Explore

Search

February 23, 2026 11:09 am

ପାରାଦୀପ ସମୁଦ୍ରକୂଳ ହେବ ବ୍ଲୁ ଫ୍ଲାଗ ବିଚ : ଅପେକ୍ଷାରେ ଗୋପାଳପୁର ବେଳାଭୂମି

ଭୁବନେଶ୍ୱର : ଓଡ଼ିଶାରେ ହେବ ୨ୟ ବ୍ଲୁ ଫ୍ଲାଗ ବିଚ । ପାରାଦୀପ ସମୁଦ୍ରକୂଳ ହେବ ବ୍ଲୁ ଫ୍ଲାଗ ବିଚ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳି ସାରିଛି ସବୁଜ ସଙ୍କେତ । ଅନ୍ୟପକ୍ଷରେ ଗଞ୍ଜାମ ହାତରେ ରାଜ୍ୟର ସର୍ବାଧିକ ବ୍ଲୁ-ଫ୍ଲାଗ୍ ବେଳାଭୂମି ହେବାକୁ ଯାଉଛି । ସେହିପରି ଗୋପାଳପୁର ବେଳାଭୂମିକୁ ‘ବ୍ଲୁ ଫ୍ଲାଗ’ ମାନ୍ୟତା ଦେବାକୁ ମଧ୍ୟ ଚେଷ୍ଟା ଜାରି ରହିଛି ।

ସୂଚନା ଅନୁସାରେ, ପାରାଦୀପ ସମୁଦ୍ରକୂଳକୁ ‘ବ୍ଲୁ-ଫ୍ଲାଗ ବିଚ’ ଭାବେ ବିକଶିତ କରିବା ପାଇଁ ପ୍ରସ୍ତାବ ରହିଛି । ଏହାକୁ ନେଇ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ସ୍ଥଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି । ତେବେ ଏଥିପାଇଁ କାମ କେବେ ଏବଂ କେତେ ଶୀଘ୍ର ଆରମ୍ଭ ହେବ ତାହା ଉପରେ ପ୍ରଶାସନର କଡା ନଜର ରହିଛି ।

ପୁରୀ ସମୁଦ୍ରକୂଳ ତୁଳନାରେ ପାରାଦୀପରେ ପ୍ରଚୁର ଜମି ଥିବାରୁ ଏଠାରେ ଏକ ଆକର୍ଷଣୀୟ ଓ ସୁବ୍ୟବସ୍ଥିତ ବ୍ଲୁ-ଫ୍ଲାଗ ବେଳାଭୂମି ଗଢ଼ି ଉଠିବାର ସମ୍ଭାବନା ଅଧିକ ରହିଛି । ବ୍ଲୁ-ଫ୍ଲାଗ ମାନ୍ୟତା ମିଳିଲେ ପାରାଦୀପ ସମୁଦ୍ରକୂଳର ସମ୍ପୂର୍ଣ୍ଣ ନବକଳେବର ହେବ । ଏହାସହ ବିଦେଶୀ ସମୁଦ୍ରତଟ ଭଳି ଏହା ଆଲୋକିତ ହୋଇଉଠିବ ।

ଗଞ୍ଜାମ ଜିଲ୍ଲା ରାଜ୍ୟର ସର୍ବାଧିକ ବ୍ଲୁ-ଫ୍ଲାଗ ବେଳାଭୂମି ଥିବା ଜିଲ୍ଲା ହେବାକୁ ଯାଉଛି । ସେପଟେ ସୁନାପୁର ବେଳାଭୂମି ଏବେବି ବ୍ଲୁ-ଫ୍ଲାଗ ମାନ୍ୟତା ରକ୍ଷା କରିଛି । ଗୋପାଳପୁର ବେଳାଭୂମିକୁ ମଧ୍ୟ ଏହି ମାନ୍ୟତା ମିଳିବା ପାଇଁ ଚେଷ୍ଟା ଜାରି ରହିଛି । ସିଆରଜେଡ ଅନୁମତି ମିଳିଲେ ଏଠାରେ ଦ୍ଵିତୀୟ ବେଳାଭୂମି ନିର୍ମାଣ କାମ ଆରମ୍ଭ ହେବ ।

ଏହାସହ ଛତ୍ରପୁର ନିକଟସ୍ଥ ଅଗସ୍ତି ନୂଆଗାଁ, ନୋଳିଆ ନୂଆଗାଁ ଅଞ୍ଚଳରେ ଥିବା ବିଜୁ ପଟ୍ଟନାୟକ ବେଳାଭୂମିକୁ ମଧ୍ୟ ବ୍ଲୁ-ଫ୍ଲାଗ ତାଲିକାରେ ସାମିଲ କରାଯାଇଛି । ଜିଲ୍ଲାପାଳ, ବିଡିଏ ଅଧ୍ୟକ୍ଷ ସହ ଅନ୍ୟାନ୍ୟ ଅଧିକାରୀମାନେ ସେଠାକୁ ଯାଇ ସ୍ଥଳ ପରୀକ୍ଷା କରିଛନ୍ତି ।

ଏବେ ସୁନାପୁର ଓ ଗୋପାଳପୁର ବେଳାଭୂମି ପର୍ଯ୍ୟଟକଙ୍କ ମଧ୍ୟରେ ଖୁବ ଲୋକପ୍ରିୟ ହୋଇଥିବା ବେଳେ, ଆର୍ଯ୍ୟପଲ୍ଲୀ ଓ ଅଗସ୍ତିନୂଆଗାଁ ସେତେଟା ପରିଚୟ ପାଇନାହିଁ । ବେଳାଭୂମିର ନବକଳେବର ସହ ପକ୍କା ରାସ୍ତା ନିର୍ମାଣ ହେଲେ ସହର ଓ ଗ୍ରାମାଞ୍ଚଳର ସଂଯୋଗ ବଢ଼ିବ ଏବଂ ପର୍ଯ୍ୟଟକଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ହେବ।

ବ୍ଲୁ-ଫ୍ଲାଗ ବିଚ କ’ଣ ?

ବ୍ଲୁ-ଫ୍ଲାଗ ମାନ୍ୟତା ଡେନମାର୍କର ଏକ ଏନଜିଓ ସଂସ୍ଥା Foundation for Environmental Education (FEE) ଦ୍ୱାରା ପ୍ରଦାନ କରାଯାଏ । ଏହି ମାନ୍ୟତା ପାଇଁ ବେଳାଭୂମି ସଫା, ପ୍ଲାଷ୍ଟିକ ମୁକ୍ତ ଏବଂ ପରିବେଶ ସହଯୋଗୀ ହେବା ଆବଶ୍ୟକ । ବେଳାଭୂମି ଓ ତାହାର ଚାରିପାଖ ସ୍ଵଛ ଓ ସୁରକ୍ଷିତ ରହିବା ଦରକାର ।

ବ୍ଲୁ-ଫ୍ଲାଗ ମାନ୍ୟତା ପାଇଁ ମୁଖ୍ୟ ମାନଦଣ୍ଡ :

ଯେଉଁ ବିଚକୁ ବ୍ଲୁ-ଫ୍ଲାଗ ମାନ୍ୟତା ମିଳିବାର ଥାଏ ତେବେ ସେଠିକାର ସମୁଦ୍ରଜଳର ଗୁଣମାନ ଉଚ୍ଚ ରହିଥିବ । ସେହିପରି ସେଠିକାର ପରିବେଶ ଅନୁକୂଳ ଥିବ । ପର୍ଯ୍ୟଟକଙ୍କ ପାଇଁ ସମସ୍ତ ବ୍ୟବସ୍ଥା ସୁରକ୍ଷିତ ହୋଇଥିବ । ସେହିପରି ସମୁଦ୍ରକୂଳ ଚାରିପାଖ ସଫାସୁତୁରା ଓ ପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା ଥିବ ।

ଏଭଳି ମୋଟ ୩୫ଟି ମାନଦଣ୍ଡ ଆଧାରରେ ବେଳାଭୂମିକୁ ବ୍ଲୁ-ଫ୍ଲାଗ ମାନ୍ୟତା ଦିଆଯାଏ । ଆଉ ଏବେ ଓଡ଼ିଶାରେ ୨ୟ ବ୍ଲୁ ଫ୍ଲାଗ ବିଚ ପାରାଦୀପ ସମୁଦ୍ରକୂଳ ହେବାକୁ ଥିବାରୁ ଏହାକୁ ନେଇ ଏବେ ଓଡ଼ିଶାବାସୀ ବେଶ ଖୁସି ଅଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score