Explore

Search

March 14, 2026 8:40 am

ବଜେଟରେ ‘ଅରେଞ୍ଜ ଇକୋନମୀ’କୁ ଗୁରୁତ୍ୱ : ସମୃଦ୍ଧ ହେବ ଗେମିଂ ଓ ଡିଜିଟାଲ ମିଡ଼ିଆ

ଭୁବନେଶ୍ୱର : ସଂସଦରେ ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ଭାଷଣ ସମୟରେ ଅର୍ଥମନ୍ତ୍ରୀ ପ୍ରଥମଥର ପାଇଁ ‘ଅରେଞ୍ଜ ଇକୋନମୀ’ (Orange Economy) ଶବ୍ଦର ଉଲ୍ଲେଖ କରି ଏହି କ୍ଷେତ୍ରକୁ ଗୁରୁତ୍ୱ ଦେବାକୁ ଘୋଷଣା କରିଛନ୍ତି । ଏଥିସହ ଏହି ଅର୍ଥନୈତିକ କ୍ଷେତ୍ରର ବିକାଶ ପାଇଁ ସରକାରୀ ସମର୍ଥନ ଓ ପ୍ରୋତ୍ସାହନ ଦେବାକୁ ମଧ୍ୟ ଘୋଷଣା ହୋଇଛି ।

ଅରେଞ୍ଜ ଇକୋନମୀ କ’ଣ ?

ଅରେଞ୍ଜ ଇକୋନମୀ ସେହି ଅର୍ଥନୈତିକ କ୍ଷେତ୍ରକୁ ସୂଚାଏ, ଯେଉଁଠାରେ ସୃଜନଶୀଳତା, କଳା, ସଂସ୍କୃତି, ମିଡ଼ିଆ, ଡିଜାଇନ, ଫିଲ୍ମ, ସଙ୍ଗୀତ, ଗେମିଂ, ଡିଜିଟାଲ କଣ୍ଟେଣ୍ଟ ଓ ଷ୍ଟାର୍ଟଅପ ଭଳି ସୃଜନାତ୍ମକ କାର୍ଯ୍ୟକଳାପ ମାଧ୍ୟମରେ ଆର୍ଥିକ ମୂଲ୍ୟ ସୃଷ୍ଟି ହୁଏ । ଏହି ଅର୍ଥନୀତି ମାଧ୍ୟମରେ ଚିନ୍ତାଧାରା, ଦକ୍ଷତା ଓ ନବସୃଜନକୁ ଆର୍ଥିକ ମୂଲ୍ୟରେ ପରିଣତ କରାଯାଏ । ଏହି କ୍ଷେତ୍ରରେ ମିଡ଼ିଆ ଓ ମନୋରଞ୍ଜନ, ଫିଲ୍ମ ଓ ସଙ୍ଗୀତ ଶିଳ୍ପ, ଗେମିଂ, ଡିଜାଇନ, ଆନିମେସନ, ଡିଜିଟାଲ କଣ୍ଟେଣ୍ଟ ଏବଂ ଫ୍ୟାସନ ଭଳି ଶିଳ୍ପ ଗୁଡ଼ିକ ଅନ୍ତର୍ଭୁକ୍ତ ଅଟେ ।

ତେବେ ଚଳିତ ବଜେଟରେ ‘ଅରେଞ୍ଜ ଇକୋନୋମୀ’ ଉପରେ ଗୁରୁତ୍ୱ ଦେଇ ସରକାର ଏହି କ୍ଷେତ୍ରକୁ ଦେଶର ଅର୍ଥନୀତିର ଏକ ନୂଆ ଚାଳକ ଶକ୍ତି ଭାବେ ଦେଖୁଛନ୍ତି । ଏହା ମାଧ୍ୟମରେ ନିଯୁକ୍ତି ସୁଯୋଗ ବୃଦ୍ଧି, ନବସୃଜନକୁ ପ୍ରୋତ୍ସାହନ ଏବଂ ଡିଜିଟାଲ ବିଷୟବସ୍ତୁ ସୃଷ୍ଟିକୁ ନୂଆ ଇନ୍ଧନ ମିଳିବ ବୋଲି ଆଶା କରାଯାଉଛି ।

ବିଶେଷଜ୍ଞମାନଙ୍କ ମତରେ, ସୃଜନଶୀଳ ଅର୍ଥନୀତିର ଏହି ପଦକ୍ଷେପ ଯୁବପିଢ଼ିଙ୍କ ପାଇଁ ଆତ୍ମନିର୍ଭରତାର ନୂଆ ଦ୍ୱାର ଖୋଲିବା ସହ ଭାରତକୁ ବିଶ୍ୱ ସୃଜନଶୀଳ ମାନଚିତ୍ରରେ ଆଗୁଆ କରିବ । ଅନ୍ୟପକ୍ଷରେ କ୍ରମାଗତ ନବମ ଥର ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସୃଜନଶୀଳ ଶିକ୍ଷା ଓ ଡିଜିଟାଲ କୌଶଳକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସରକାର ଦେଶବ୍ୟାପୀ ବଡ଼ ପଦକ୍ଷେପ ନେବେ।

ଏହି ପଦକ୍ଷେପ ଅନୁସାରେ ଦେଶର ୧୫ ହଜାର ମାଧ୍ୟମିକ ବିଦ୍ୟାଳୟ ଏବଂ ୫୦୦ କଲେଜରେ ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଂ ଓ କମିକ୍ସ ସହିତ ସମ୍ପୃକ୍ତ AVGC ଏବଂ କଣ୍ଟେଣ୍ଟ କ୍ରିଏଟର ଲ୍ୟାବ ସ୍ଥାପନ କରାଯିବ । ଏହି ଲ୍ୟାବ ଗୁଡ଼ିକ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସୃଜନଶୀଳ ପ୍ରଯୁକ୍ତି, ଡିଜିଟାଲ ମିଡ଼ିଆ ଓ ଆଧୁନିକ କଣ୍ଟେଣ୍ଟ ସୃଷ୍ଟିରେ ପ୍ରଶିକ୍ଷଣ ଲାଭ କରିପାରିବେ ।

ଏହି ଲକ୍ଷ୍ୟ ପୂରଣ ପାଇଁ ମୁମ୍ବାଇର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ କ୍ରିଏଟିଭ ଟେକ୍ନୋଲୋଜି (IICT)କୁ ସହଯୋଗ କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ମାଧ୍ୟମରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶ ସହ ଦେଶର ‘ଅରେଞ୍ଜ ଇକୋନୋମୀ’କୁ ମଜବୁତ କରାଯିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score