ଗଠନ କରିବାକୁ ସରକାର ଘୋଷଣା କରିଛନ୍ତି । ଏହି କମିଟି ଶିକ୍ଷା ପରେ ରୋଜଗାର ସୃଜନ ଓ ଉଦ୍ୟମ ବିକାଶ ଦିଗରେ ନୀତିଗତ ପଦକ୍ଷେପ ନେବ।

ଉଚ୍ଚ ଶିକ୍ଷା କ୍ଷେତ୍ରରେ ଷ୍ଟେମ (ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ) ସଂସ୍ଥା ଗୁଡ଼ିକରେ ପାଠପଢ଼ା ଓ ଲ୍ୟାବ କାର୍ଯ୍ୟର ଦୀର୍ଘ ସମୟର ଅବଧି ରହିବ । ବିଶେଷକରି ଛାତ୍ରୀମାନଙ୍କ ପାଇଁ ଅନେକ ଆହ୍ୱାନ ସୃଷ୍ଟି କରୁଥିବାକୁ ଧ୍ୟାନରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି ।

ଏହାର ସମାଧାନ ସ୍ୱରୂପ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ (VGF) କିମ୍ବା କ୍ୟାପିଟଲ ସହାୟତା ମାଧ୍ୟମରେ ପ୍ରତ୍ୟେକ ଜିଲ୍ଲାରେ ଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ନିର୍ମାଣ କରାଯିବ। ଏହାଦ୍ୱାରା ଦୂର–ଦୂରାନ୍ତରୁ ଆସୁଥିବା ଛାତ୍ରୀମାନେ ସୁରକ୍ଷିତ, ସୁବିଧାଜନକ ଓ ଗୁଣାତ୍ମକ ରହଣୀସ୍ଥଳୀ ପାଇପାରିବେ।

ସେହିପରି ଶିକ୍ଷା କ୍ଷେତ୍ରରେ ବୃହତସ୍ତରରେ ନିବେଶ କରିବା ସହ ଦେଶରେ ରୋଜଗାରମୁଖୀ ନୂତନ ଶିକ୍ଷଣ ସଂସ୍ଥା ସ୍ଥାପନ କରାଯିବାର ମଧ୍ୟ ଘୋଷଣା କରାଯାଇଛି। ଏହାଦ୍ୱାରା ଯୁବପିଢ଼ିଙ୍କ ପାଇଁ ଶିକ୍ଷା ସହ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

ଚଳିତ ବଜେଟରେ ଉଚ୍ଚ ଶିକ୍ଷା କ୍ଷେତ୍ରର ସାର୍ବାଙ୍ଗୀଣ ଉନ୍ନତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ଗବେଷଣା, ଡିଜିଟାଲ ଭିତ୍ତିଭୂମି, ଡାକ୍ତରୀ ଶିକ୍ଷା ଓ ଏଆଇ–ସକ୍ଷମ ଶିକ୍ଷା ପ୍ରଣାଳୀକୁ ଆହୁରି ଶକ୍ତିଶାଳୀ କରିବାକୁ ବଜେଟରେ ସ୍ପଷ୍ଟ ଫୋକସ ରହିଛି।

ଫେଲୋସିପ ଓ ଏଆଇ–କେନ୍ଦ୍ରୀତ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଗବେଷକମାନଙ୍କ ପାଇଁ ନୂତନ ଗବେଷଣା ସୁଯୋଗ ସୃଷ୍ଟି କରାଯିବା ସହ ମେଡିକାଲ କଲେଜ କ୍ୟାମ୍ପସ ମାନଙ୍କର ଭିତ୍ତିଭୂମି ଉନ୍ନତି କରାଯିବ।

ସେହିପରି ଉଚ୍ଚ ଶିକ୍ଷା ସହ ନିଯୁକ୍ତି ସୃଜନ, ନବସୃଜନ (ଇନୋଭେସନ), ଆଧୁନିକ ଲାବେରେଟୋରୀ, ସ୍ୱାସ୍ଥ୍ୟସେବା କ୍ଷେତ୍ର ଓ ଶିଳ୍ପ ସହଭାଗିତା ଉପରେ ମଧ୍ୟ ବଜେଟରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା ଶିକ୍ଷା ଓ ଶିଳ୍ପ ମଧ୍ୟରେ ସମନ୍ୱୟ ବଢ଼ିବା ସହ ଛାତ୍ରଛାତ୍ରୀମାନଙ୍କ ପାଇଁ ଭବିଷ୍ୟତମୁଖୀ ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।

ବଡ଼ ଶିଳ୍ପାଞ୍ଚଳ ଓ ଲଜିଷ୍ଟିକ୍ସ କରିଡର ନିକଟରେ ୫ଟି ୟୁନିଭର୍ସିଟି ଟାଉନସିପ୍ ନିର୍ମାଣ କରିବାକୁ ସରକାର ଘୋଷଣା କରିଛନ୍ତି। ଏହି ପ୍ରସ୍ତାବିତ ୟୁନିଭର୍ସିଟି ଟାଉନସିପ ଗୁଡ଼ିକ ଇଣ୍ଟିଗ୍ରେଟେଡ ଏକାଡେମିକ ହବ୍ ଭାବେ କାର୍ଯ୍ୟ କରିବେ। ଏହି ଟାଉନସିପ ମାନଙ୍କ ମଧ୍ୟରେ ବିଭିନ୍ନ ୟୁନିଭର୍ସିଟି, କଲେଜ, ଗବେଷଣା ସଂସ୍ଥା, ସ୍କିଲ୍ ସେଣ୍ଟର ସହ ରେସିଡେନ୍ସିଆଲ କମ୍ପ୍ଲେକ୍ସ ରହିବାର ବ୍ୟବସ୍ଥା ରହିବ। କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟ ସରକାରମାନେ ବଡ଼ ଇଣ୍ଡଷ୍ଟ୍ରିଆଲ ଓ ଲଜିଷ୍ଟିକ୍ସ କରିଡର ଆସପାସରେ ଏହି ୟୁନିଭର୍ସିଟି ଟାଉନସିପ ଗୁଡ଼ିକୁ ବିକାଶ କରିବେ।

ଏହି ପଦକ୍ଷେପ ମାଧ୍ୟମରେ ଶିକ୍ଷା ଓ ଶିଳ୍ପକୁ ଗୋଟିଏ ସମନ୍ୱିତ ଇକୋସିଷ୍ଟମ ମଧ୍ୟରେ ଆଣିବା ଲକ୍ଷ୍ୟ ରଖାଯାଇଛି। ଏହା ଫଳରେ ଛାତ୍ରଛାତ୍ରୀମାନେ ପାଠପଢ଼ା ସମୟରେ ଶିଳ୍ପ ସହ ସିଧାସଳଖ ପରିଚିତ ହୋଇପାରିବେ । ଏଥିସହ ଶିଳ୍ପ ସଂସ୍ଥା ମାନଙ୍କ ମାଧ୍ୟମରେ ଇଣ୍ଟର୍ନସିପ ଓ ଚାକିରି ସୁଯୋଗ ମିଳିବା ସହ ଛାତ୍ରଛାତ୍ରୀମାନେ ‘କର୍ପୋରେଟ–ମିତ୍ର’ ଭାବେ ଗଢ଼ି ଉଠିବେ ବୋଲି ଆଶା କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score